ପୁରୀ : ଏବେ ବି ବିଜୁବାବୁଙ୍କ ଅସ୍ଥି କଳସ ନୀଳାଚଳ ଅର୍ବାନ ହାଟରେ ୧୪ ନମ୍ବର କକ୍ଷରେ ବନ୍ଦ ହୋଇରହିଛି। ୨୦୧୯ ମସିହାରେ ସ୍ବର୍ଗଦ୍ବାରରୁ ବିଜୁ ସ୍ମୃତି ସ୍ତମ୍ଭ ହଟାଯିବା ପରେ ଶ୍ରୀଜଗନ୍ନାଥ ସେନା ବିଜୁବାବୁଙ୍କ ଅସ୍ଥି ଅବଶେଷ ମହଜୁଦ ରଖିଛି। ଇତିମଧ୍ୟରେ ୪ ବର୍ଷ ବିତିସାରିଲାଣି। ମାତ୍ର, ଅସ୍ଥି କଳସ ନେବାକୁ ଦାବିହୋଇ ଆସୁଥିଲେ ହେଁ ଏନେଇ ଧ୍ୟାନ ଦିଆଯାଉ ନାହିଁ। ତେଣୁ ଅସ୍ଥି କଳସକୁ ନେଇ ସେନା ପକ୍ଷରୁ ନବୀନ ନିବାସକୁ ଯାତ୍ରା କରାଯିବ। ଆବଶ୍ୟକ ହେଲେ, ଇଣ୍ଡୋନେସିଆକୁ ଅର୍ପଣ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।
ରବିବାର ଦିନ ସେନା ପକ୍ଷରୁ ନୀଳାଚଳ ଅର୍ବାନ ହାଟରେ ୧୪ ନମ୍ବର କକ୍ଷରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଅବସରରେ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଥିଲେ, ବିଜୁବାବୁଙ୍କ ଅସ୍ଥିକୁ ଯଥାସ୍ଥାନରେ ସ୍ଥାପନ କରିବା ନେଇ କାହାର ଆନ୍ତରିକତା ନାହିଁ। ଯଦି ଅସ୍ଥି କଳସ ମୁଖ୍ୟମନ୍ତ୍ରୀ ନନିଅନ୍ତି, ତେବେ ଖୁବ୍ଶୀଘ୍ର ପୁରୀରୁ ନବୀନ ନିବାସକୁ ବିଜୁବାବୁଙ୍କ ଅସ୍ଥି କଳସ ଯାତ୍ରା କରାଯିବ। ନବୀନ ନିବାସ ପ୍ରଦକ୍ଷଣ କରାଯାଇ ଏହା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଏହାସତ୍ତ୍ବେ ଯଦି ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ ନକରନ୍ତି, ତେବେ ଅସ୍ଥି କଳସକୁ ଇଣ୍ଡୋନେସିଆକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ଶ୍ରୀ ପଟ୍ଟନାୟକ କହିଥିଲେ , ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଅସ୍ଥି କଳସ ନେବାପାଇଁ ବାରମ୍ବାର ପ୍ରସ୍ତାବ ଦେଇଆସୁଛନ୍ତି।
Follow Us