କ୍ରୀଡ଼ା ପୁରସ୍କାରରୁ ବିଜୁଙ୍କ ନାଁ ହଟିବନି: ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଦେଲେ

ମୋ ପାଖରେ ସୂଚନା ନଥିଲା: ମୁଖ୍ୟମନ୍ତ୍ରୀ

କ୍ରୀଡ଼ା ପୁରସ୍କାରରୁ ବିଜୁଙ୍କ ନାଁ ହଟିବନି: ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଦେଲେ

ଭୁବନେଶ୍ବର: ରାଜ୍ୟ ସରକାର ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ର ନାମ ବଦଳାଇ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ କରିଥିଲେ। ଏନେଇ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଗତ ୧୯ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜେଡି ଏହାକୁ କଡ଼ା ସମାଲୋଚନା କଲା। ୪୮ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ‘ୟୁ ଟର୍ଣ୍ଣ’ ମାରିଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କହିଛନ୍ତି ଯେ ବିଜୁ ବାବୁଙ୍କ ନାମରେ ଦିଆଯାଉଥିବା କ୍ରୀଡ଼ା ପୁରସ୍କାରର ନାମ ବଦଳିବନି। ଯେମିତି ଆଗରୁ ଚାଲୁଥିଲା ସେମିତି ଚାଲିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ବିଷୟରେ ଆଜି ଗଣମାଧ୍ୟମରୁ ସୂଚନା ପାଇଲି। ଦୀର୍ଘ ଦିନ ହେଲା ବିଜୁ ବାବୁଙ୍କ ନାମରେ ‌କ୍ରୀଡ଼ା ପୁରସ୍କାର ଦିଆଯାଉଛି। ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ। ମୋ ପାଖରେ ସେନେଇ କୌଣସି ସୂଚନା ନଥିଲା। ମୋ ସରକାର ଓଡ଼ିଶାର ବରପୁତ୍ର ମାନଙ୍କୁ ଯଥୋଚିତ ସମ୍ମାନ ଦିଏ। ବିଜୁ ବାବୁ ନିଜର ଦୀର୍ଘ ଦଶନ୍ଧିର ରାଜନୈତିକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ଓଡ଼ିଶା ତଥା ଭାରତ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ। ସେଥିରେ କୌଣସି ପ୍ରକାର ପରିବର୍ତ୍ତନ ହେବାର ନାହିଁ। ଯେମିତି ଆଗରୁ ଚାଲୁଥିଲା ସେମିତି ଚାଲିବ।
ମୁଖ୍ୟମନ୍ତ୍ରୀଙ୍କର ଏହି ବିବୃତିରେ ପରେ ପୂରା ସରକାରୀ କଳ ଅଡ଼ୁଆରେ ପଡ଼ିଯାଇଛି। ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବିନା କିପରି କ୍ରୀଡ଼ା ବିଭାଗ ଏତେ ବଡ଼ ନିଷ୍ପତ୍ତି ନେଲା? ପୁଣି କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ମନ୍ତବ୍ୟ ଆହୁରି ଉଦ୍‌ବେଗଜନକ। ସେ ବି ଗଣମାଧ୍ୟମରୁ ନାମ ପରିବର୍ତ୍ତନ ସମ୍ପର୍କରେ ଜାଣିଲେ ବୋଲି କହିଛନ୍ତି। କ୍ରୀଡ଼ା ବିଭାଗର ଯେଉଁ ବିଜ୍ଞପ୍ତି ଭାଇରାଲ୍‌ ହେଉଛି, ତାହା ଭୁଲ୍‌ ବୋଲି ମନ୍ତ୍ରୀ କହିନାହାନ୍ତି। ତେଣୁ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ସ୍ପଷ୍ଟ ହୋଇଛି। ମନ୍ତ୍ରୀଙ୍କ ଅଗୋଚରରେ ବିଭାଗୀୟ ଅଧିକାରୀମାନେ ଏତେ ବଡ଼ ନିଷ୍ପତ୍ତି ନେଇ କିପରି ବିଜ୍ଞପ୍ତି ଜାରି କରିଦେଲେ, ତାହା ଆଶ୍ଚର୍ଯ୍ୟର ବିଷୟ। କେଉଁ ଅଧିକାରୀ ଏପରି ଦୁଃସାହସ କଲେ ଓ ବିଭାଗୀୟ ସଚିବ ସେଥିରେ କିପରି ସମ୍ମତି ଦେଲେ, ତାହା ମନ୍ତ୍ରୀ ଖୋଳତାଡ଼ କରୁନାହାନ୍ତି କାହିଁକି? ଏବେ ସେହି ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହାକୁ ସମସ୍ତେ ‌ଅପେକ୍ଷା କରିଛନ୍ତି। ଅତ୍ୟନ୍ତ ବେପରୱା ଢଙ୍ଗରେ କ୍ରୀଡ଼ା ବିଭାଗ କାମ କରିଥିବାରୁ ପୂରା ସରକାର ଅପଦସ୍ତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମରେ ଆଜି ନିଜ ବିବୃତି ରଖିଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ପ୍ରଶ୍ନର ଉତ୍ତର ନଦେଇ ଚାଲିଯାଇଥିଲେ। ଗୋଟିଏ ଗୋଷ୍ଠୀ ଚର୍ଚ୍ଚା କରୁଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବଦଳାଇବାକୁ କିଛି ଚାପ ପଡ଼ିଲା କି? ଏପଟେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଜେଡି ପୁଣି ସରକାରଙ୍କୁ ଘେରିଛି। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି ଦଳ। ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ନାଁ ବଦଳାଇବା ପାଇଁ ଗତକାଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଖୋଦ୍ କହୁଛନ୍ତି ବିଜୁ ବାବୁଙ୍କ ନାଁ କ୍ରୀଡା ପୁରସ୍କାରରେ ରହିବ। ଏଭଳି ମତ ପାର୍ଥକ୍ୟରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀଙ୍କର ସରକାର ଉପରେ କର୍ତ୍ତୃତ୍ବ ନାହିଁ। ଏଭଳି ଅପରିପକ୍ବତା ଦେଖାଇ ବିଜେପି ସରକାର ଜନତାଙ୍କ ପାଖରେ ଲୋକହସା ନହେଉ। ସମ୍ବିଧାନରେ ଅଛି ‘ସାମୂହିକ ଉତ୍ତରଦାୟିତ୍ୱ’। କ୍ରୀଡା ବିଭାଗ ଗୋଟିଏ ବିଜ୍ଞପ୍ତି ଜାରି କରୁଛି। ଆଉ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିନାହାନ୍ତି ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କ୍ରୀଡ଼ା ମନ୍ତ୍ରୀଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ମାଗନ୍ତୁ।

