ମଠ ଉଚ୍ଛେଦକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ, ଆନ୍ଦୋଳନ ଚେତାବନୀ

Advertisment
ମଠ ଉଚ୍ଛେଦକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ, ଆନ୍ଦୋଳନ ଚେତାବନୀ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ମଠ ଉଚ୍ଛେଦକୁ ବିରୋଧ କରି ବିଶ୍ବ ହିନ୍ଦୁ ପରିଷଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଆବଶ୍ୟକ ପଡ଼ିଲେ ମଠ ଉଚ୍ଛେଦ ପୂର୍ବରୁ ଜେସିବି ତଳେ ଶୋଇବାକୁ ପଛାଇବୁ ନାହିଁ ବୋଲି କୁହାଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ହିନ୍ଦୁ ପରିଷଦ ଓଡ଼ିଶା ଶାଖା ଉପସଭାପତି ମହେଶ କୁମାର ସାହୁ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତାଧାରା ଓ ପ୍ରୟାସକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଶ୍ରୀମନ୍ଦିରର ଧାର୍ମିକ ଭାବନ ଓ ପରମ୍ପରା ମଧ୍ୟ ସୁରକ୍ଷାର ଏକ ଅଂଶ ବିଶେଷ। ଏହି ବିଧିବିଧାନ ଓ ରୀତିନୀତି ତଥା ସେବାକାରୀ ସଂସ୍ଥା ମଠ, ମନ୍ଦିର ସ୍ଥିତି ଅକ୍ଷୁଣ୍ଣ ରଖିବାକୁ ପ୍ରସ୍ତାବ ରଖୁଛୁ। ଜଷ୍ଟିସ ବିପି ଦାସ କମିସନ୍‌ଙ୍କ କାର୍ଯ୍ୟକାଳକୁ ବୃଦ୍ଧି ନକରି ସରକାର ତଦନ୍ତକୁ ଅଧାରେ ବନ୍ଦ କରିଦେଲେ। ବର୍ତମାନ ସରକାର କେଉଁ କମିସନ୍‌ଙ୍କ ରିପୋର୍ଟ ଆଧାରରେ ମଠ, ମନ୍ଦିର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି ତାକୁ ସର୍ବସାଧାରଣରେ ଉପସ୍ଥାପନ କରୁ। ଶ୍ରୀମନ୍ଦିର ସଂସ୍କାର ଓ ପୂଜା ବିଧାନ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲା। କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇନାହିଁ। ଶ୍ରୀମନ୍ଦିର ଚାରିପାଖରେ ଥିବା ମଠଗୁଡ଼ିକ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ। ମଠଗୁଡ଼ିକର ପୁନଃସ୍ଥାପନ ନକରି ଏହାର ଉଚ୍ଛେଦକୁ ବିଶ୍ବ ହିନ୍ଦୁ ପରିଷଦ ନିନ୍ଦା କରୁଛି। ଶ୍ରୀମନ୍ଦିର ସଂସ୍କୃତି, ନୀତିକାନ୍ତି, ପରମ୍ପରା ତଥା ଏଠାକୁ ଆସୁଥିବା ଭକ୍ତମାନଙ୍କ ଆବେଗକୁ ଆଖି ଆଗରେ ରଖି ମଠ, ମନ୍ଦିରକୁ ସୁରକ୍ଷିତ ରଖିବାକୁ ପରିଷଦ ଦାବି କରୁଛି। ଶହ ଶହ ବର୍ଷ ଧରି ଅଧିକାଂଶ ମଠ, ମନ୍ଦିର ଶ୍ରୀମନ୍ଦିରକୁ ସେବା ଯୋଗାଇ ଆସୁଥିବା ବେଳେ ସେମାନଙ୍କ ସେବା, ସ୍ଥିତି ଅକ୍ଷୁଣ୍ଣ ରଖାଯାଉ। ଜବରଦଖଲ ନକରି ମଠ ମହନ୍ତଙ୍କ ସହ ଆଲୋଚନା କରି ଥଇଥାନ ବ୍ୟବସ୍ଥା ଓ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ପରିଷଦ ଦାବି କରିଛି। ବଡ଼ଆଖଡ଼ା ମଠ ପରିସରରେ ଅନୁଷ୍ଠିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସଭାପତି ନଗେନ୍ କୁମାର ଦେବତା, କେନ୍ଦ୍ରୀୟ ମାର୍ଗ ଦର୍ଶକ ସଦସ୍ୟ ମହନ୍ତ ବିଜୟ ରାମାନୁଜ ଦାସ, ଟାଇଫୁନ୍ ପରିଜା, ପ୍ରାନ୍ତ ମାର୍ଗଦର୍ଶକ ମଣ୍ଡଳ ସଦସ୍ୟ ସତ୍ୟସ୍ବରୁପା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe