ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି

Advertisment

ଗଣତନ୍ତ୍ର ମନ୍ଦିରର ମର୍ଯ୍ୟାଦା ରକ୍ଷା କରିବାକୁ ପ୍ରତିଶ୍ରୁତି

ଗଣତନ୍ତ୍ର ମନ୍ଦିରର ମର୍ଯ୍ୟାଦା ରକ୍ଷା କରିବାକୁ ପ୍ରତିଶ୍ରୁତି

୨୩ ବର୍ଷ ପରେ ଗଞ୍ଜାମକୁ ମିଳିଲା ଅର୍ଥମନ୍ତ୍ରୀ ପଦ

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଭଞ୍ଜନଗରର ବିଧାୟକ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି। ସୋମବାର ଦିନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ କରାଯାଇଥିଲା। ଅନ୍ୟ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନର ଆବଶ୍ୟକ ପଡ଼ି ନ ଥିଲା। ଶ୍ରୀ ଆରୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲେ। ତାଙ୍କୁ ସମସ୍ତେ ସମର୍ଥନ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରସ୍ତାକକୁ ସମର୍ଥନ କରିଥିଲେ। ବାଚନିକ ଭୋଟ୍‌ରେ ପ୍ରସ୍ତାବ ପାରିତ ହୋଇଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ରଜନୀକାନ୍ତ ସିଂହ ବିଧିବଦ୍ଧ ଭାବେ ଶ୍ରୀ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ସଂସଦୀୟ
ବ୍ୟାପାର ମନ୍ତ୍ରୀ ଶ୍ରୀ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ମୁଖ୍ୟ ସ‌ଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏବଂ ସିପିଆଇ(ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଶ୍ରୀ ଆରୁଖଙ୍କୁ ବାଚସ୍ପତିଙ୍କ ପୋଡିୟମ୍‌କୁ ପାଛୋଟି ନେଇଥିଲେ।
ମୁଖ୍ୟମନ୍ତ୍ରୀ ସବୁ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା‌ ସହ ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଗୃହ ପରିଚାଳନାରେ ବାଚସ୍ପତିଙ୍କୁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ କହିଲେ ଯେ ବାଚସ୍ପତିଙ୍କ ଆସନ ନିରପେକ୍ଷ। ଆଶା କରୁଛୁ- ଆପଣ ଆମ୍ଭମାନଙ୍କୁ ଗୃହରେ ଆମ ମତ ଦେବା ପାଇଁ ସମାନ ସୁଯୋଗ ଦେବେ। ଆପଣ ପବିତ୍ର ଗୃହର ପରମ୍ପରାକୁ ବଜାୟ ରଖି ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଚେଷ୍ଟା କରିବେ।

publive-image

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ପୂର୍ବରୁ ବାଚସ୍ପତି ଭାବେ ନିର୍ବାଚିତ ହେଲା ପରେ ସଂପୃକ୍ତ ବିଧାୟକ ଦଳରୁ ଇସ୍ତଫା ଦେଉଥିଲେ। ଏବେ ସେହି ପରମ୍ପରା ସବୁ ଦଳ ଭଙ୍ଗ କରିଛନ୍ତି। ଓଡ଼ିଶା ବିଧାନସଭାରେ ବି ତାହାର ବ୍ୟତିକ୍ରମ ଘଟିନି। ବାଚସ୍ପତି ନିର୍ବାଚନ ପୂର୍ବରୁ ସରକାରୀ ଦଳ ବିରୋଧୀ ଦଳଙ୍କ ସହ ଆଲୋଚନା କରିବା ଉଚିତ। ଯଦିଓ ବିରୋଧୀ ଦଳ ପକ୍ଷରୁ କେହି ନାମାଙ୍କନ ପ୍ରାର୍ଥୀ ଦାଖଲ କରି ନ ଥିଲେ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବକୁ ଆମେ ଗ୍ରହଣ କରିନେଇଛୁ। ତେବେ ଶାସକ ଦଳ ପ୍ରସ୍ତାବ ଦେବା ଆଗରୁ ବିରୋଧୀ ଦଳକୁ ବିଶ୍ବାସକୁ ନେବା ପାଇଁ ଗୃହରେ ଏକ ପରମ୍ପରା ରହୁ। ବର୍ତ୍ତମାନର ବାଚସ୍ପତି ଶ୍ରୀ ଆରୁଖଙ୍କର ବିଶାଳ ଅନୁଭୂତି ରହିଛି ଓ ବିଭିନ୍ନ ପଦପଦବିରେ ସେ କାର୍ଯ୍ୟ କରିଛନ୍ତି। ବାଚସ୍ପତି ଭ‌ାବେ ସେ ନିରପେକ୍ଷ ରହିବା ପାଇଁ ଚେଷ୍ଟା କରିବେ ବୋଲି ବିଶ୍ବାସ ଅଛି। ଆପଣ ବିରୋଧୀ ଦଳକୁ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। କାରଣ ସରକାରୀ ଦଳର ଯେପରି ସଂଖ୍ୟା ଗରିଷ୍ଠତା ଅଛି, ସେମାନେ ଚାହିଁଲେ ଏକଛତ୍ରବାଦ ପ୍ରତିଷ୍ଠା କରିପାରିବେ। କିଛି ଜାଗାରେ ଏମିତି ଉଦ୍ୟମ କରୁଛନ୍ତି ଓ ସଫଳ ହେଉଛନ୍ତି। ସେହି ସମୟରେ ବାଚସ୍ପତିଙ୍କ କର୍ତ୍ତବ୍ୟ ଗୁରୁତ୍ବପୂର୍ଣ୍ଣ ହେବ।

ସିପିଆଇ(ଏମ୍‌) ବିଧାୟକ ଶ୍ରୀ ମୁଣ୍ଡା କହିଥିଲେ ଯେ ନୂଆ ବାଚସ୍ପତି ନିଜର ଅଭିଜ୍ଞତାକୁ ପାଥେୟ କରି ଗୃହ ସୁପରିଚାଳନା କରିବା ସହ ଗଣତନ୍ତ୍ରର ମୂଲ୍ୟବୋଧ ଓ ଗୃହର ଗାରିମା ବଜାୟ ରଖିବେ ବୋଲି ଆଶା ରହିଛି।

ବାଚସ୍ପତି ଶ୍ରୀ ଆରୁଖ ସର୍ବସମ୍ମତିକ୍ରମେ ତାଙ୍କୁ ନିର୍ବାଚିତ କରିଥିବାରୁ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଏହି ଗୃହର ପଦମର୍ଯ୍ୟାଦା ରକ୍ଷା କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ବ ଓ କର୍ତ୍ତବ୍ୟ। ଏହି ପଦମର୍ଯ୍ୟାଦା ରକ୍ଷା କରିବାକୁ ଆପଣମାନେ ଆନ୍ତରିକ ସ‌ହଯୋଗ କରିବେ ବୋଲି ଆଶା। ଅତୀତରେ ଏହି ଗୃହରେ ଯେଉଁ ଦାୟିତ୍ବରେ ମୁଁ ରହିଛି, ତାହାକୁ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତଙ୍କ ସହଯୋଗ ପାଇଛି। ଆଗାମୀ ଦିନରେ ଗଣତନ୍ତ୍ରର ମନ୍ଦିରର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବାକୁ ସମସ୍ତେ ସହ‌ଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe