Biju Setu is causing distress to thousands of villagers Photograph: (sambad.in)
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଜୁସେତୁ ଯୋଜନା କାହା ସ୍ୱାର୍ଥରେ? କାହା ସ୍ୱାର୍ଥରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଖଡ଼ଖାଇ ନଦୀ ଉପରେ ପୋଲ ନିର୍ମାଣ କଲା । କୋଟି କୋଟି ଟଙ୍କାର ପୋଲ ନିର୍ମାଣ ହେଲା କିନ୍ତୁ ଲୋକଙ୍କ କାମରେ ଆସୁନି।
ବିଜେଡି ସରକାର ସମୟରେ ୪୦ରୁ ଅଧିକ ଗ୍ରାମବାସୀଙ୍କ ଦୁଃଖ ଦୂର କରିବାକୁ ନିର୍ମାଣ କରାଗଲା ବିଜୁ ସେତୁ କିନ୍ତୁ ଏହା ଲୋକଙ୍କ କାମରେ ଆସୁନି ।
ବିଭାଗୀୟ ଅଧିକାରୀଙ୍କ ଅପାରଗତା ପାଇଁ ୨୦୦ ମିଟର ପୋଲ ଏବଂ ରାସ୍ତାର ସଂଯୋଗ ହୋଇପାରୁନି। ଯାହା ଫଳରେ ୨ କି.ମି ବାଟ ବଦଳରେ ଲୋକେ ୧୫ କିଲୋମିଟର ବୁଲି ହନ୍ତସନ୍ତ ହେଉଛନ୍ତି ।
ବାରମ୍ବାର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ ପରେ ମଧ୍ୟ ଫଳ ଶୂନ। ରାଇରଙ୍ଗପୁର ଅଁଳାଡ଼ୁବା ଦେଇ ରାଜ ରାଜପଥ ଭାୟା ସୁଲେଇପାଟ ଦେଇ ବିଶୋଇ ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଥିବା ୪୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କ ମୁଖ୍ୟ ଯାତାୟାତ ବିଚ୍ଛିନ୍ନ ହେଉଛି ।
ହନ୍ତସନ୍ତ ହୋଇ ବିପଦ ସଂକୁଳ ଅବସ୍ଥାରେ ପୋଲରେ ଲୋକେ ଯାତାୟାତ କରୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଭୁଟୁକାବାଦି ଗ୍ରାମପଞ୍ଚାୟତ ତାମୁଡିହା ଗ୍ରାମ ପାଖରେ ବହି ଯାଉଥିବା ଖଡ଼ଖଇ ନଦୀରେ। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ସ୍ୱାଧୀନତାର ୭୮ ବର୍ଷ ପରେ ୪୦ରୁ ଅଧିକ ଗ୍ରାମର ଦୁଃଖ ଦୂର କରିବାକୁ ୧୧ କୋଟି ଟଙ୍କା ବ୍ୟୟରେ ବିଜୁ ସେତୁ ନିର୍ମାଣ କରାଗଲା କିନ୍ତୁ ପୂର୍ବ ସରକାରଙ୍କ ସମୟରେ ଦାୟିତ୍ୱହୀନ କାର୍ଯ୍ୟ ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତା ପାଇଁ କୋଟି କୋଟି ଖର୍ଚ୍ଚ ପରେ ମଧ୍ୟ ଅଞ୍ଚଳବାସୀଙ୍କ ଦୁଃଖ ଦୂର ହୋଇପାରିଲାନି ।
ଅପରପକ୍ଷରେ ରାଇରଙ୍ଗପୁର ଅଁଳଡୁବାରୁ ରହଣିକୁଦର, ବୁଧିଆକୁଦର ଭରଣ୍ଡିଆ,ତାମୁଡ଼ିହା,ଦେଉଳି,ଶ୍ୟାମସୁନ୍ଦର, ଚଣ୍ଡିଦା,କୁମୁଡାଶୋଳ,ନିଶ୍ଚିନ୍ତପୁର,ଜାନୁମଘୁଟୁ,ମୟୂରଦର,ସୁଲେଇପାଟ,ନଗଳଶୀଳା,ଭାଲୁବସା ଉକାମ, କେଶରଗାଡ଼ିଆ ପ୍ରଭୃତି ଗ୍ରାମର ଲୋକେ ଭାୟା ସୁଲେଇପାଟ ଦେଇ ବିଶୋଇ ବ୍ଲକ ମଣଦା ୪୯ ନମ୍ବର ଜାତୀୟ ରାଜପଥ ମଧ୍ୟରେ ୪୦ରୁ ଅଧିକ ଗ୍ରାମର ହଜାର ହଜାର ଲୋକ ଏହି ପୋଲ ଉପରେ ନିର୍ଭର କରନ୍ତି।
ମାତ୍ର ଦୈବୀ ଦୁର୍ବିପାକରେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗକୁ ୪୦ କି.ମି ରାସ୍ତା ଯିବା ପରିବର୍ତ୍ତେ ୬୦ କିଲୋମିଟର ବାଟ ବୁଲିକି ଉପଖଣ୍ଡର ମୁଖ୍ୟ ରାଇରଙ୍ଗପୁର ଯିବାକୁ ପଡୁଛି । ଏହା ବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ଦୀର୍ଘ ୧୫ କି.ମି ଅଧିକ ବାଟ ଦେଇ ବିଦ୍ୟାଳୟକୁ ଯିବାକୁ ପଡୁଛି । ତେବେ ନିରୀହ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାରମ୍ବାର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।
Mayurbhanj
Follow Us