ଦେବାଳିଆ ସ୍ଥିତିରେ ବିର୍ଲା ଟାୟାର୍ସ କମ୍ପାନି, ମୁଣ୍ଡ ଉପରେ ୨୩୭୨ କୋଟିର ଆର୍ଥିକ ବୋଝ

Advertisment
ଦେବାଳିଆ ସ୍ଥିତିରେ ବିର୍ଲା ଟାୟାର୍ସ କମ୍ପାନି, ମୁଣ୍ଡ ଉପରେ ୨୩୭୨ କୋଟିର ଆର୍ଥିକ ବୋଝ

୨୬ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା
ଯେ କୌଣସି ସମୟରେ ଚ୍ଛିନ୍ନ ହୋଇପାରେ ବିଦ୍ୟୁତ ସଂଯୋଗ

ବାଲେଶ୍ବର : ମୁଣ୍ଡ ଉପରେ ୨୩୭୨ କୋଟି ଟଙ୍କାର ଆର୍ଥିକ ବୋଝ। ପୁଣି ମାସେ କି ଦୁଇ ମାସ ନୁହେଁ, ୨୬ ମାସରୁ ଅଧିକ ସମୟ ଧରି ଦରମା ପାଇନାହାନ୍ତି କର୍ମଚାରୀ ଓ ଶ୍ରମିକ। ଇଏ ହେଉଛି ବାଲେଶ୍ବର ଜିଲ୍ଲାର ସବୁଠୁ ବଡ଼ ଶିଳ୍ପସଂସ୍ଥା କୁହାଯାଉଥିବା ବିର୍ଲା ଟାୟାର୍ସର ଆର୍ଥିକ ଅବସ୍ଥା। ଦେବାଳିଆ ସ୍ଥିତିରେ ପହଞ୍ଚିଥିବା ଏହି କମ୍ପାନି ଆଗକୁ ଆଉ ଚାଲିବ କି ନାହିଁ, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସ୍ଥିତିରେ କୌଣସି ଉନ୍ନତି ନ ହେଲେ କମ୍ପାନି ଯେ କୌଣସି ସମୟରେ ତାଲାବନ୍ଦ (ଲକ୍‌ ଆଉଟ୍‌) ହୋଇଯିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ।

ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ବିପୁଳ ପରିମାଣର ଆର୍ଥିକ ବୋଝ ମୁଣ୍ଡେଇଥିବା ବିର୍ଲା କମ୍ପାନି ସଂପ୍ରତି ଆଇବିସି (ଇନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କ୍‌ରପ୍‌ସି କୋଡ୍‌) ମାଧ୍ୟମରେ ଜାତୀୟ କମ୍ପାନି ଆଇନ୍‌ ଟ୍ରିବ୍ୟୁନାଲ (ଏନସିଏଲଟି)ର ଦ୍ବାରସ୍ଥ ହୋଇଛି। ଉକ୍ତ ଆବେଦନରେ ଉଲ୍ଲେଖ କରାଯାଇଛି ଯେ କମ୍ପାନି ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟରେ ରହିଛି। ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା, ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ, ବିଦ୍ୟୁତ୍‌ ଓ ପାଣି ବିଲ୍‌, କର୍ମଚାରୀ ଓ ଶ୍ରମିକମାନଙ୍କ ଦରମା ଆଦି ବାବଦରେ ୨୩୭୨ ଶହ କୋଟି ଟଙ୍କା ବକେୟା ରହିଛି। ତେଣୁ କମ୍ପାନିର ଆର୍ଥିକ ବୋଝକୁ କୋହଳ କରିବା ପାଇଁ ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ସ୍ବତନ୍ତ୍ର ବିଲ୍‌ (ଆଇବିସି) ଆଧାରରେ ବିଚାର କରିବାକୁ ଟ୍ରିବ୍ୟୁନାଲଙ୍କୁ ଆବେଦନ କରିଛି ବିଲା ଟାୟାର୍ସ। ସେପଟେ କମ୍ପାନି ପକ୍ଷରୁ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଗତ ମେ ମାସ ୨୪ ତାରିଖରେ ଏକ ନୋଟିସ୍‌ ମଧ୍ୟ ଜାରି ହୋଇଛି। ଉକ୍ତ ନୋଟିସ୍‌ରେ କୁହାଯାଇଛି ଯେ ଗତ ଏକ ବର୍ଷରୁ ଅଧିକ ସମୟ ଧରି କମ୍ପାନି କାର୍ଯ୍ୟକ୍ଷମ ନଥିବା‌ ସତ୍ତ୍ବେ ବହୁ ପରିମାଣର ବିଦ୍ୟୁତ୍‌ ବିଲ୍‌ ଆସୁଛି। ବିଶେଷ କରି କର୍ମଚାରୀ ଓ ଶ୍ରମିକମାନେ ରହୁଥିବା କଲୋନିରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏୟାର କଣ୍ଡିସନର), ଫ୍ରିଜ୍‌, ୱାସିଂମେସିନ୍‌, ହିଟର ଆଦି ମନଇଚ୍ଛା ବ୍ୟବହାର କରାଯାଉଛି। ଏଭଳି ସ୍ଥିତି ଜାରି ରହିଲେ ଯେ କୌଣସି ମୁହୂର୍ତ୍ତରେ କମ୍ପାନିର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇପାରେ ବୋଲି ସତର୍କ କରାଯାଇଛି।

ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇବା ପାଇଁ କମ୍ପାନି କର୍ତ୍ତୃପକ୍ଷ ଜାତୀୟ କମ୍ପାନି ଆଇନ୍‌ ଟ୍ରିବ୍ୟୁନାଲରେ ବିଚାର ପାଇଁ ଆବେଦନ କରିଥିବା ବେଳେ ଆସନ୍ତା ଜୁନ୍‌ ୧୮ ତାରିଖରେ କମ୍ପାନି ପରିଚାଳନା ବୋର୍ଡର ବାର୍ଷିକ ସାଧାରଣ ବୈଠକ ଡକାଯାଇଛି। ଅନ୍ୟପକ୍ଷରେ ନିର୍ଦ୍ଧାରିତ ୧୮୦ ଦିନ ମଧ୍ୟରେ ଟ୍ରିବ୍ୟୁନାଲରେ ଯାହା ନିଷ୍ପତ୍ତି ହେବ, ସେହି ଅନୁସାରେ ବିର୍ଲା ଟାୟାର୍ସ ଆଗକୁ ଚାଲିବ ନା ସବୁଦିନ ପାଇଁ ବନ୍ଦ ହୋଇଯିବ; ତାହା ସ୍ଥିର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe