ବିର୍ଲା ଟାୟାର୍ସରେ ଅଚଳାବସ୍ଥା ଦୂର ପାଇଁ ସପ୍ତାହେ ସମୟ ନେଲେ

ଶ୍ରମ ମନ୍ତ୍ରୀଙ୍କ ସହିତ ଶ୍ରମିକ ସଂଗଠନ, କମ୍ପାନି କର୍ତୃପକ୍ଷଙ୍କ ଆଲୋଚନା

ବିର୍ଲା ଟାୟାର୍ସରେ ଅଚଳାବସ୍ଥା ଦୂର ପାଇଁ ସପ୍ତାହେ ସମୟ ନେଲେ

ଭୁବନେଶ୍ବର : ବାଲେଶ୍ବରସ୍ଥିତ ବିର୍ଲା ଟାୟାର୍ସ ପୁନର୍ବାର ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି। ରାଜ୍ୟ ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମ୍ପାନି କର୍ତ୍ତୃପକ୍ଷ ଓ ଶ୍ରମିକ ସଂଗଠନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି। କମ୍ପାନିକୁ ପୁନର୍ବାର ଚାଲୁ କରିବା ଲାଗି କର୍ତ୍ତୃପକ୍ଷ ସପ୍ତାହେ ସମୟ ନେଇଛନ୍ତି। ଫଳରେ ବିର୍ଲା ଟାୟାର୍‌ରେ ଲାଗି ରହିଥିବା ଅଚଳାବସ୍ଥାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି।

ପୂର୍ବ ଭାରତର ବୃହତ୍‌ ଟାୟାର କମ୍ପାନି ବିର୍ଲା ଟାୟାରରେ ଦେଢ଼ବର୍ଷ ଧରି ସମସ୍ୟା ଲାଗି ରହିଛି। ଏପରିକି ୬ମାସ ହେବ କମ୍ପାନି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। କମ୍ପାନିରେ ୫ ହଜାର କର୍ମଚାରୀ କାମ କରୁଥିବା ବେଳେ ଦେଢ଼ ବର୍ଷ ହେବ ଦରମା ପାଇ ନାହାନ୍ତି। କମ୍ପାନି କର୍ତୃପକ୍ଷ ନିଜ ଜିଦ୍‌ରେ ଅଟଳ ରହିବା କାରଣରୁ ଶ୍ରମିକ ଅଶାନ୍ତି ଲାଗି ରହିଛି। ଫଳରେ ସମସ୍ୟାର ସମାଧାନ ହୋଇପାରୁନାହିଁ। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ବିଶେଷ ତତ୍ପରତା ନ ଦେଖାଇବାରୁ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। କମ୍ପାନି ଭିତରେ ବିକ୍ରିଯୋଗ୍ୟ କୋଟି କୋଟି ଟଙ୍କାର ଅନେକ ଟାୟାର୍‌ ପଡ଼ି ରହିଛି।

ତେବେ ବିର୍ଲା ଟାୟାର୍‌ରେ ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବା ଲାଗି ଆଜି ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଶ୍ରମ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଶ୍ରମିକ ସଂଗଠନଙ୍କ ଦାବି ଅନୁଯାୟୀ, କର୍ମଚାରୀମାନେ ଗତ ଦେଢ଼ ବର୍ଷ ହେବ ଦରମା ପାଇ ନାହାନ୍ତି। ତେଣୁ କମ୍ପାନି ଚାଲୁ କରିବା ଲାଗି ସେମାନଙ୍କୁ ଆଗୁଆ ୨ମାସର ଦରମା ପ୍ରଦାନ କରାଯାଉ। ତେବେ ଏହି ଆଲୋଚନା ସଫଳ ହୋଇଥିବା କର୍ମଚାରୀ ମହଲରୁ ଜଣାପଡ଼ିଛି। ଯଦି ସପ୍ତାହେ ଭିତରେ କମ୍ପାନି କର୍ତ୍ତୃପକ୍ଷ ଏହାକୁ ଚାଲୁ ନ କରନ୍ତି, ଆସନ୍ତା ପଞ୍ଚାୟତ ନିର୍ବାଚନରେ ସ୍ଥାନୀୟ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ ବୋଲି ଶ୍ରମିକ ସଂଗଠନର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। ବୈଠକରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ଅନନ୍ତ ଦାସ, ବିଧାୟକ ସୁଧାଂଶୁ ପରିଡ଼ା, ବିଧାୟକ ସ୍ବରୂପ ଦାସଙ୍କ ସମେତ ଶ୍ରମିକ ସଂଗଠନର ସଭାପତି ସଂପାଦକ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe