ରାସ୍ତାକୁ ଆସିଲା ଗ୍ୟାସ୍‌, ଚାଷୀ ପ୍ରସଙ୍ଗ

Advertisment

ରାଜଭବନ ସାମ୍ନାରେ ଧାରଣା ଦେଲା ବିଜେଡି, ମାଷ୍ଟର୍‌ କ୍ୟାଣ୍ଟିନ୍‌ରେ ବିଜେପିର ବିକ୍ଷୋଭ

ରାଜଭବନ ସାମ୍ନାରେ ଧାରଣା ଦେଲା ବିଜେଡି, ମାଷ୍ଟର୍‌ କ୍ୟାଣ୍ଟିନ୍‌ରେ ବିଜେପିର ବିକ୍ଷୋଭ

ରାସ୍ତାକୁ ଆସିଲା ଗ୍ୟାସ୍‌, ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର : ଗ୍ୟାସ୍‌ ଦର ବୃଦ୍ଧି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୀତି ରାସ୍ତାକୁ ଆସିଛି। ବିଜେଡି ଓ ବିଜେପି ଏହି ଦୁଇ ପ୍ରସଙ୍ଗରେ ବୟାନବାଜି କଲା ପରେ ରାସ୍ତାକୁ ଓହ୍ଲାଇଛନ୍ତି। ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସାମ୍ନାରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି। ସେହିପରି ଚାଷୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମାଷ୍ଟର୍‌ କ୍ୟାଣ୍ଟିନ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ଧାରଣା କାର୍ଯ୍ୟକ୍ରମରେ ଦଳୀୟ ନେତାମାନେ ଗ୍ୟାସ୍‌ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେମାନେ କହିଥିଲେ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଉଭୟ ସବ୍‌ସିଡି ଓ ଅଣ-ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର୍‌ ମୂଲ୍ୟରେ ବୃଦ୍ଧି କରିଛନ୍ତି। ଚଳିତ ଆର୍ଥିକ ବର୍ଷ ସୁଦ୍ଧା ସମସ୍ତ ରିହାତି ଉଚ୍ଛେଦ କରିବା ଲକ୍ଷ୍ୟ ନେଇ ପ୍ରତି ମାସରେ ଏଲ୍‌ପିଜି ସିଲିଣ୍ଡର୍‌ ମୂଲ୍ୟରେ ବୃଦ୍ଧି ଘଟାଇବା ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଏହି ଦରବୃଦ୍ଧି କରାଯାଇଛି। ୨୦୧୬ ଜୁଲାଇ ମାସରେ ସରକାର ଏ ନେଇ ନୀତିଗତ ନିଷ୍ପତ୍ତି ନେଇଥିଲେ। ଏହା ପରଠାରୁ ଆଜି ସୁଦ୍ଧା ରନ୍ଧନ ଗ୍ୟାସ୍‌ ମୂଲ୍ୟରେ ୧୯ ଥର ବୃଦ୍ଧି ହେଲାଣି। ମୋଦି ସରକାରଙ୍କ ଏପରି ଜନବିରୋଧୀ ନିଷ୍ପତ୍ତି ଯୋଗୁଁ ସାଧାରଣ ଜନତା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାର ଯେଉଁମାନଙ୍କୁ ସବ୍‌ସିଡିରେ ଗ୍ୟାସ୍‌ ଦେଇଛନ୍ତି, ସେମାନେ ଏବେ ଏହି ଦର ବୃଦ୍ଧି ଯୋଗୁଁ ରିଫିଲିଂ କରିପାରୁ ନାହାନ୍ତି।  କେନ୍ଦ୍ର ସରକାର ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିର ପ୍ରତ୍ୟାହାର ନ ହେଲେ ରାଜ୍ୟର ୩୧୪ ବ୍ଲକ୍‌ ଅଫିସ୍‌ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ। ଏହି ବିକ୍ଷୋଭରେ ମନ୍ତ୍ରୀ ଉଷା ଦେବୀ, ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟିକା ଟୁକୁନି ସାହୁ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର ଭାରତୀ ସିଂହଙ୍କ ସମେତ ବହୁ କର୍ପୋରେଟର୍‌ ଓ ବିଜେଡି ନେତ୍ରୀ ଯୋଗ ଦେଇଥିଲେ।

publive-imageଚାଷୀ ପ୍ରସଙ୍ଗକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମାଷ୍ଟର୍‌ କ୍ୟାଣ୍ଟିନ୍‌ ଛକରେ ପ୍ରତିବାଦ ସଭା ଆୟୋଜନ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଘଣ୍ଟନାଦ କରି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ମାରଣ ନୀତି ବିରୋଧରେ ବିକ୍ଷୋଭ କରିଥିଲେ। ଦଳର ନେତାମାନେ ଅଭିଯୋଗ କରିଥିଲେ, ରାଜ୍ୟ ସରକାର ଓ ବିଜେଡି ଉପରୁ ଚାଷୀମାନେ ଆସ୍ଥା ହରାଇ ସାରିଲେଣି। ଫସଲହାନୀ ଯୋଗୁଁ ଗୋଟିଏ ସପ୍ତାହରେ ୫ ଜଣ ଚାଷୀ ଆତ୍ମହତ୍ୟା କଲେଣି। କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ନିଦ୍ରାରେ ଶୋଇଛନ୍ତି। ବାରମ୍ବାର ଗୁହାରି ଜଣାଇବା ସତ୍ତ୍ୱେ ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ଠାରୁ ସମସ୍ୟା ସମାଧାନ ପାଇଁ ଆଶ୍ୱାସନା ନ ମିଳିବାରୁ ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା କଲେ। ଏହା ଅତ୍ୟନ୍ତ ଲଜ୍ଜାଜନକ। ଏହା ହିଁ ଶାସକ ବିଜେଡିର ସମ୍ବେଦନହୀନତାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ପ୍ରତିବାଦ ସଭାରେ ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ସାଧାରଣ ସମ୍ପାଦକ ରବି ନାରାୟଣ ମହାପାତ୍ର, ସମ୍ପାଦକ ଶ୍ରୀରଞ୍ଜନ ମଙ୍ଗରାଜଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଚାଷୀ ସାମିଲ୍‌ ହୋଇଥିଲେ।

ଗ୍ୟାସ୍‌ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଏଲ୍‌ପିଜି ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ କୁମ୍ଭୀର କାନ୍ଦଣା। ଆନ୍ତର୍ଜାତିକ ବଜାରରେ ଏଲ୍‌ପିଜିର ମୂଲ୍ୟ ଅଧିକ ବୃଦ୍ଧି ହୋଇଥିବା ସତ୍ତ୍ୱେ ସବ୍‌ସିଡି ଯୁକ୍ତ ଗ୍ରାହକମାନଙ୍କ ଉପରେ କୌଣସି ବୋଝ ନ ଲଦିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ୪ ଟଙ୍କା ୬୦ ପଇସା ବୃଦ୍ଧି ହୋଇଛି, ତାହା ପାଞ୍ଚ ପ୍ରତିଶତ ଜିଏସ୍‌ଟି କାରଣରୁ ହୋଇଛି। ଏହା ଜିଏସ୍‌ଟି କାଉନ୍‌ସିଲ୍‌ରେ ନିଷ୍ପତ୍ତି ହୋଇଛି ଓ ଏଥିରେ ଓଡ଼ିଶା ସରକାରଙ୍କ ସହମତି ରହିଛି। ଏହି ୪ ଟଙ୍କା ୬୦ ପଇସାର ୪୨ ପ୍ରତିଶତ ସିଧା ରାଜ୍ୟ ତହବିଲ୍‌କୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe