ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ : ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଲାଗି ସରକାରଙ୍କ ଅନୁମୋଦନ

ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ : ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଲାଗି ସରକାରଙ୍କ ଅନୁମୋଦନ

ଭୁବନେଶ୍ବର : ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ରାଜ୍ୟ ସରକାର ଆଜି କନିକାର ପ୍ରଜାନେତା, ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆସନ୍ତା ୧୬ ତାରିଖ ଦିନ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ଜୟନ୍ତୀ ପାଳନ କରାଯିବ।

କନିକାର ପ୍ରଜାନେତା ତଥା ପୂର୍ବତନ ବିଧାୟକ ଚକ୍ରଧର ବେହେରାଙ୍କ ସ୍ମୃତିରକ୍ଷା ପାଇଁ ଚକ୍ରଧର ସ୍ମୃତି ସମିତିର ନିବେଦନ କ୍ରମେ ରାଜ୍ୟ ସଂସ୍କୃତି ବିଭାଗ ଗତ ଜାନୁଆରିରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତି ପ୍ରତିଷ୍ଠା କରିଥିଲେ। ଏହାପରେ ବିପ୍ଳବୀ ଚକ୍ରଧରଙ୍କ ସ୍ମୃତିରକ୍ଷା ପାଇଁ ସ୍ମୃତି ସମିତିର ସଭାପତି ଗୌରହରି ଦାସ ମୁଖ୍ୟମନ୍ତ୍ରୀ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଆବେଦନ କରିଥିଲେ। ଏହି ପ୍ରସ୍ତାବର ସୁପାରିସ କରି ବିଭିନ୍ନ ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଷ୍ଣୁ ସେଠୀ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବ୍ୟୋମକେଶ ରାୟ ମଧ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏସବୁ ସୁପାରିସ ଓ ପ୍ରସ୍ତାବକୁ ବିଚାର କରି ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ ଓ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ଭଦ୍ରକ ଜିଲ୍ଲାବାସୀ ତଥା ଚକ୍ରଧର ଅନୁଗାମୀମାନେ ସ୍ବାଗତ କରିଛନ୍ତି। କେବଳ ସେତିକି ନୁେହଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ େଲାକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।

ସ୍ମୃତି ସମିତିର ସଭାପତି ଗୌରହରି ଦାସ ଜଣାଇଛନ୍ତି ଯେ ୧୬ ତାରିଖ ସକାଳେ ରାଜଭବନ ଛକ ନିକଟ ବିପ୍ଳବୀ ଚକ୍ରଧରଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ। ସନ୍ଧ୍ୟାରେ ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ରାଜଧାନୀରେ ରହୁଥିବା ଭଦ୍ରକ ଜିଲ୍ଲାବାସୀ ଓ ସବୁବର୍ଗର ବୁଦ୍ଧିଜୀବୀଙ୍କୁ ସମିତି ପକ୍ଷରୁ ନରହରି ସେଠୀ, ଧୀରେନ୍ଦ୍ର ବେହେରା ଓ ଶାନ୍ତିଲତା ନାଗ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe