ବୀଣାପାଣି ମହାନ୍ତିଙ୍କୁ ଦିଆଗଲା ‘ଅତିବଡ଼ୀ ପୁରସ୍କାର’

Advertisment
ବୀଣାପାଣି ମହାନ୍ତିଙ୍କୁ ଦିଆଗଲା ‘ଅତିବଡ଼ୀ ପୁରସ୍କାର’

କଟକ : ପ୍ରଥିତଯଶା କଥାକାର ବୀଣାପାଣି ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ କରାଯାଇଛି। ଆଜି ଏକାଡେମିର ସ୍ବନକ୍ଷତ୍ର ଦିବସ ଅବସରରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କ କଟକସ୍ଥିତ ବାସଭବନରେ ପହଞ୍ଚି ମାନପତ୍ର, ଉତ୍ତରୀୟ ସହିତ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରି ବୀଣାପାଣି ମହାନ୍ତିଙ୍କୁ ସମ୍ମାନିତ କରିଛନ୍ତି।

ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତି ତାଙ୍କ ପୁରସ୍କାର ପ୍ରାପ୍ତି ପ୍ରତିକ୍ରିୟାରେ କହିଥିଲେ ଯେ, ଏହା ତାଙ୍କ ପାଇଁ ଗର୍ବର ବିଷୟ। ସଂସ୍କୃତି ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳ ତାଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ତେଣୁ ଏହି ସମ୍ମାନକୁ ସେ ସାଦରେ ଗ୍ରହଣ କରୁଛନ୍ତି। ଉତ୍କଳ ଲେଖିକା ସଂଘ ପାଇଁ ସରକାରୀ ସୁବିଧା ଯୋଗାଇ ଦେ‌ଲେ ସଦସ୍ୟାମାନେ ଅଧିକ ଉପକୃତ ହେବା ସହ ଲେଖାପ୍ରତି ଉତ୍ସାହିତ ହୁଅନ୍ତେ ବୋଲି ସେ ଏହି ଅବସରରେ କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଥିଲେ ଯେ, ପରିସ୍ଥିତି ସ୍ବାଭାବିକ ରହିଥିଲେ ରବୀନ୍ଦ୍ର ମଣ୍ଡପରେ ଏକ ଭବ୍ୟ ସମାରୋହରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥାନ୍ତା। କିନ୍ତୁ ସମୟକୁ ଦୃଷ୍ଟିରେ ରଖି ଏହାକୁ ନିରାଡ଼ମ୍ବର ଭାବେ ପ୍ରଦାନ କରାଯାଉଛି। ସଂସ୍କୃତି ବିଭ‌ାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ବୀଣାପାଣିଙ୍କୁ କଥା ସାହିତ୍ୟର ପାଟଦେଈ ବୋଲି ଉଲ୍ଲେଖ କରି ତାଙ୍କ ସୁନାମ କେବଳ ରାଜ୍ୟରେ ନୁହେଁ; ସମଗ୍ର ଦେଶର ସାହିତ୍ୟ କ୍ଷେତ୍ରରେ ରହିଛି ବୋଲି କହିଥିଲେ। ଏହି ଅବସରରେ ଏକାଡେମିର ସଚିବ ସୁଚିସ୍ମିତା ମନ୍ତ୍ରୀ ପ୍ରଶସ୍ତିପତ୍ର ପାଠ କରିଥିଲେ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମଧ୍ୟ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe