ଏସ୍‌ସିବିରେ ବାୟୋମେଟ୍ରିକ୍ସ ପାଇଁ ୧୦ ଲକ୍ଷ ଖର୍ଚ୍ଚ: ଏନ୍‌ଏମ୍‌ସି ଯାଉଯାଉ ଅଚଳ ହେଇଗଲା ମେସିନ୍‌

Advertisment
ଏସ୍‌ସିବିରେ ବାୟୋମେଟ୍ରିକ୍ସ ପାଇଁ ୧୦ ଲକ୍ଷ ଖର୍ଚ୍ଚ: ଏନ୍‌ଏମ୍‌ସି ଯାଉଯାଉ ଅଚଳ ହେଇଗଲା ମେସିନ୍‌

Justdial

କଟକ : ଏନ୍‌ଏମ୍‌ସି ଅନୁଧ୍ୟାନର ଠିକ ଦିନକ ପରେ ଅଚଳ ହୋଇଗଲା ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାୟୋମେଟ୍ରିକ୍ସ ଉପସ୍ଥାନ ବ୍ୟବସ୍ଥା। ଏସ୍‌ସିବିର ବାୟୋମେଟ୍ରିକ୍ସ ବ୍ୟବସ୍ଥା ସୋମବାରଠାରୁ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ବିଭିନ୍ନ ବିଭାଗରେ ଲାଗିଥିବା ସବୁ ମେସିନ୍‌ ଅଚଳ ହୋଇ ପଡିଛି। ଡାକ୍ତରମାନେ ନିଜ ନିଜ ବିଭାଗରେ ନିର୍ଦ୍ଧାରିତ ସମୟରେ ଆସି ଅଙ୍ଗୁଳି ଛାପ ଦେଇଥିଲେ ବି ତାହା ନେଇ ନଥିଲା। ଫଳରେ ଏ ସଂପର୍କରେ ବିଭାଗୀୟ ମୁଖ୍ୟମାନେ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଅନ୍ୟପଟେ କିଛି ବିଭାଗ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଅଙ୍ଗୁଳି ଛାପ ଦେଇଥିଲେ।

ସୂଚନାଯୋଗ୍ୟ ଯେ ନ୍ୟ‌ାସନାଲ ମେଡିକାଲ କମିସନ (ଏନ୍‌ଏମ୍‌ସି)ର ନିର୍ଦ୍ଦେଶନାମା ଅନୁସାରେ ପ୍ରତି ମେଡିକାଲ କଲେଜରେ ବାୟୋମେଟ୍ରିକ୍ସ ବ୍ୟବସ୍ଥା ରହିବ। ପ୍ରତିଦିନ କେତେ ପ୍ରତିଶତ ଡାକ୍ତରଙ୍କ ଉପସ୍ଥାନ ରହୁଛି ସେ ସଂପର୍କରେ ସିଧାସଲଖ ଏନ୍‌ଏମ୍‌ସି ପାଖରେ ତଥ୍ୟ ରହିବ। ୫/୬ଦିନ ହେଲା ଏସ୍‌ସିବିରେ ଏହି ବ୍ୟବସ୍ଥା ପରୀକ୍ଷା ଭିତ୍ତିରେ ଆରମ୍ଭ ହୋଇଥିବାବେଳେ ସୋମବାରଠାରୁ ତାହା ବିଧିବଦ୍ଧଭାବେ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୩ରୁ ୨୨ ତାରିଖ ଭିତରେ ଏନ୍‌ଏମ୍‌ସି ପ୍ରତିନିଧିମଣ୍ଡଳୀ ଏସ୍‌ସିବି ପରିଦର୍ଶନରେ ଆସିବାର କାର୍ଯ୍ୟକ୍ରମ ଥିବାରୁ ତା ପୂର୍ବରୁ ଏହାକୁ ଏସ୍‌ସିବିରେ କାର୍ଯ୍ୟକାରୀ କରାଯାଇଥିଲା। ଜିଇଡି ବିଭାଗ ପକ୍ଷରୁ ଏସ୍‌ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ବିଭାଗରେ ୪୧ଟି ବାୟୋମେଟ୍ରିକ୍ସ ମେସିନ ଲଗାଯାଇଥିଲା। ଏଥିପାଇଁ ପାଖାପାଖି ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥି ପାଇଁ ରାଜ୍ୟ ବାହାରୁ ବାୟୋମେଟ୍ରିକ୍ସ ମେସିନ କିଣା ଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ପ୍ରଫେସର୍‌, ଆସୋସିଏଟ୍‌ ପ୍ରଫେସର୍‌, ଆସିଷ୍ଟାଣ୍ଟ ପ୍ରଫେସର୍‌ ଓ ସିନିୟର୍‌ ରେସିଡେଣ୍ଟଙ୍କୁ ମିଶାଇ ୬୪୦ ଜଣଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା। ଗତକାଲି ଏନ୍‌ଏମ୍‌ସି ପ୍ରତିନିଧିମଣ୍ଡଳୀ ଏସ୍‌ସିବି ପରିଦର୍ଶନ କରି ଯିବା ସହ ବାୟୋମେଟ୍ରିକ୍ସ ବ୍ୟବସ୍ଥାର ଅନୁଧ୍ୟାନ ବି କରିଥିଲେ। ହେଲେ ଏନ୍‌ଏମ୍‌ସି ପ୍ରତିନିଧି ଯିବା ପରେ ଆଜି ଏସ୍‌ସିବିର କୌଣସି ବିଭାଗରେ ବାୟୋମେଟ୍ରିକ୍ସ ଆଉ କାମ କରି ନଥିଲା। ବାୟୋମେଟ୍ରିକ୍ସ କାମ ନ କରିବାର କାରଣ ଦୁର୍ବଳ ନେଟୱର୍କ ବୋଲି ଜିଇଡି ବିଭାଗ ଯନ୍ତ୍ରୀ ସୋମେନ୍‌ ସାହୁ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ଏହାକୁ ଚାଲୁ କରିବା ପାଇଁ ଏବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଅନ୍ୟପଟେ ବାୟୋମେଟ୍ରିକ୍ସ ମେସିନ୍‌ର ମାନ ଠିକ ନ ଥିବାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe