ମାଛରଙ୍କା ପକ୍ଷୀକୁ ନିର୍ଯାତନା ଭିଡିଓ ଭାଇରାଲ୍‌, ୨ ଗିରଫ

Advertisment
ମାଛରଙ୍କା ପକ୍ଷୀକୁ ନିର୍ଯାତନା ଭିଡିଓ ଭାଇରାଲ୍‌, ୨ ଗିରଫ

ରାଜନଗର : ଚିଙ୍ଗୁଡ଼ିଘେରିରେ ମାଛ ଖାଇଲା ବୋଲି ଭିତରକନିକାର ବିରଳ ପକ୍ଷୀ ମାଛରଙ୍କା (କିଙ୍ଗ୍‌ ଫିସର୍‌)କୁ ଫାଶରେ ଧରି ନିର୍ଯାତନା ଦେବାର ଭିଡିଓ ଭାଇରାଲ୍‌ ‌ହୋଇଛି। ଏହି ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ପୋଷ୍ଟ୍‌ କରିଥିବା ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ପଟ୍ଟାପାରିଆ ଗାଁର ଗୁରୁପଦ ଦଳାଇଙ୍କୁ ରାଜକନିକା ଅଂଚଳର ବନ୍ଧମାଳ ଗାଁରେ ଥିବା ଏକ ଚିଙ୍ଗୁଡ଼ିଘେରିରୁ ଗିରଫ କରାଯାଇଥିବା ବେଳେ ଜମ୍ବୁ ମେରାଇନ୍‌ ଥାନା ଅନ୍ତର୍ଗତ ବେଣାକନ୍ଦା ବଗଗହନ ଅଞ୍ଚଳରେ ଥିବା ଚିଙ୍ଗୁଡ଼ିଘେରିରୁ ସ୍ବାଧୀନ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସୂଚନା ଅନୁସାରେ, ପଟ୍ଟାପାରିଆ ଗାଁର ଗୁରୁପଦ ଓ ବେଣାକନ୍ଦାର ସ୍ବାଧୀନ ଉଭୟ ମିଳିତ ଭାବେ ଫାଶ ଯୋଗେ ଘେରିରେ ମାଛ ଖାଉଥିବା ବେଳେ ଏହି ମାଛରଙ୍କା ପକ୍ଷୀକୁ ଧରିଥିଲେ। ଫାଶରେ ପକ୍ଷୀର ଡ଼ାହାଣ ପଟ ଡେଣା କଟିଯାଇ ରକ୍ତସ୍ରାବ ହେଉଥିଲା। ଏହି ପକ୍ଷୀକୁ ଧରି ଦୁହେଁ ନିର୍ଯାତନା ଦେଇଥିଲେ। ଏହାର ଭିଡିଓ ବି ଉତ୍ତୋଳନ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ରେଂଜ ଅଫିସର ମାନସ କୁମାର ଦାସ, ଫରେଷ୍ଟର ପ୍ରଶାନ୍ତ କୁମାର ସିଂ, ଫରେଷ୍ଟଗାର୍ଡ ସୁନିଲ ରଂଜନ ରାଉତରାୟ ଓ ବନକର୍ମଚାରୀ ସଦଳବଳେ ରାଜକନିକା ଓ ବେଣାକନ୍ଦା ଅଂଚଳରେ ଚଢଉ କରି ୨ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe