ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ

Advertisment
ପରଲୋକରେ ବୀଣାପାଣି ମହାନ୍ତି: ସତୀଚଉରାରେ ରାଷ୍ଟ୍ରୀୟ  ମର୍ଯ୍ୟାଦା ସହ ଶେଷକୃତ୍ୟ ଆଜି

Photo: The Samikhsya

କଟକ: ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ଆଉ ନାହାନ୍ତି । ସେ ରବିବାର ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ପଦ୍ମଶ୍ରୀ ପ୍ରାପ୍ତ ବୀଣାପାଣି ମହାନ୍ତି ଓଡିଆ ଗାଳ୍ପିକା ଭାବେ ବେଶ ପରିଚିତ ଥିଲେ । ସେ ୧୯୩୬ ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବୀଣାପାଣି ମହାନ୍ତି ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟକରି ସେଥିରୁ ଅବସର ନେଇଥିଲେ । ୨୦୨୦ରେ ସେ ତାଙ୍କର ସାହିତ୍ୟିକ କୃତି ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଓଡିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ‘ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ’ ଲାଭ କରିଥିଲେ। ସେହିପରି କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ସେ ଓଡିଶା ଲେଖିକା ସଂସଦର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ସେ ୧୯୫୩ରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇଥିଲା । ୧୯୬୦ରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରି ୧୯୯୨ରେ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ଥିଲେ।

ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆଦରି ନେଇଥିଲେ । ୧୯୫୫ରେ ତାଙ୍କର ପ୍ରଥମ କବିତା ‘ତନ୍ଦ୍ରାହତ’ ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ରେ ତାଙ୍କର ପ୍ରଥମ ଗଳ୍ପ ‘ଗୋଟିଏ ରାତ୍ରୀର କାହାଣୀ’ ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ରେ ତାଙ୍କ ଗଳ୍ପ “ନାଉଗଛ” ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଦେବାପରେ କବିତାରୁ ମନ ଲେଉଟାଇ ଗଳ୍ପ ଲେଖିବାରେ ମନୋନିବେଶ କରିଥିଲେ। ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗଳ୍ପ ରୂପ ଦେବାରେ ବୀଣାପାଣି ସିଦ୍ଧହସ୍ତ।  ‘ନାଉଗଛ’ ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା । ଏଭଳି ଅନେକ ଗଳ୍ପ ତାଙ୍କର ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe