ବିଜୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ପ୍ରସଙ୍ଗ: ପୁଲିସ-ବିଜେଡି କର୍ମୀ ଧସ୍ତାଧସ୍ତି

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳି ଦେବା ଘଟଣାକୁ ବିରୋଧ କରିଛି ସମ୍ବଲପୁର ବିଜେଡି। ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

fsfsxccf

ସମ୍ବଲପୁର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳି ଦେବା ଘଟଣାକୁ ବିରୋଧ କରିଛି ସମ୍ବଲପୁର ବିଜେଡି। ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ତେବେ, ଏହି ସମୟରେ ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।  ବିଜେଡି କର୍ମୀ ସଂଯୁକ୍ତା ମେହେରଙ୍କ ଆଙ୍ଗୁଠିକୁ ମୋଡ଼ି ଦିଆଯାଇଥିବା ଓ ଅନିତା ଓରାମଙ୍କୁ ରାମ୍ପୁଡ଼ା ଯାଇଥିବା ବେଳେ କେତେକ ମହିଳା କର୍ମୀଙ୍କ ଚୁଟି ଏବଂ ଓଢ଼ଣି ଟାଣି ଦିଆଯାଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ବିଶେଷ କରି ମହିଳା କର୍ମୀଙ୍କୁ ପୁରୁଷ ପୁଲିସ ଠେଲାପେଲା କରିଥିବା ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବନ୍ଦିତାରାଣୀ ମିଶ୍ର କହିଛନ୍ତି।

ପ୍ରକାଶ ଯେ, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ଘଟଣାକୁ ନେଇ ଗୋଲବଜାର ଛକରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଏହି ଅବସରରେ ବିଜେଡି ନେତା ଗୋକୁଳ ମେହେର, ବେଣୁଧର ଦାସ, ସିପ୍ରା ମହାନ୍ତି, ବସନ୍ତ ମିଶ୍ର, ବନ୍ଦିତା ରାଣୀ ମିଶ୍ର ପ୍ରମୁଖ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଏଭଳି ଅପମାନକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ସଂଧ୍ୟା ୬.୩୦ରୁ ୭ଟା ସମୟରେ ବିଜେଡି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର, ଏସ୍‌ଡିପିଓ ତୋଫାନ ବାଗଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଫୋର୍ସ ସହିତ ସେଠାରେ ପହଞ୍ଚି ସେମାନଙ୍କ ଠାରୁ କୁଶପୁତ୍ତଳିକା ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ।

 ଏହି ସମୟରେ ବିଜେଡି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅନେକ ସମୟ ଧରି ଏଭଳି ପରିସ୍ଥିତି ଲାଗି ରହିବା ପରେ ବିଜେଡି ନେତ୍ରୀମାନେ କୁଶପୁତ୍ତଳିକା ଦାହ କରିଥିଲେ। ତେବେ, ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର ସାଦା ପୋଷାକରେ ଆନ୍ଦୋଳନସ୍ଥଳକୁ ଆସିବା ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି। ଆନ୍ଦୋଳନସ୍ଥଳରେ ମହିଳା ପୁଲିସ ସଂଖ୍ୟା ନାମମାତ୍ର ଥିବା ଅଭିଯୋଗ ହୋଇଛି। ବିଜେଡି ପକ୍ଷରୁ କୁହାଯାଇଛି, ଶାନ୍ତିଶୃଙ୍ଖଳାର ସହିତ ଆନ୍ଦୋଳନ କରାଯାଉଥିଲା। ମାତ୍ର ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଅବସରରେ ବିଜେଡି ନେତା ମହମ୍ମଦ ସନାଉଲ୍ଲା, ସୁରୁବାବୁ ମେହେର, ଉଷା ପ୍ରଧାନ, ରଶ୍ମି ତ୍ରିପାଠୀ, ଅର୍ଶରାଜ ମେହେର, ମହମ୍ମଦ ଇସାକ, ସଙ୍ଗୀତା ସ୍ବାଇଁ, ଅନିତା, ପୁଷ୍ପା, ପ୍ରଦୋଷ ମହାନ୍ତି, ପ୍ରଫୁଲ୍ଲ ଦାଶ, ରୁଦ୍ର ଷଡ଼ଙ୍ଗୀ, ଆଶିଷ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର କହିଛନ୍ତି, କୌଣସି କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ କି ସେ କିମ୍ବା ତାଙ୍କ ଫୋର୍ସ କାହାକୁ ମାଡ଼ ମାରି ନାହାନ୍ତି। ଆନ୍ଦୋଳନସ୍ଥଳରେ ପର୍ଯ୍ୟାପ୍ତ ମହିଳା ପୁଲିସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe