ପୁରୀ : ଅବସରପ୍ରାପ୍ତ ଅଗ୍ନିଶମ ଡିଜି ବିନୟ ବେହେରାଙ୍କର ଆଜି ସ୍ୱର୍ଗଦ୍ଵାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାଙ୍କର ମୃତଦେହ ଏଠାରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବରିଷ୍ଠ ପୁଲିସ୍ ଅଧିକାରୀମାନେ ସ୍ୱର୍ଗଦ୍ଵାରରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ରାଜ୍ୟ ଗୃହନିର୍ମାଣ ନିଗମ ଅଧ୍ୟକ୍ଷ ଭୂପିନ୍ଦର ସିଂହ, ଏଡିଜି ମନୋଜ ଛାବ୍ରା, ଅତିରିକ୍ତ ଗୃହ ସଚିବ ଅଶୋକ ପୃଷେଠ୍, ପୁଲିସ ଆଇଜି ଅସିତ ପାଣିଗ୍ରାହୀ ଓ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଏସ୍ପି ଡା. ସାର୍ଥକ ଷଡ଼ଙ୍ଗୀ, ଶିଳ୍ପପତି ପପୁ ହଂସ୍ଙ୍କ ସମେତ ଭାଇ ଅଜୟ ବେହେରା ଓ ଦୁୁଇ ପୁଅ ବୈଭବ ଓ ଅର୍ଣ୍ଣବ ଉପସ୍ଥିତ ଥିଲେ। ବଡ଼ପୁଅ ବୈଭବ ମୁଖାଗ୍ନି ଦେଇଥିବା ବେଳେ ସହରରେ ଥିବା ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ, ଅଗ୍ନିଶମ ସେବା ସଂସ୍ଥା ଅଧିକାରୀ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିଥିଲେ। ୧୯୯୩ ମସିହାରେ ସ୍ୱର୍ଗତ ବେହେରା ଏଠାରେ ଏସ୍ପି ଥିଲା ବେଳେ ନିଜ କାର୍ଯ୍ୟଦକ୍ଷତା ତଥା ବ୍ୟକ୍ତିଗତ ଆଚରଣ ଲାଗି ସହରବାସୀଙ୍କର ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ। ସହରର ଅନେକ ବରିଷ୍ଠ ନାଗରିକ ଏହାର ସ୍ମୃତିଚାରଣ କରି ତାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ। ୧୯୫୭ ମସିହାରେ କଳାହାଣ୍ଡିର ଜୁନାଗଡ଼ରେ ଜନ୍ମ ଗ୍ରହଣ କରିଥିବା ୧୯୮୨ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ଅଗ୍ନିଶମ ସେବା ସଂସ୍ଥାର ଡିଜି ଭାବେ ଗତ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ। ନିକଟ ଅତୀତରେ ରାଜ୍ୟର ପ୍ରଥମ ଜୀବନ ରକ୍ଷକ ଜେଟ୍ସ୍କିକୁ ପୁରୀ ସମୁଦ୍ରରେ ଚଳାଇ ଉଦ୍ଘାଟନ କରିଥିଲେ। ଏହା ଥିଲା ତାଙ୍କର ଶେଷ ପୁରୀ ଗସ୍ତ। ପ୍ରତିଶ୍ରୁତିବଦ୍ଧତା ଓ କର୍ମଠ ଜୀବନଚର୍ଯ୍ୟା ପାଇଁ ସେ ସବୁଦିନ ମନେ ରହିବେ ବୋଲି ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କହିଥିଲେ।
ବିନୟ ବେହେରାଙ୍କ ଶେଷକୃତ୍ୟ ସମ୍ପନ୍ନ
Advertisment
Follow Us