ଗାଁ ମାଟିରେ ପାଦ ରଖିଲେ ବିରଜୁ କୁଲୁ, କୁତ୍ରା ବ୍ଲକ୍ ପରିସରରେ ସମ୍ବର୍ଦ୍ଧନା ଓ ସ୍ବାଗତ

Advertisment
ଗାଁ ମାଟିରେ ପାଦ ରଖିଲେ ବିରଜୁ କୁଲୁ, କୁତ୍ରା ବ୍ଲକ୍ ପରିସରରେ ସମ୍ବର୍ଦ୍ଧନା ଓ ସ୍ବାଗତ

ସୁନ୍ଦରଗଡ଼/କୁତ୍ରା/ ରାଜଗାଙ୍ଗପୁର : ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ନିଜ ଗାଁ କୁତ୍ରାକୁ ଫେରିଛନ୍ତି ବିରଜୁ କୁଲୁ। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ଟା ୧୦ ମିନିଟରେ କୁତ୍ରା ବିଡିଓ ବିରଜୁ କୁଲୁଙ୍କୁ ବ୍ଲକ୍ ପରିସରରେ ସମ୍ବର୍ଦ୍ଧନା ଦେବା ସହ ତାଙ୍କୁ ସ୍ବାଗତ କରିଥିଲେ। ତାଙ୍କୁ ଆଧାର କାର୍ଡ ଓ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ବିଡିଓ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାତିରେ ସେ କୁତ୍ରା ଠାରୁ ୧୩୨ କିଲୋମିଟର ଦୂର ଝାରଖଣ୍ଡ ରାଜ୍ୟ ଗୁମଲାରେ ପହଞ୍ଚି ରାତି କାଟିବା ପରେ ଆଜି ସକାଳୁ କୁତ୍ରା ଅଭିମୁଖେ ଵାହାରିଥିଲେ। ପାକିସ୍ତାନ ସରକାର ବିରଜୁଙ୍କୁ ଭାରତକୁ ହସ୍ତାନ୍ତର କରିବା ପରେ ସେ ପଞ୍ଜାଵ ଅମୃତସରର ଏକ ସଂଗରୋଧ କେନ୍ଦ୍ରରେ ଥିଲେ। ଏ ସମ୍ପର୍କରେ ସୁନ୍ଦରଗଡ଼ ପ୍ରଶାସନକୁ ଅବଗତ କରାଯିବା ପରେ ପ୍ରଶାସନ ବିରଜୁଙ୍କୁ ଅମୃତସରରୁ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଥିଲା । ତାଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ନିଯୁକ୍ତ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାଇଥିଲେ। ବଲେରୋ ଯୋଗେ ୨ ଜଣ ଡ୍ରାଇଭରଙ୍କ ସାହାଯ୍ୟରେ ୧୭୫୦ କିଲୋମିଟର ଦୂର ଅମୃତସରରୁ ଵିରଜୁଙ୍କୁ ନେଇ ଫେରିଥିଲେ।

publive-image

ଉଲ୍ଲେଖଯୋଗ୍ୟ କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗର ପଡାର ମାରକୁସ କୁଲୁ ଓରଫ୍ ବିରଜୁ ମାନସିକ ଅନଗ୍ରସ ଥିଲେ। ପ୍ରାୟ ୨୫ ବର୍ଷ ତଳେ କିଶୋର ଥିବା ବେଳେ ସେ ଘରଛାଡି ଝାଡଖଣ୍ଡକୁ ଚାଲି ଯାଇଥିଲେ। ସେଠାରୁ ପୁଣି କୁଆଡ଼େ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ପରିବାରବର୍ଗ ତାଙ୍କୁ ଢେର ଖୋଜାଖୋଜି କରି ନିରାଶ ହୋଇଥିଲେ। ତାଙ୍କ ଫେରିବା ବାଟକୁ ଅନାଇ ବାପା ମା’ ଆରପାରିକୁ ଚାଲିଗଲେଣି। ଏବେ ଏକମାତ୍ର ବଡ ଭଉଣୀ ଅଛନ୍ତି। ସେ ଓ ଗାଁ ଲୋକେ ବିରଜୁ ଆଉ ଇହଜଗତରେ ନାହାନ୍ତି ବୋଲି ଭାବିନେଇ ଥିଲେ । ଏତିକି ବେଳେ ହଠାତ୍ ନିକଟ ଅତୀତରେ ତାଙ୍କ ପରିଚୟ ଓ ଠିକଣା ଯାଞ୍ଚ ପାଇଁ ପୁଲିସ୍ ବିରଜୁଙ୍କ ଘରେ ପହଞ୍ଚି ଥିଲା। ଏହାପରେ ନିରୁଦ୍ଦିଷ୍ଟ ବିରଜୁ ପାକିସ୍ତାନ ଜେଲରେ ସଜା କାଟୁଥିବା ଜଣା ପଡିଥିଲା ।

ସେ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ପାକିସ୍ତାନୀ ସୈନ୍ୟମାନେ ଭାରତର ଗୁପ୍ତଚର ଭାବି ଧରି ନେଇ ଲାହୋର ଜେଲରେ ୨୦ ବର୍ଷ ରଖିଥିଲେ। ସେଠାରେ ସେ ୨୦ ବର୍ଷ ବନ୍ଦୀ ଭାବେ ଜୀବନ କାଟିବା ପରେ ଗତ ୨୬ ତାରିଖରେ ତାଙ୍କୁ ମୁକ୍ତ କରା ଯାଇଥିଲା।ପାକିସ୍ତାନୀ ସୈନ୍ୟ ତାଙ୍କୁ ୱାଘା ବୋର୍ଡରରେ ଭାରତକୁ ହସ୍ତାନ୍ତର କରିଥିଲେ । ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ଭିତରେ ବିରଜୁ ନିଜର ମାତୃଭାଷା ଓଡ଼ିଆ ଭୁଲି ଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe