ଦଶପଲ୍ଲା: ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଲୁରୁକୁମ୍ପା ପଞ୍ଚାୟତ ଉପରଡିକିରି ଗ୍ରାମରେ କୋଠଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ମିଳୁନି ବିଲ୍। ଏହାର ପ୍ରତିବାଦରେ ଆଜି କାମ କରିଥିବା ଗ୍ରାମର କିଛି ବ୍ୟକ୍ତି ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ ଗ୍ରାମରେ ଏକ କୋଠଘର ନିର୍ମାଣ ପାଇଁ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସରପଞ୍ଚ ବବିତା ନାୟକଙ୍କ ସ୍ବୀକୃତି ମୁତାବକ ଗ୍ରାମବାସୀଙ୍କ ତତ୍ତ୍ବାବଧାନରେ ଯୁବଗୋଷ୍ଠୀ ଉକ୍ତ କାର୍ଯ୍ୟ କରିଥିଲେ। ଗତ ୩ ବର୍ଷ ହେଲା ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ମାତ୍ର ୩୮ ହଜାର ଟଙ୍କା ବିଲ୍ ପୈଠ କରାଯାଇଛି। ଏଣେ ଯୁବଗୋଷ୍ଠୀ ଧାରକରଜ କରି ବିଭିନ୍ନ ସାମଗ୍ରୀ ଆଣିଥିବା ବେଳେ ଏହାର ବିଲ୍ ପାଇଁ ସରପଞ୍ଚ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି। ସରପଞ୍ଚଙ୍କ କଥା ଅନୁଯାୟୀ ଫାଉଣ୍ଡେସନ୍ ପ୍ଲାଷ୍ଟର ସହ ବିଭିନ୍ନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜିକାଲି କହି ଦିନ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି। ଏନେଇ ଆଜି କାମ କରିଥିବା ମହିଳା ଓ ପୁରୁଷ ମାନେ ବିଡିଓଙ୍କ ନିକଟରେ ଫେରାଦ୍ ହୋଇ ଘଟଣାର ତଦନ୍ତ କରି ବକେୟା ବିଲ୍ ପୈଠ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।
କୋଠଘର ନିର୍ମାଣ କରି ମିଳୁନି ବିଲ୍
Advertisment
Follow Us