ବି‌ଜେଡି ଆହୁରି ସମାଲୋଚନା କରିଛି ଯେ ବିଭିନ୍ନ ମନ୍ତ୍ରୀ ବିଭିନ୍ନ ସମୟରେ ଦାୟିତ୍ୱହୀନ ବୟାନବାଜି କରୁଛନ୍ତି। ଯାହାକୁ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର ମଧ୍ୟ କରୁଛନ୍ତି । ଅନେକ ସମୟରେ ରାଜ୍ୟ ହିତରେ କମ୍ ବରଂ ପୂର୍ବ ବିଜେଡି ସରକାର ଏବଂ ତାଙ୍କ ନେତାଙ୍କ ବିରୋଧରେ ଆକ୍ରୋଶମୂଳକ ଓ ପ୍ରତିଶୋଧପରାୟଣ ରାଜନୀତି କରି ନେତାଙ୍କୁ ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ବିଜେପି ସରକାର ଭୁଲିବା ଉଚିତ ନୁହେଁ ଯେ ଶାସନ ଗୋଟିଏ ନିରନ୍ତର ପ୍ରକ୍ରିୟା ଏବଂ ପୂର୍ବ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟଗୁଡ଼ିକୁ ସ୍ୱୀକାର କରି ଆଗେଇନେବା ହେଉଛି ସୁସ୍ଥ ଗାଣତାନ୍ତ୍ରିକ ପ୍ରକ୍ରିୟା। କିନ୍ତୁ ବିଜେପି ଯେଉଁଭଳି ଭାବେ ବିଜେଡିର ୨୪ ବର୍ଷର ସୁଶାସନ ଏବଂ ବିଜୁ ବାବୁଙ୍କ ଦଶନ୍ଧି ଦଶନ୍ଧି ଧରି ଅବଦାନକୁ ଜନମାନସ ଓ ଇତିହାସରୁ ହଟାଇବା ପାଇଁ ଅପଚେଷ୍ଟା କରୁଛି ତାହା ନିନ୍ଦନୀୟ। ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୯ରେ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀରେ ତଥା ଜାତୀୟ କ୍ରୀଡ଼ା ଦିବସରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe