ବ୍ୟାସନଗର : ଯାଜପୁରରୋଡ ଥାନା ଅନ୍ତର୍ଗତ ଯୋକଡ଼ିଆ ବ୍ରିଜ ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଏହି ଥାନା ଅନ୍ତର୍ଗତ ଲକ୍ଷ୍ମୀନଗରର ଅଭିମନ୍ୟୁ ମଳିକ। ଆଜି ସେ ବାଇକ୍ରେ ଯୋକଡ଼ିଆ ବ୍ରିଜ୍ ଆରପଟୁ ଘରକୁ ଫେରୁଥିଲେ। ବ୍ରିଜ୍ ଉପରେ ଏକ ଟ୍ରାକ୍ଟର ସହ ଅଭିମନ୍ୟୁଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା।
ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଅଭିମନ୍ୟୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଅଭିମନ୍ୟୁଙ୍କ ଭଣଜା ମହେଶ କୁମାର ମଳିକ ଯାଜପୁରରୋଡ ଥାନାରେ ଅଭିଯୋଗ କରିଛନ୍ତି। ଯାଜପୁରରୋଡ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଥାନା କେସ୍ ନମ୍ବର ୬୨୭/୨୨ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।
Follow Us