ପାକିସ୍ତାନ ଫେରନ୍ତା ବିର୍‌ଜୁ ଗତ ରାତିରୁ ପୁଣି ନିଖୋଜ, ଥାନାରେ ଏତଲା ଦେଲେ ଭଉଣୀ

Advertisment
ପାକିସ୍ତାନ ଫେରନ୍ତା ବିର୍‌ଜୁ ଗତ ରାତିରୁ ପୁଣି ନିଖୋଜ, ଥାନାରେ ଏତଲା ଦେଲେ ଭଉଣୀ

ରାଉରକେଲା: ପ୍ରାୟ ୨୦ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦୀ ହୋଇ ନିକଟ ଅତିତରେ ଜନ୍ମ ମାଟି କୁତ୍ରାକୁ ଫେରିଥିବା ବିର୍‌ଜୁ କୁଲୁ ପୁଣି ନିଖୋଜ ହୋଇଯାଇଛନ୍ତି। ବିର୍‌ଜୁ ଗତକାଲି ବିଳମ୍ବିତ ରାତିରୁ ନିଖୋଜ ଅଛନ୍ତି। ଏନେଇ ବିର୍‌ଜୁଙ୍କ ଭଉଣୀ ଆଜି କୁତ୍ରା ଥାନାରେ ଏତଲା ଦେଇଛନ୍ତି। ତେବେ ସେ କିଭଳି ନିଖୋଜ ହେଲେ ତାହା ସ୍ପଷ୍ଟ ହୋଇନି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି।

ପ୍ରକାଶଥାଉକି, କୁତ୍ରା ବ୍ଲକ କଟଙ୍ଗ ପଞ୍ଚାୟତ ଜଙ୍ଗରପଡ଼ାର ମାନସିକ ଭିନ୍ନକ୍ଷମ ମାରକୁସ୍‌ କୁଲୁ ଓରଫ୍‌ ବିର୍‌ଜୁ ଛୋଟବେଳେ ଝାଡ଼ଖଣ୍ଡ ବଲବା ଗ୍ରାମ ସ୍ଥିତ ମାମୁଁ ଘରେ ରହୁଥିଲେ। ସେ ହଠାତ୍‌ ଦିନେ ଉଭାନ ହୋଇଯାଇଥିଲେ। ତା’ପରଠାରୁ ବିର୍‌ଜୁଙ୍କ ଆଉ କୌଣସି ପତ୍ତା ମିଳିନଥିଲା। ଅଜାଣତରେ ସେ ଚାଲିଚାଲି ଭାରତ ସୀମା ପାର କରି ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲେ। ପାକିସ୍ତାନ ସୀମାରେ ପାଦ ଦେବାପରେ ସେଠାକାର କିଛି ଲୋକ ତାଙ୍କୁ କାବୁ କରି ଶିଖରପୁରକୁ ନେଇଯାଇଥିଲେ। ସେଠାରେ ପୁଲିସ୍ ତାଙ୍କୁ ଗିରଫ କରି ସପ୍ତାହେ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଲାହୋର ଜେଲ୍‌ରେ ବନ୍ଦୀ କରାଯାଇଥିଲା।

ଏ ବିଷୟରେ ସଂପୂ୍ର୍ଣ୍ଣ ଅଜ୍ଞ ଥିଲେ ପରିବାର। ପୁଅର ଫେରିବା ବାଟକୁ ଚାହିଁ ତାଙ୍କ ବାପା-ମା’ ବି ଆରପାରିକୁ ଚାଲିଗଲେ। ଏମିତିକି ଅନ୍ୟ ପ୍ରିୟଜନ ବି ବିର୍‌ଜକୁ ଏକରକମର ଭୁଲି ସାରିଥିଲେ। ତେବେ ୨୦୧୯ ମସିହାରେ ହଠାତ୍‌ ବିର୍‌ଜୁଙ୍କ ଘରେ ପୁଲିସ ପହଞ୍ଚିଥିଲା। ବିର୍‌ଜୁ ପାକିସ୍ତାନ ଜେଲରେ ବନ୍ଦୀ ଥିବା ପୁଲିସ ସୂଚନା ଦେଇଥିଲା। ପାକିସ୍ତାନ ଜେଲ୍‌ରେ ପ୍ରାୟ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ସେ ଅକ୍ଟୋବର ୨୬ ରେ ମୁକୁଳିଥିଲେ। ୱାଘା ସୀମାରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଜିମା ଦିଆଯାଇଥିଲା। ସୂଚନା ପାଇବାପରେ ଜିଲ୍ଲା ପ୍ରଶାସନ ବିର୍‌ଜୁଙ୍କୁ ଜନ୍ମ ମାଟିକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲା। ଏକ ସ୍ବତନ୍ତ୍ର ଟିମ୍‌ ନଭେମ୍ବର ୬ରେ ଅମୃତସର ଅଭିମୁଖେ ବାହାରିଥିଲା। ନଭେମ୍ବର ୧୩ ତାରିଖରେ ପ୍ରଶାସନ ବିର୍‌ଜୁଙ୍କୁ ଜନ୍ମମାଟି କୁତ୍ରାକୁ ଫେରାଇ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe