ଜାନୁଆରି ପହିଲାରୁ ହୀରାକୁଦରେ ପକ୍ଷୀ ଗଣନା

ଜାନୁଆରି ପହିଲାରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର: ଶୀତ ଆସିବା ସହ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ହ୍ୱିସିଲିଙ୍ଗ ଡକ, ସ୍ପଟ ବିଲ ଡକ, ବାର୍ଡେଡ୍ ବଲ୍କ, କମନ ପୋଚାଡ୍, ଗଲ, ରେଡିସେଲ ଡକ୍ ପ୍ରଜାତିର ପକ୍ଷୀମାନେ ହୀରାକୁଦ ଜଳଭଣ୍ଡାରରେ ପହଞ୍ଚି ସାରିଛନ୍ତି। ତେବେ ସବୁବର୍ଷ ଭଳି ପକ୍ଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏ ବର୍ଷ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ କୋଟପଲ୍ଲି ପ୍ରତାଙ୍କ ସୂଚନା ଅନୁଯାୟୀ ଆସନ୍ତା ଜାନୁଆରି ପ୍ରଥମ ସପ୍ତାହ (ଜାନୁଆରି ୫ ତାରିଖ ପରେ)ରୁ ବିଦେଶାଗତ ପକ୍ଷୀମାନଙ୍କର ଗଣନା କରାଯିବ। ବରଗଡ, ଝାରସୁଗୁଡା ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ମିଳିତ ଭାବେ ଏହି ଗଣନା କରାଯିବ ବୋଲି ସେ କହିଛନ୍ତି। ଜିରୋ ପଏଣ୍ଟ, ପାର୍ବତୀ ଟାଙ୍ଗ, ଗୋବିନ୍ଦପୁର ଓ ବାରଖଣ୍ଡିଆଠାରେ ସ୍ବତନ୍ତ୍ର ଟିମ୍ ପକ୍ଷୀମାନଙ୍କୁ ମୋନିଟରିଂ କରିବା ସହ ଚିହ୍ନଟ କରିବେ।

ବିଦେଶାଗତ ପକ୍ଷୀମାନେ ହୀରାକୁଦ ନଦୀବନ୍ଧର ପାୱାର ଚେନାଲ, ଭିତରେ ଥିବା କୁଦ, ପାଖରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟ, ବାରଖଣ୍ଡିଆ, ରେଙ୍ଗାଲି, ଡାଇକ ଆଦ ସ୍ଥାନରେ ଅବସ୍ଥାନ କରିଥାନ୍ତି। ତେଣୁ ଏହି ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ପକ୍ଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪ଟି ଟିମ୍ ଗଠନ କରାଯିବା ସହ ୩୦ କର୍ମଚାରୀ ପକ୍ଷୀମାନଙ୍କ ସୁରକ୍ଷା ଦାୟିତ୍ବରେ ରହିବେ। ବୋଟ୍ ସାହାଯ୍ୟରେ ହୀରାକୁଦ ନଦୀବନ୍ଧ ଅଞ୍ଚଳରେ ପାଟ୍ରୋଲିଂ ମଧ୍ୟ କରାଯିବ। ଏହା ସହ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଉଥିବା ଶ୍ରୀ ପ୍ରତାପ କହିଛନ୍ତି। ଚଳିତବର୍ଷ ଅନୁକୂଳ ପାଗ ରହିଥିବାରୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଏହି ବିଦେଶାଗତ ପକ୍ଷୀମାନେ ଏହି ଅଞ୍ଚଳରେ ପାଖାପାଖି ୩ରୁ ୪ ମାସ ରହି ଫେବ୍ରୁଆରି ଶେଷ ଆଡ଼କୁ ପ୍ରତ୍ୟାବର୍ତ୍ତନ କରିଯାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe