ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ : ସାଧାରଣ ଲୋକ ଆମ ପାଇଁ ଶ୍ରେଷ୍ଠ: ନବୀନ

Advertisment
ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ : ସାଧାରଣ ଲୋକ ଆମ ପାଇଁ ଶ୍ରେଷ୍ଠ: ନବୀନ

ଭୁବନେଶ୍ବର : ବିଜୁବାବୁଙ୍କ ଜୀବନ ଏକ ସଂଗ୍ରାମୀ ଜୀବନ ଥିଲା। ସେ ବେଶି ଦିନ କ୍ଷମତାରେ ନଥିଲେ କିନ୍ତୁ ସବୁବେଳେ ଲୋକଙ୍କ ସାଥିରେ ଥିଲେ। ଓଡ଼ିଶା ଓ ଓଡ଼ିଆଙ୍କୁ ସବୁଥିରେ ଆଗୁଆ ରଖିବା ଲକ୍ଷ୍ୟ ନେଇ କାମ କରୁଥିଲେ। ବିଜୁବାବୁଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ନେଇ ଆମେ କାମ କରୁଛୁ। ବିଜୁ ବାବୁଙ୍କ ଭାଷାରେ ଗଣତନ୍ତ୍ରରେ ଲୋକ ହିଁ ମୁଖ୍ୟ। ସାଧାରଣ ଲୋକ ହିଁ ଆମ ପାଇଁ ଶ୍ରେଷ୍ଠ। ତେଣୁ ଲୋକଙ୍କ ହକ୍‌କୁ ଆଗରେ ରଖିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଜୟଦେବ ଭବନରେ ଆୟୋଜିତ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ବିଜୁ ବାବୁ ବ୍ୟବସ୍ଥାରେ ଦ୍ରୁତ ପରିବର୍ତ୍ତନ ଚାହୁଥିଲେ। ଆମର ୫-ଟି କାର୍ଯ୍ୟକ୍ରମ ବିଜୁ ବାବୁଙ୍କ ଚିନ୍ତାଧାରା ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ମୋ ସରକାର କାର୍ଯ୍ୟକ୍ରମ ଲୋକଙ୍କୁ ମାଲିକ କରିପାରିଛି। ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ ଯୋଗୁଁ ସେ କୋଟି କୋଟି ଓଡ଼ିଆଙ୍କ ହୃଦୟର ନେତା ହୋଇ ରହିଛନ୍ତି ଓ ରହିଥି‌ବେ।

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ଓଡ଼ିଶାବାସୀଙ୍କ ପ୍ରତି ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ଓଡ଼ିଶାବାସୀଙ୍କର ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧା ସମ୍ପର୍କରେ କହିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସମଗ୍ର ଓଡ଼ିଶା ତାଙ୍କ ପରିବାର। ବିଜୁ ବାବୁଙ୍କ ସମଗ୍ର ଜୀବନ ଓଡ଼ିଆଙ୍କ ପାଇଁ ସମର୍ପିତ ଥିଲା। ଏହି ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଡ.ଲେନିନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୁ ବାବୁଙ୍କ ଅବଦାନ ବାବଦରେ ବକ୍ତବ୍ୟ ରଖିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ସଂଜୟ କୁମାର ସିଂହ ସ୍ବାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଆଜି ଦିନ ବେଳା ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ କଣ୍ଠଶିଳ୍ପୀଙ୍କ ଦ୍ବାରା ଭଜନ ଓ ଦେଶାତ୍ମବୋଧ ସଂଗୀତ ପରିବେଷଣ ହୋଇଥିଲା। ଏତଦ ବ୍ୟତୀତ ସୂଚନା ଭବନ ମିନି ‌ପ୍ରେକ୍ଷାଳୟରେ ବିଜୁ ବାବୁଙ୍କ ଜୀବନୀ ସଂକ୍ରାନ୍ତ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe