ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପାଣିପାଗରେ ଉଷ୍ନତା ଦେଖାଯାଇଛି। ଆସନ୍ତା ମାସ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡିଳୀରେ ମତଦାନ ହେବ। ଭୋଟ୍ଦାନ ତାରିଖ ଯେତିକି ପାଖେଇ ଆସୁଛି। ରାଜନୈତିକ ଦଳ, ନେତା ଓ କର୍ମୀଙ୍କ ମଧ୍ୟରେ ସେତିକି ଚିନ୍ତା ପଶୁଛି। ରାଜ୍ୟର ୧୪୭ରୁ ବିଜେଡି ୧୨୬, ବିଜେପି ୧୩୧ ଓ କଂଗ୍ରେସ ୧୨୫ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପଟରେ ନୀଳଗିରି, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ବିଧାନସଭା ଆସନରେ ଏହି ତିନି ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେବେ ତିନି ଦଳ ପ୍ରାର୍ଥୀ ଘୋଷଣା ନକରିପାରିବା ପଛରେ ବିଦ୍ରୋହ, ଅସନ୍ତୋଷ, ଦ୍ବନ୍ଦ୍ବ ଆଦି ସମସ୍ୟା ରହିଛି।
ଖୋର୍ଦ୍ଧାରେ ବିଜେପି ଓ କଂଗ୍ରେସ ଭଳି ବିଜେଡି ମଧ୍ୟ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ଏଠାରେ ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର ୨୦୧୯ ନିର୍ବାଚନରେ ୮୪,୫୫୩ ଖଣ୍ଡ ଭୋଟ୍ ପାଇଥିଲେ। ସେ ବିଜେପି ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କୁ ୧୦,୦୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। କିନ୍ତୁ ଏଥର ଖୋର୍ଦ୍ଧାରେ ବେଗୁନିଆର ବିଧାୟକ ରାଜେନ୍ଦ୍ର ସାହୁ ଓ ବିଜେଡି ରାଜ୍ୟ ମହିଳା ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି। ବିଜେଡି ଜ୍ୟୋତିରିନ୍ଦ୍ରଙ୍କୁ ଟିକେଟ୍ ଦେବ କି ଆଉ କାହାକୁ ପ୍ରାର୍ଥୀ କରିବ ସେନେଇ ଦ୍ବନ୍ଦ୍ବ ମଧ୍ୟ ଦେଖାଯାଇଛି। ମୋଟାମୋଟି ଭାବେ ବିଜେଡି ପାଇଁ ୩ ଜଣ ଆଶାୟୀ ଥିବା ବେଳେ ଟିକେଟ୍ ଘୋଷଣା ପରେ ୨ ଜଣ ଅସନ୍ତୁଷ୍ଟ ଅଥବା ବିଦ୍ରୋହୀ ମଧ୍ୟ ହୋଇପାରନ୍ତି। ଗତଥର ନିର୍ବାଚନରେ ପରାଜିତ ହୋଇଥିବା କାଳୁ ଏଥର ମଧ୍ୟ ବିଜେପି ଟିକେଟ ଦାବି କରୁଛନ୍ତି। କିନ୍ତୁ ଗତମାସ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ମଧ୍ୟ ଏଠାରେ ପ୍ରାର୍ଥୀ ହୋଇପାରନ୍ତି। ଉଭୟ କାଳୁ ଓ ପ୍ରଶାନ୍ତଙ୍କୁ ନେଇ ବିଜେପି ପ୍ରାର୍ଥୀ ଘୋଷଣା କରିପାରୁ ନାହିଁ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟରେ ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କଲା ପରେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ଅନୁମାନ କରାଯାଉଛି।
କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ୨୦୧୯ ନିର୍ବାଚନରେ ଶଶିଭୂଷଣ ବେହେରା ୬୬,୧୩୨ ଖଣ୍ଡ ଭୋଟ୍ ପାଇଥିଲେ। ସେ କଂଗ୍ରେସର ତତ୍କାଳୀନ ପ୍ରାର୍ଥୀ ଗଣେଶ୍ବର ବେହେରାଙ୍କୁ ୬୫୮୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ଗଣେଶ୍ବର ଏବେ ବିଜେଡିରେ ସାମିଲ ହୋଇଛନ୍ତି। ସେ ବିଜେଡି ଟିକେଟ ହାତେଇବେ ବୋଲି ଅଧିକ ଚର୍ଚ୍ଚା ହେଉଛି। ବିଜେଡିର ଅନ୍ୟ ନେତ୍ରୀ ସିପ୍ରା ମଲ୍ଲିକ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗ ଦେଇସାରିଛନ୍ତି। ଶ୍ରୀମତୀ ମଲ୍ଲିକ କଂଗ୍ରେସ ଟିକଟେ ହାତେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଏଠାରେ ପୂର୍ବରୁ ଆଶାୟୀ ପ୍ରାଥୀ ହଳଧର ସେଠୀ ଅଛନ୍ତି। ବିଜେପି ଟିକେଟ୍ ପାଇଁ କଳ୍ପନା ମଲ୍ଲିକ, ଅଭିମନ୍ୟୁ ଗୋଚ୍ଛାୟତ, ସୁନାକର ବେହେରା ଓ ଶଶାଙ୍କ କୁମାର ଜେନା ଅପେକ୍ଷା କରିଛନ୍ତି।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନାମାଙ୍କନ ଦାଖଲ ଏପ୍ରିଲ ୨୫ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ନିର୍ବାଚନ କମିସନ ଜାରି କରିଛନ୍ତି। ୧୩ରେ ଭୋଟ ଗ୍ରହଣ କରାଯିବ। ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ।
ନୀଳଗିରିରେ ଦୀର୍ଘ ବର୍ଷ ହେଲା ସନ୍ତୋଷ ଖଟୁଆ ବିଜେଡିର ସଂଗଠନ କରିଛନ୍ତି। କିନ୍ତୁ ବିଜେପି ଛାଡ଼ି ନିକଟରେ ବିଜେଡିରେ ଯୋଗ ଦେଇଥିଲେ ବିଧାୟକ ସୁକାନ୍ତ ନାୟକ। ତେଣୁ ଏହି ୨ ନେତାଙ୍କ ମଧ୍ୟରୁ ବିଜେଡି କାହାକୁ ପ୍ରାର୍ଥୀ କରିବ, ସେନେଇ ସ୍ପଷ୍ଟ ହୋଇପାରୁ ନାହିଁ। ବିଜେପି ମଧ୍ୟ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଥିବା କୁହାଯାଉଛି। କଂଗ୍ରେସର ସ୍ଥାନୀୟ ପ୍ରାର୍ଥୀ ରାଣୀ ତଥା ରାଜ୍ୟ କଂଗ୍ରେସର ସହସଂପାଦିକା ମନୋଜ ମଂଜରୀ ଦେବୀ ପୂର୍ବରୁ ଏଆଇସିସି ଚିଠି ଲେଖି ନିର୍ବାଚନ ଲଢ଼ିବେ ନାହିଁ ବୋଲି ମନା କରିଦେଇଥିଲେ। କଂଗ୍ରେସ ପାଖରେ ଏବେ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଦୁଇ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଓ ଚିତ୍ତରଂଜନ ଷଡ଼ଙ୍ଗୀ ନିଜର ସମର୍ଥକ ଜୁଟଇବାରେ ଲାଗିପଡ଼ିଛନ୍ତି। ନୂତନ ମୁହଁ ଭାବେ ସମାଜସେବୀ ତପନ ରାଉତ ମଧ୍ୟ ଟିକେଟ ପାଇଁ ଆଶା ରଖିଛନ୍ତି।
Follow Us