ବୀରେନ୍ଦ୍ରଙ୍କ ଉପଲବ୍ଧି ଯୁବପିଢ଼ିଙ୍କୁ ଦେବ ପ୍ରେରଣା

Advertisment

ବୀରେନ୍ଦ୍ରଙ୍କ ଅବସର, ମତ ରଖିଲେ ପୂର୍ବ ଖେଳାଳି, କୋଚ୍‌

ବୀରେନ୍ଦ୍ରଙ୍କ ଅବସର, ମତ ରଖିଲେ ପୂର୍ବ ଖେଳାଳି, କୋଚ୍‌

ବୀରେନ୍ଦ୍ରଙ୍କ ଉପଲବ୍ଧି ଯୁବପିଢ଼ିଙ୍କୁ ଦେବ ପ୍ରେରଣା

ରାଉରକେଲା: ହକିକୁ ‘ଅଲବିଦା’ କହିଛନ୍ତି ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା। ସେ ପ୍ରାୟ ୧୧ ବର୍ଷ ଧରି ଭାରତୀୟ ପୁରୁଷ ଦଳର ପ୍ରତିନିଧିତ୍ବ କରି ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏହାସହ ୧୦ଟି ଗୋଲ୍‌ ଦେବା ସହ ପଡ଼ିଆ ଭିତରେ ଏକାଧିକ ଚମତ୍କାର ଦେଖାଇ ଦଳର ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର ହେବାର ଗୌରବ ବହନ କରିଥିଲେ। ଜୀବନବ୍ୟାପୀ ଅନେକ ଉପଲବ୍ଧି ହାସଲ କରିଥିବା ବୀରେନ୍ଦ୍ର ଗତ ଅଲିମ୍ପିକ୍‌ରେ ବ୍ରୋଞ୍ଜ୍‌ ବିଜୟୀ ଦଳର ସଦସ୍ୟ ଥିଲେ; ଯାହାକି ତାଙ୍କୁ ଜଣେ ମହାନ ହକି ଖେଲାଳିଭାବେ ନୂଆ ପରିଚୟ ଦେଇଥି‌ଲା। ଦୁଇ ଦୁଇ ଥର ଅଲିମ୍ପିକ୍‌ ପଦାର୍ପଣ କରିବା ମଧ୍ୟ ବୀରେନ୍ଦ୍ରଙ୍କ ଅନ୍ୟ ଏକ ଉପଲବ୍ଧି। ରାଉରକେଲା ସେଲ୍‌ ହକି ଏକାଡେମୀରେ ହକି ଶିଖିଥିବା ଏହି ଖେଳାଳି ନିଜ ତଥା ଜିଲ୍ଲା ପାଇଁ ଅନେକ ଗୌରବ ଆଣିଛନ୍ତି। ଏହାସହ ଜିଲ୍ଲାର ଅଗଣିତ ଯୁବକଙ୍କୁ ହକି ଷ୍ଟିକ୍‌ ଧରିବାକୁ ପ୍ରେରଣା ବି ଦେଇଛନ୍ତି। ନିଜର କ୍ରୀଡ଼ା ଜୀବନରେ ଆହତଜନିତ ସମସ୍ୟାରୁ ସେ ବର୍ତ୍ତି ପାରିନଥିଲେ। ଦୁଇ ଦୁଇ ଥର ଅସ୍ତ୍ରୋପଚାର ହେବାସତ୍ତ୍ବେ ପୁନର୍ବାର ପଡ଼ିଆକୁ ଓହ୍ଲାଇବା, ପଦକ ଜିତିବା; ଏକ ମହାନ ଖେଳାଳିର ଅନ୍ୟତମ ନିଦର୍ଶନ। ତେବେ ହଠାତ୍‌ ଆଜି ହକିରୁ ଅବସର ନେବା ସମସ୍ତଙ୍କୁ ଚକିତ କରିଛି। କ୍ରୀଡ଼ାପ୍ରେମୀ, ପୂର୍ବତନ ଖେଳାଳି, ସାଥୀ ଖେଳାଳି ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଅନ୍ୟୁନ ଆଉ ଦୁଇ ବର୍ଷ ଦଳର ପ୍ରତିନିଧିତ୍ବ କରି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ବକପ୍‌ରେ ସେ ଭାରତୀୟ ଦଳର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେବୋଲି ସମସ୍ତେ ମତ ଦେଇଛନ୍ତି।

ଶୀଳାନନ୍ଦ ଲାକ୍ରା(ଅନ୍ତର୍ଜାତୀୟ ହକି ଖେଳାଳି)

ବୀରେନ୍ଦ୍ର ଭାଇଙ୍କଠାରୁ ବହୁତ କିଛି ଶିଖିଛି। ଅନେକ କ୍ରୀଡ଼ା କୌଶଳ ବିଷୟରେ ସେ ଶିଖାଇବା ସହ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି; ଯଦ୍ବାରା ମୋ’ର କ୍ରୀଡ଼ା ଆହୁରି ଉନ୍ନତ ହୋଇପାରିଛି। ମୁଁ ଏକାଡେମୀରେ ଥିବାବେଳେ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ପାଲଟି ସାରିଥାନ୍ତି। ସେତେବେ ସେ ଏକାଡେମୀକୁ ଆସି ଆମକୁ ଟିପ୍‌ସ ଦେଉଥିଲେ। ବିଶେଷକରି ତାଙ୍କର ଶୃଙ୍ଖଳିତ ଜୀବନଯାପନ, କଠାର ପରିଶ୍ରମ, ଶାନ୍ତ ସ୍ବଭାବ ଅନୁକରଣୀୟ। ଅସବର ନେବା ଦୁଃଖ ଦେଇଛି, କିନ୍ତୁ ଅଲିମ୍ପିକ୍‌ ମେଡାଲ ଆଣିବାପରେ ଅବସର ନେବାର ଗୌରବ ସମସ୍ତଙ୍କ ଭାଗ୍ୟରେ ଜୁଟିନଥାଏ। ତେବେ ଭାରତୀୟ ଦଳରେ ତାଙ୍କର ସ୍ଥାନ ‌ପୂରଣ କରିବାକୁ ସମୟ ଲାଗିବ, କାରଣ ସେ ଥିଲେ ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର।

publive-image

ଦୀପସାନ ତିର୍କୀ(ଅନ୍ତର୍ଜାତୀୟ ହକି ଖେଳାଳି)

ଜଣେ ଖେଳାଳି ଜୀବନର ଏହା ହେଉଛି ସବୁଠାରୁ ଦୁଃଖଦ ମୂହୁର୍ତ୍ତ। ଜୀବନରୁ ଅଧିକ ଭଲ ପାଉଥିବା କ୍ରୀଡ଼ାରୁ ବିଦାୟ ନେବା ଏତେ ସହଜ ନୁହେଁ। କିନ୍ତୁ ବୀରେନ୍ଦ୍ର ଭାଇ ଯେଉଁ ଉପଲବ୍ଧି ହାସଲ କରି, ନୂଆ ପୀଢ଼ିକୁ ଅନୁପ୍ରାଣୀତ କରି ବିଦାୟ ନେଇଛନ୍ତି; ତାହା ଖୁସିର ବିଷୟ। ତାଙ୍କଠାରୁ ବହୁତ କିଛି ଶିଖିବାର ସୁଯୋଗ ପାଇଛି। ବିଶେଷକରି ଟ୍ୟାକ୍‌ଲିଂ ବିଷୟରେ ତାଙ୍କଠାରୁ ଯେଉଁ ଜ୍ଞାନ ଆହରଣ କରିଛି, ସେଥିପାଇଁ ପାଇଁ କୃତଜ୍ଞ। ଜଣେ ବରିଷ୍ଠ ସଦସ୍ୟ ହିସାବରେ ବହୁମାତ୍ରାରେ ଗାଇଡ୍‌ କରିଛନ୍ତି। କେବଳ ମୋତେ ନୁହେଁ, ମୋ’ଭଳି ଅନେକ ପିଲାଙ୍କୁ ଉପାଦେୟ ପରାମର୍ଶ ଦେଇଛନ୍ତି। କିଭଳି କ୍ରୀଡ଼ାକୁ ଉନ୍ନତ କରିହେବ, ସେ ବିଷୟରେ ନିଜେ ଆଗେଇ ଆସି ପରାମର୍ଶ ଦେଇଥାନ୍ତି; ଯାହାକି ତାଙ୍କର ଏକ ବିଶେଷତ୍ବ।

ରାଜୁ କାନ୍ତ ସାଇନୀ(ବୀରେନ୍ଦ୍ରଙ୍କ କୋଚ୍‌)

ଅଲିମ୍ପିକ୍‌ରେ ପଦକ ଆସିଲେ ଅବସର ନେବି, ଯଦି ପଦକ ନ ଆସେ ତା’ହେଲେ ଖେଳ ଜାରି ରଖିବି ବୀରେନ୍ଦ୍ର ଢ଼େର୍‌ ଆଗରୁ କହିଥିଲେ। ଟୋକିଓ ଅଲିମ୍ପିକ୍‌ରେ ପଦକ ଆସିବାପରେ ତଥା ଆଗାମୀ ପୀଢ଼ିଙ୍କୁ ସୁଯୋଗ ଦେବାକୁ ସେ ଶେଷରେ ଅବସର ନେଇଛନ୍ତି। ଅବସର ଘୋଷଣା ପରେ ଆଜି ବୀରେନ୍ଦ୍ରଙ୍କ ସହ କଥା ହୋଇଥିଲି। ସେ ଖୁସି ଅଛନ୍ତି ଓ ନିଜ ଉପଲବ୍ଧି ତଥା ଦେଶ, ରାଜ୍ୟ, ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି। ଦୁଇ ଦୁଇ ଥର ଆଣ୍ଠୁ ଅସ୍ତ୍ରୋପଚାର ହେବାପରେ ମଧ୍ୟ ମେଡାଲ ଜିତିବା, ସାଧାରଣ କଥା ନୁହେଁ। ଏହି ଅସାଧାରଣ ମନୋବଳ, ହକି ପ୍ରତି ଭଲ ପାଇଁବା, ନିଷ୍ଠାପର ପରିଶ୍ରମ ପାଇଁ ଆଜି ସେ ଏତେ ସଫଳତା ହାସଲ କରିପାରିଛନ୍ତି। ସେ ଭାରତୀୟ ଦଳର ଆଉ ଯଦିଓ ପ୍ରତିନିଧିତ୍ବ କରିବେନି କିନ୍ତୁ ହକି ଇଣ୍ଡିଆ ଲିଗ୍‌, ଘରୋଇ ପ୍ରତିଯୋଗିତାରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।

ପିଟର ତିର୍କୀ( କୋଚ୍‌, ସେଲ୍‌ ହକି ଏକାଡେମୀ)

ପିଲାଟି ଦିନରୁ ବୀରେନ୍ଦ୍ରଙ୍କୁ ଦେଖିଛି। ତାଙ୍କର କ୍ରୀଡ଼ାକୌଶଳ ଭିନ୍ନ ଓ ନିଆରା। ସବୁବେଳେ ପଡ଼ିଆରେ କଠୋର ପରିଶ୍ରମ କରି କ୍ରୀଡ଼ାକୁ ଉନ୍ନତ କରିବାରେ ବିଶ୍ବାସ ରଖନ୍ତି। ଆଉ ଏଥିପାଇଁ ତାଙ୍କୁ ଏତେ ସବୁ ସଫଳତା ମିଳିଛି। ସେଲ୍‌ ହକି ଏକାଡେମୀର ଅନ୍ୟତମ ଶ୍ରେଷ୍ଠ କ୍ୟାଡେଟ୍‌ଭାବେ ସେ ଅନେକ ସଫଳତା ହାସଲ କରିଛନ୍ତି। ୧୧ ବର୍ଷ ଧରି ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ଛୋଟ କଥା ନୁହେଁ। ତାଙ୍କୁ ଦେଖି, ତାଙ୍କୁ ପାଖରେ ପାଇ ବହୁ ଖେଳାଳି ବହୁତ କିଛି ଶିଖିବାର ସୁଯୋଗ ପାଇଛନ୍ତି। ସେ ବହୁମାତ୍ରାରେ ଯୁବତୀଢ଼ୀଙ୍କୁ ଅନୁପ୍ରାଣୀତ କରିଛନ୍ତି।

ବେନିଫାସ ଏକ୍କା(ବୀରେ୍ଦ୍ରଙ୍କ ମାମୁଁ)

ବୀରେନ୍ଦ୍ର ପିଲାଟି ଦିନରୁ ବେଶ୍‌ ପରିଶ୍ରମୀ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ କେବେ ବି ହକିରୁ ଧ୍ୟାନ ହଟିନି। ଉପକନିଷ୍ଠ, କନିଷ୍ଠ ବର୍ଗଠାରୁ ଆରମ୍ଭ କରି ଭାରତୀୟ ଦଳ ପର୍ଯ୍ୟନ୍ତ, ସେ ବହୁତ କିଛି ହାସଲ କରିଛନ୍ତି। ତେବେ ହଠାତ୍‌ ଅବସର ନିଷ୍ପତ୍ତି, ବହୁତ ଦୁଃଖ ଦେଲା। ତାଙ୍କଠାରୁ ଆଉ କିଛି ହକି ବାକି ଥିଲା। ଅନ୍ୟୁନ ଓଡ଼ିଶାରେ ହେବାକୁ ଥିବା ଆଗାମୀ ହକି ବିଶ୍ବକପ୍‌ରେ ଖେଲିବେ ବୋଲି ଆଶା ରହିଥିଲା। ତଥାପି, ତାଙ୍କର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ନୂଆ ପୀଢ଼ୀଙ୍କ ପଥ ପରିସ୍କାର ପାଇଁ ସେ ଅବସର ନେବା ଅଧିକ ଖୁସୀ ଦେଉଛି।

ନିଶାନ ଜ୍ୟୋତି ମହାନ୍ତି(ଅନ୍ତର୍ଜାତୀୟ ହକି ଟେକ୍ନିକାଲ)

ଦୀର୍ଘ ୧୧ ବର୍ଷ ଧରି ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ଓ ଦଳର ଜଣେ ନିର୍ଭରଯୋଗ୍ୟ ସଦସ୍ୟ ପାଲଟିବା, ଏକ ଉପଲବ୍ଧି। ତାଙ୍କର ଅବସର ଖବର ଶୁଣି ବେଶ୍‌ ଦୁଃଖ ଲାଗିଲା, କିନ୍ତୁ ତାଙ୍କର ଉପଲବ୍ଧି ପାଇଁ ଖୁସୀ। ଆହତଜନିତ ସମସ୍ୟାକୁ ପ୍ରତିହତ କରି ପଡ଼ିଆକୁ ସଫଳ ପ୍ରତ୍ୟାବର୍ତ୍ତନ କରିବା, କ୍ବଚିତ ଖେଳାଳିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ସେଥି ମଧ୍ୟରୁ ବୀରେନ୍ଦ୍ର ହେଉଛନ୍ତି ଅନ୍ୟତମ। ଶୃଙ୍ଖଳିତ ଜୀବନଯାପନ, ନିଷ୍ଠାପର ପରିଶ୍ରମ ହିଁ ତାଙ୍କ ସଫଳତାର ଚାବିକାଠି ଥିଲା। ତାଙ୍କଠାରୁ ଅନ୍ୟୁନ ଆଉ ଦୁଇ ବର୍ଷ ହକି ଖେଳ ବାକିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe