iStock
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ୩୫୩ନଂ ଜାତୀୟ ରାଜପଥ ଚକାଡଙ୍ଗରରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଚାରି ବର୍ଷର ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଶନିବାର ଅପରାହ୍ନରେ ଖଡ଼ିଆଳ ବ୍ଲକ ଛତା ଗ୍ରାମର ସଚିନ ମାଝୀ ଓ ତାଙ୍କ ପୁଅ ମାଲିକ ମାଝୀ (୪ବର୍ଷ) କୌଣସି କାମରେ କୋମନା ଯାଇ ଏକ ବାଇକ୍ରେ ଫେରୁଥିଲେ। ଏହି ସମୟରେ କିରିବେଡ଼ା ଗ୍ରାମର ଶଙ୍କର ମାଝୀ ଓ କୋମନା ଥାନା ଝାଲକୁସୁମ ଗ୍ରାମର ଲିଙ୍ଗରାଜ ନିଆଁଲ କୋମନା ଯାଉଥିବା ବେଳେ ଉକ୍ତ ସ୍ଥାନରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଏଥିରେ ଘଟଣାସ୍ଥଳରେ ମାଲିକ ମାଝୀର ମୃତ୍ୟୁ ଘଟିଥିଲା। ଅନ୍ୟ ତିନିଜଣ ସଚିନ ମାଝୀ, ଶଙ୍କର ମାଝୀ ଓ ଲିଙ୍ଗରାଜ ନିଆଲ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ରଞ୍ଜିତ ରାଉତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଖଡ଼ିଆଳ ପୁଲିସ୍ ମୃତ ଶିଶୁର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।
Follow Us