ଜଳେଶ୍ବର: ଆଜି ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ନନ୍ଦିକା ନିକଟରେ କୋଲକାତାରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ କାର୍ ବିପରୀତ ଦିଗରୁ ଆସୁଥିବା ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ଶହେ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିବା ଜଣାପଡ଼ିଛି। ଫଳରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଗୁରୁତର ବାଇକ୍ ଆରୋହୀ ଭୋଗରାଇ ବ୍ଲକ୍ ବାଜିତପୁର ପଞ୍ଚାୟତ ସାନଡ଼ଭା ଗାଁ’ର ତପନ ଦାସ ବୋଲି କୁହାଯାଇଛି। ତପନ ଗୁଡ଼ିଖାଳକୁ ତାଙ୍କ ଭଉଣୀଙ୍କୁ ଛାଡ଼ିବା ପାଇଁ ଯାଇଥିବା ବେଳେ ଅପରାହ୍ନରେ ନିଜର ଓଡି-୦୧-ଏଏନ୍-୩୨୩୭ ନମ୍ବରର ହୋଣ୍ଡା ବାଇକ୍ରେ ଘରକୁ ଫେରୁଥିଲେ। ତେବେ ନନ୍ଦିକା ବାଇପାସ୍ ନିକଟରେ କୋଲକାତାରୁ ବାଲେଶ୍ବର ଅଭିମୁଖେ ଆସୁଥିବା ଏକ କାର୍ ମୁହାଁମୁହିଁ ଧକ୍କା ଦେଇ ତପନଙ୍କୁ ବାଇକ୍ ସହ ପାଖାପାଖି ଶହେ ମିଟର ଦୂର ଯାଏଁ ଘୋଷାରି ନେଇଥିଲା। ଶହେ ମିଟର ପରେ ତପନ କିଛି ଦୂରକୁ ଛିଟିକି ପଡ଼ିଥିବା ବେଳେ କାର୍ଟି ଆହୁିର ଅଧ କିମି ଯାଏ ବାଇକ୍କୁ ଘୋଷାରି ନେଇଥିଲା। ଏହି ସମୟରେ ବାଲେଶ୍ୱର ପଟୁ ଆସୁଥିବା ଦୀପକ ଦାସ ନାମକ ଜଣେ କାର୍ ଆରୋହୀ ତପନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲ୍କୁ ନେଇଥିଲେ। ଦୀପକଙ୍କ ଏପରି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ତପନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।
Follow Us