ବାର୍ଡ ଫ୍ଲୁ ସତର୍କତା : ପର୍ଯ୍ୟଟକଙ୍କୁ ନଳବଣ ମନା

ତୃତୀୟ ଦିନରେ ୩୬୦୦ କୁକୁଡ଼ା ମରାଗଲା

ବାର୍ଡ ଫ୍ଲୁ ସତର୍କତା : ପର୍ଯ୍ୟଟକଙ୍କୁ ନଳବଣ ମନା

ବ୍ରହ୍ମଗିରି : ବାର୍ଡ ଫ୍ଲୁ’କୁ ଦୃଷ୍ଟିରେ ରଖି ଚିଲିକାର ପକ୍ଷୀ ଅଭୟାରଣ୍ୟ ‘ନଳବଣ’କୁ ନ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ସତର୍କ କରାଇ ଦିଆଯାଇଛି। ସାଧାରଣତଃ ଶୀତ ଋତୁରେ ବିଦେଶୀ ପକ୍ଷୀଙ୍କ କଳରବରେ ଫାଟି ପଡ଼ୁଥିବା ନଳବଣରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। କିନ୍ତୁ ବାର୍ଡ ଫ୍ଲୁ ସତର୍କତା ପାଇଁ ଆଜିଠାରୁ ସେଠାକୁ ଯିବା ପାଇଁ ବାରଣ ହୋଇଥିବାରୁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି।

ନଳବଣର ୧୫.୫ କିଲୋମିଟର ନିଷିଦ୍ଧାଞ୍ଚଳକୁ ଛାଡ଼ିଦେଲେ ନଳବଣର ଅନ୍ୟ ଅଞ୍ଚଳକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ବନ ବିଭାଗର ଅନୁମତି ନେବାକୁ ପଡ଼ି ନଥାଏ। କିନ୍ତୁ କୃଷ୍ଣପ୍ରସାଦ ଇଲାକାରେ ବାର୍ଡ-ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ନଳବଣ ସହିତ ଏହାର ନିଷିଦ୍ଧାଞ୍ଚଳ ବାହାରେ ଥିବା ଅଞ୍ଚଳକୁ ମଧ୍ୟ ଯିବା ଲାଗି ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ସେଠାରେ ବନ ବିଭାଗର ୧୨ଟି ଟିମ୍‌ ଦିନରାତି ପାଟ୍ରୋଲିଂ କରୁଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଳବଣରେ ଥିବା ବିଦେଶୀ ପକ୍ଷୀଙ୍କଠାରୁ ୧୨ଟି ନମୁନା ପରୀକ୍ଷା ପାଇଁ ଭୋପାଳସ୍ଥିତ କେନ୍ଦ୍ରୀୟ ପ୍ରାଣୀ ଚିକିତ୍ସାଳୟ ଗବେଷଣାଗାରକୁ ପଠାଯାଇଛି। ଇତିମଧ୍ୟରେ ଦୁଇଟି ପକ୍ଷୀ ନଳବଣରେ ମରିଥିବା ଜଣାପଡ଼ିଛି। ତେବେ ଏ ସଂପର୍କରେ ବନ ବିଭାଗର କୌଣସି ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ଅନ୍ୟପକ୍ଷରେ ବାର୍ଡ-ଫ୍ଲୁ ରୋକିବାକୁ କୃ‌ଷ୍ଣପ୍ରସାଦ ବ୍ଲକ୍‌ରେ ଆରମ୍ଭ ହୋଇଥିବା କୁକୁଡ଼ାମରା ଅଭିଯାନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆଜି ସକାଳେ ୫ଟି ରୢାପିଡ୍‌ ରେସ୍‌ପନ୍ସ ଟିମ୍‌ ଓ ୩ଟି ସର୍ବେକ୍ଷଣ ଟିମ୍‌ ପ୍ରଭାବିତ ଅଞ୍ଚଳରେ ୩,୬୦୦ କୁକୁଡ଼ା ମାରିଛନ୍ତି। ପ୍ରଭାବିତ ଅଞ୍ଚଳଠାରୁ ଏକ କିଲୋମିଟର ପରିସର ମଧ୍ୟରେ ଥିବା ରେଡ୍‌ ଜୋନ୍‌ରେ ଗତକାଲି କୁକୁଡାମରା ଅଭିଯାନ ଶେଷ ହୋଇଥିଲା। ଆଜି ୧ କିମି ବାହାରକୁ ଯାଇ ଏହି ଟିମ୍‌ କୁକୁଡ଼ା ମାରିଛନ୍ତି। ବ୍ରାହ୍ମଣଦେଓ ଓ ମାଲୁଦ ଇଲକାରେ କୁକୁଡାଗୁଡ଼ିକୁ ମାରି ପୋତି ଦିଆଯାଇଛି। ଏହି ଦୁଇଟି ଇଲାକାରେ ୩୬୦ଟି ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଇଛି। ବାର୍ଡ-ଫ୍ଲୁ ପ୍ରଭାବିତ ଅଞ୍ଚଳର ୧୦ କିଲୋମିଟର ପରିସର ମଧ୍ୟରେ କୁକୁଡାମରା ଅଭିଯାନ ଚାଲିଛି ବୋଲି ସ୍ଥାନୀୟ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଦୟାନିଧି ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe