ରାୟଗଡ଼ାରେ କଂଗ୍ରେସ-ବିଜେଡି ଛକାପଞ୍ଝା; ୭ ଜୋନ୍‌ରେ ବିଜେଡି, ୪ରେ କଂଗ୍ରେସ ଆଗୁଆ

ରାୟଗଡ଼ାରେ କଂଗ୍ରେସ-ବିଜେଡି ଛକାପଞ୍ଝା; ୭ ଜୋନ୍‌ରେ ବିଜେଡି, ୪ରେ କଂଗ୍ରେସ ଆଗୁଆ

ରାୟଗଡ଼ା: ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ରାୟଗଡ଼ା ଜିଲ୍ଲାରେ ବିଜେଡି-କଂଗ୍ରେସ ମଧ୍ୟରେ କାଣ୍ଟେ କି ଟକ୍କର୍ ଦେଖିବାକୁ ମିଳିଛି। ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ଜୋରଦାର୍ ହେଉଛି। ବିଜେପି ତୃତୀୟ ସ୍ଥାନରେ ରହିଛି। କିଛି ଜୋନ୍‌ରେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଟକ୍କରକୁ ଆସୁଥିବା ଦେଖିବାକୁ ମିଳିଛି। ପୂର୍ବାହ୍ନରେ କଂଗ୍ରେସ ଆଗୁଆ ଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ଗଣତିରେ ବିଜେଡି ଆଗରେ ରହିଛି।

ରାୟଗଡ଼ା ଜିଲ୍ଲାର ୨୨ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୧୧ ଜୋନରେ ଆଜି ଭୋଟ ଗଣତି ହେଉଛି। ସବୁ ବ୍ଲକର (କ) ଜୋନ୍ ପ୍ରାର୍ଥୀଙ୍କ ହିଁ ଭୋଟ ଗଣତି ହେଉଛି। ଆସନ୍ତାକାଲି (ଖ) ଏବଂ ଗଣତିର ଶେଷ ଦିନରେ (ଗ) ଜୋନ୍ ପ୍ରାର୍ଥୀଙ୍କ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ହେବ। ବୁଥ୍ ବାହୁଡ଼ା ମତରେ କଂଗ୍ରେସ ହିଁ ଜିଲ୍ଲା ପରିଷଦ ଗଠନ ନେଇ ପ୍ରାକ୍ ଆକଳନ ହୋଇଥିଲା। କିନ୍ତୁ ଗଣତି ଟ୍ରେଣ୍ଡରେ ଏବେ ବିଜେଡି ଆଗରେ ରହିଛି। ରାୟଗଡ଼ା (କ) ଜୋନ୍‌ରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ରାଜୁ ମେଲେକା ୫୮୨ ଭୋଟରେ ଆଗୁଆ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ରାଜୁ ମେଲେକା ୨୯୫୨ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁଲେସିକା ୨୩୭୦, ବିଜେପି ପ୍ରାର୍ଥୀ ପବିତ୍ର ହୁଇକା ୧୧୦୩ ଭୋଟ ପାଇଛନ୍ତି। ସେହିପରି କୋଲନରା (କ) ଜୋନ୍‌ରେ ତୃତୀୟ ରାଉଣ୍ଡ ‌ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଇପିଲି ଧବଳେଶ୍ବର ନାଇଡ଼ୁ ୨୭୨ ଭୋଟରେ ଆଗୁଆ ରହିଛନ୍ତି। ରାମନାଗୁଡ଼ା (କ) ଜୋନ୍‌ରେ ୬ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଙ୍ଗୁଡ଼ୁ ଶ୍ରୀଧର ୨୧ଟି ଭୋଟରେ ଆଗୁଆ ରହିଛନ୍ତି।

ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥ ଗଗନ ଆଚାର୍ଯ୍ୟ ଏହି ଜୋନ୍‌ରେ ଆଗୁଆ ଥିଲେ। ମୁନିଗୁଡା (କ) ଜୋନ୍‌ରେ ବିଜେଡି ପ୍ରାର୍ଥୀ ସନ୍ତୋଷ ସୁନା ୨୬୯୪ ଭୋଟରେ ଆଗୁଆ ରହିଛନ୍ତି। ଚନ୍ଦ୍ରପୁର ଜୋନରେ ୨ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ବିଜୟ ଉଲାକା ୨୧୧ ଭୋଟରେ ଆଗୁଆ ରହିଛନ୍ତି। ପଦ୍ମପୁର (କ) ଜୋନ୍‌ରେ ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦରଗିନ୍ ଶବର ୧୧୮୫ ଭୋଟରେ ଆଗୁଆ ରହିଛନ୍ତି। ଗୁଡାରି ଜୋନ୍‌ରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ପତି କ୍ରାସ୍କା ୭୭୭ ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି। କାଶୀପୁର (କ) ଜୋନ୍‌ରେ ଗଣତି ଆରମ୍ଭରୁ କଂଗ୍ରେସ ଆଗୁଆ ଥିବା ବେଳେ ଅପରାହ୍ନରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅମି ମାଝି ୫୯ ଭୋଟରେ ଆଗୁଆ ରହିଛନ୍ତି। କଲ୍ୟାଣସିଂହପୁର (କ) ଜୋନ୍‌ରେ ମଧ୍ୟ ବିଜେଡି ପ୍ରାର୍ଥୀ ବି. ୱାରା ପ୍ରସାଦ ରାଓ ୨୦୨ ଭୋଟରେ ଆଗୁଆ ରହିଛନ୍ତି। ଗୁଣପୁର (କ) ଜୋନ୍‌ରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଇଗାନ୍ ଗମାଙ୍ଗ ୪୧୯ ଖଣ୍ଡ ଭୋଟରେ ବିଜେଡିଠୁ ଆଗରେ ରହିଛନ୍ତି। ବିଷମକଟକ (କ) ଜୋନ୍‌ରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସୁଜାତା କାଡ୍ରକା ୪୯୮ ଭୋଟରେ ଆଗୁଆ ରହିଛନ୍ତି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା ଏଠାରେ କଂଗ୍ରେସ ପ୍ରାର୍ଥୀ ଗୀତା କ୍ରୁସିକା ଆଗରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe