ଖଳନାୟକ ନୁହେଁ, ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ନାୟକ

Advertisment
ଖଳନାୟକ ନୁହେଁ, ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ନାୟକ

ଭୁବନେଶ୍ବର (ଶିବଶଙ୍କର ଓଝା) : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଆକସ୍ମିକ ବିୟ‌ୋଗ ମନୋରଞ୍ଜନ ଜଗତ ପାଇଁ ଏକ ଶକ୍ତ ଧକ୍କା। ଯଦିଓ ଅଭିନୟ ଦୁନିଆରେ ସେ ଖଳନାୟକୀ ଲାଗି ପରିଚୟ ଅର୍ଜନ କରିଥିଲେ, ବାସ୍ତବରେ ଜଣେ ଖଳନାୟକ ନୁହେଁ, ବରଂ ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ନାୟକ ଥିଲେ ରାଇମୋହନ। ସେ ଆଜି ରାଜଧାନୀର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି।

୧୯୬୩ ମସିହା ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ। ପିଲାଟି ଦିନରୁ ଅଭିନେତା ହେବାର ସ୍ବପ୍ନରେ ବିଭୋର ଥିଲେ ସେ। ଅଭିନୟ ପ୍ରତି ଥିବା ଏହି ଦୁର୍ବଳତା ତାଙ୍କୁ  ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇବାକୁ ପ୍ରେରିତ କରିଥିଲା। ସେଠାର ସେ ଅଭିନୟ କଳାରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ଚଳଚ୍ଚିତ୍ରରେ ପ୍ରବେଶ ଲାଗି ସଂଘର୍ଷ ଆରମ୍ଭ କରିଥିଲେ। ୧୯୮୬ ମସିହା ଫେବ୍ରୁଆରି ୧୦ ତାରିଖରେ ମୁକ୍ତିଲାଭ କରିଥିବା ରାଜେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶିତ ‘ସାଗର’ରେ ପ୍ରଥମେ ନଜର ଆସିଥିଲେ। ରାଜେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ, ରାଇମୋହନ ଥିଲେ ତାଙ୍କ ଶାଳକଙ୍କର ସାଙ୍ଗ। ଯେତେବେଳେ ‘ସାଗର’ର ନିର୍ମାଣ କରିବା ଲାଗି ଯୋଜନା କଲେ , ସେତେବେଳେ ଶାଳକଙ୍କ ଅନୁରୋଧରେ ରାଇମୋହନଙ୍କୁ ସୁଯୋଗ ଦେଇଥିଲେ।

ତାପରେ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ରେ ଦେଖା ଦେଇଥିଲେ।ତାପରେ ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ‘ପକାକମ୍ବଳ ପୋତ ଛତା’ରେ ତାଙ୍କୁ ମିଳିଥିଲା ଏକ ଛୋଟିଆ ଚରିତ୍ରରେ। ବସନ୍ତ ନାୟକଙ୍କ ପ୍ରଯୋଜିତ ଏହି ସୁପରହିଟ୍‌ ସିନେମାର ନିର୍ଦ୍ଦେଶକ ଥିଲେ ପ୍ରଶାନ୍ତ ନନ୍ଦ। ଏଥିରେ ତାଙ୍କୁ ମିଳିଥିଲା ଏକ ଗୁଣ୍ଡା ଚରିତ୍ର। ଏଇଠାରୁ ହିଁ ସେ ଖଳନାୟକୀରେ ପାଦ ରଖିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ।

ତେବେ ରାକେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଦାଦାଗିରି’ ଓ ପ୍ରଖ୍ୟାତ ନିର୍ଦ୍ଦେଶକ ଡି. ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ‘କୋଟିଏ ମଣିଷ ଗୋଟି ଜଗା’ରେ ଖଳନାୟକ ଚରିତ୍ରରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ଏହାପରେ ରାଇମୋହନ ଆଉ ପଛକୁ ଫେରିଚାହିଁନଥିଲେ। ଏହାପରେ ତାଙ୍କୁ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି। ତାଙ୍କ ଅଭିନୀତ ଲୋକପ୍ରିୟ ସିନେମା ମଧ୍ୟରେ ରହିଛି ଦାଦାଗିରି, କୋଟିଏ ମଣିଷ ଗୋଟିଏ ଜଗା, ଉଦଣ୍ଡୀ ସୀତା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ରଖିଲେ ଶିବ ମାରିବ କିଏ, ସକଳ ତୀର୍ଥ ତୋ ଚରଣେ,  ସୁନା ସଂସାର, ସ୍ତ୍ରୀ, ରଣଭୂମି, ଜନ୍ମଦାତା, ରାଖି ଭିଜିଗଲା ଆଖି ଲୁହରେ, ରାମଲକ୍ଷ୍ମଣ, କୃଷ୍ଣା କାବେରୀ, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଲକ୍ଷ୍ମୀ ପ୍ରତିମା, ଧର୍ମନିକିତ,  ଅର୍ଜୁନ, ମେଣ୍ଟାଲ୍‌, ‘ତୁ ମୋ’ ସୁନା ଚଢେଇ’, ‘ମିଷ୍ଟର ମଜନୁ’ଏବଂ ‘ବିଶ୍ବନାଥ’ ଆଦି ସମେତ ୮୦ରୁ ଅଧିକ ଓଡ଼ିଆ ସିନେମା। ରାଇମୋହନ ଓଡ଼ିଆ ସିନେଜଗତର ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ସେ ପ୍ରଶାନ୍ତ ନନ୍ଦ, ଡି ବିଜୟ ଭାସ୍କର, ମହମ୍ମଦ ମହସୀନ, ପ୍ରଣବ ଦାସ, ହର ପଟ୍ଟନାୟକ, ରବି କିନ୍ନାଗୀ, ଅବତାର ସିଂହ, ସଂଗ୍ରାମ ବିଶ୍ବାଳ, ସୁଧାଂଶୁମୋହନ ସାହୁ, ଅଶୋକ ପତି, ସଞ୍ଜୟ ନାୟକ ଓ ଦିଲୀପ ପଣ୍ଡା ପ୍ରମୁଖଙ୍କ ଫିଲ୍ମରେ ନଜର ଆସିଥିଲେ।

publive-image argus news

ରାଇମୋହନଙ୍କ କେତେକ ସିନେମାର ସଂଳାପ ଆଜି ବି ବେଶ ଲୋକପ୍ରିୟ। ସେଥିମଧ୍ୟରୁ ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ରଣଭୂମି ଫିଲ୍ମର ‘ଅନାନି… ’ସର୍ବାଧିକ ଚର୍ଚ୍ଚିତ। ଖାଲି ଖଳନାୟକ ନୁହେଁ ବରଂ ରାଇମୋହନ ‘ଅର୍ଜୁନ’ ସମେତ କେତୋଟି ହାତଗଣତି ଓଡ଼ିଆ ଛବିରେ ପଜିଟିଭ୍ ରୋଲ୍ ବି କରିଥିଲେ। ଏଥିରେ ତାଙ୍କର ଅଭିନୟ ଦର୍ଶକଙ୍କ ମନ ଛୁଇଁଥିଲା। ବାସ୍ତବରେ ସେ ଥିଲେ ଜଣେ ନିଚ୍ଛକ ଅଭିନେତା। ଯେଉଁ ଚରିତ୍ର ମିଳିଲେ ବି ତାହାକୁ ଜୀବନ୍ତ ଭାବେ ଫୁଟାଉ ଥିଲେ।

ଏଣେ ଏବେ ବି ରାଇମୋହନଙ୍କ ଅଭିନୀତ କେତୋଟି ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥି ମଧ୍ୟରେ ରହିଛି ଧରମାରେ, ବାଜିବ ଲୋ ସାହାନାଇ, ରକ୍ଷକ ଓ ତୋ ପାଇଁ କିଛି ବି କରିପାରେ ଇତ୍ୟାଦି। ଏଥିମଧ୍ୟରୁ ‘ଧରମାରେ’ ଫିଲ୍ମରେ ରାଇମୋହନଙ୍କୁ ଐତିହାସିକ ଚରିତ୍ର ଲାଙ୍ଗୁଳା ନରସିଂହ ଦେବ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇବେ।

କେବଳ ଓଡ଼ିଆ ସିନେମାରେ ନୁହେଁ, ସେ କେତୋଟି ଓଡ଼ିଆ ‌ମେଗା ଧାରାବାହିକରେ ବି ଅଭିନୟ କରିଥିଲେ। ମଞ୍ଜରୀ ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ସିଂହଦ୍ବାର’ରେ ରାଇମୋହନଙ୍କୁ ଦର୍ଶକ ଦେଖିବାକୁ ପାଇଥିଲେ। ‌‌ସେ ଯାତ୍ରାଜଗତର ଜଣେ ଚର୍ଚ୍ଚିତ କଳାକାର। ତାଙ୍କୁ ଯଲିଉଡର ଜଣେ  ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର ବୋଲି କୁହାଯାଏ। ବରିଷ୍ଠ ଅଭିନେତା  ରାଇମୋହନ ପରିଡ଼ାଙ୍କ ବିୟୋଗରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe