Image Courtesy of Zee News
ନୂଆପଡ଼ା/କରଙ୍ଗାମାଲ/ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଫରସରା ପଞ୍ଚାୟତ କନକପୁର ଗ୍ରାମରେ ଗତ ୩୦ ତାରିଖ ଜଣେ ବାଇକ୍ ମେକାନିକ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବୋଡ଼େନ ପୁଲିସ୍ ଘଟଣାର ପର୍ଦାଫାସ କରିବା ସହ ପୂର୍ବ ଶତ୍ରୁତାରୁ ୨ ଜଣ ଯୁବକ ଗଳାକାଟି ହତ୍ୟା କରିଥିବା ସୂଚନା ଦେଇଛି।
ସୂଚନାମତେ, ବୋଡ଼େନ ଗ୍ରାମର ଲୋକନାଥ ପାଣ୍ଡେ (୨୩) ଏକ ଗ୍ୟାରେଜ୍ରେ ମେକାନିକ୍ ଭାବେ କାମ କରୁଥିଲେ। ଗତ ୩୦ ତାରିଖ ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ବାଇକ୍ ନେଇ ଫରସରା ପଞ୍ଚାୟତ କନକପୁର ଗ୍ରାମକୁ କୌଣସି କାମରେ ଯାଇଥିଲେ। ସେଠାରେ ସମ୍ପର୍କୀୟ ଭିଣୋଇ ବୋଡ଼େନ ଗ୍ରାମର କ୍ଷୀରସିନ୍ଧୁ ପାଣ୍ଡେ (୫୦) ଓ କନକପୁର ଗ୍ରାମର ଟଙ୍କଧର ରଣା (୩୮)ଙ୍କ ସହ ଭୋଜି କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା।
ଏଥିରେ ଭିଣୋଇ କ୍ଷୀରସିନ୍ଧୁ ଓ ଟଙ୍କଧର ରାଗି ଯାଇ ଲୋକନାଥଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରି ଫେରାର ମାରିଥିଲେ। ସକାଳେ ସ୍ଥାନୀୟ ଲୋକ ମୃତଦେହ ପଡ଼ିଥିବା ଦେଖି ବୋଡ଼େନ ପୁଲିସ୍କୁ ଖବର ଦେଇଥିଲେ। ଡଗ୍ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ଉକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ୍ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା। ପରେ ଅଭିଯୁକ୍ତ ଦ୍ବୟ ସମସ୍ତ ଘଟଣା ସ୍ବୀକାର କରିଥିଲେ। ପରେ କ୍ଷୀରସିନ୍ଧୁ ଓ ଟଙ୍କଧରକୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି।
Follow Us