ଅପରାଧକୁ ନେଇ ରାଜନୀତି କରିବା ଫର୍ମୁଲା କାମ ଦେବନି: ବିଜେଡି

Advertisment

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ ଦର୍ଶାଇଲା ବିଜେଡି

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ ଦର୍ଶାଇଲା ବିଜେଡି

ପଦାରେ ପଡ଼ିଲା ମନମୋହନଙ୍କ ସଭାପତିତ୍ବକୁ ନେଇ ବିଜେପିର ଅସନ୍ତୋଷ: ବିଜେଡି

ଭୁବନେଶ୍ୱର : ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଇଥିବା ମନ୍ତବ୍ୟକୁ ହାସ୍ୟାସ୍ପଦ ବୋଲି କହିଛି ବିଜେଡି। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମଦ ଜନିତ ଦୁର୍ଘଟଣା ହେଉ କିମ୍ବା ପୋଲ ଭୁଶୁଡ଼ିବା ହେଉ ଅନେକ ଲୋକଙ୍କ ମୃତ୍ୟୁ ତଥା ମହିଳାଙ୍କ ପ୍ରତି ହେଉଥିବା ଅପରାଧ ମଧ୍ୟ ରହିଛି। ଅଧିକାଂଶ କ୍ଷେତ୍ରରେ ଲୋକମାନେ ନ୍ୟାୟିକ ତଦନ୍ତ ଦାବି କରିଥିଲେ ମଧ୍ୟ ତାହା କେବେ ହୋଇନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପାତ୍ର କହିଲେ ଯେ ଆପଣଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଅପରାଧିକ ମାମଲାର ରାଜନୀତିକରଣ କରିବା ଓ ରାଜନୈତିକ କାହାଣୀ ସୃଷ୍ଟି କରିବା। ଏହି ମାମଲାର ତଦାରଖ ପାଇଁ ଓଡ଼ିଶା ହାଇକୋର୍ଟ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କୁ ଦାୟିତ୍ୱ ଦେଇଛନ୍ତି। ଏଥିରେ ଆମ ପାଇଁ ଲୁଚାଇବାର କିଛି ନାହିଁ। ଆପଣ ନିଜ ବିବୃତ୍ତିରେ ବାରମ୍ବାର ହାଇକୋର୍ଟଙ୍କ ନାମ ନେଇଥିଲେ, କିନ୍ତୁ ଆପଣ ହାଇକୋର୍ଟର ଜଣେ ବିଚାରପତିଙ୍କ ତଦାରଖ ଉପରେ ସନ୍ଦେହ କରୁଛନ୍ତି। ଏହା କ’ଣ କେବଳ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାକୁ କି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ଅନ୍ତତଃ ପକ୍ଷେ ନ୍ୟାୟପାଳିକା ଉପରେ ଆପଣଙ୍କର ବିଶ୍ୱାସ ରହିବା ଉଚିତ ଓ ଆପଣ ସେମାନଙ୍କ ଅନୁଯାୟୀ ନ୍ୟାୟ ପ୍ରଦାନ କରିବାକୁ କୋର୍ଟଙ୍କୁ ସୁଯୋଗ ଦେବା ଉଚିତ। ସେମାନଙ୍କ ଉପରେ ସନ୍ଦେହ ଏବଂ ପ୍ରଶ୍ନ ସୃଷ୍ଟି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ବିରୋଧୀ ଦଳ ନେତା ଓ କେନ୍ଦ୍ରମନ୍ତ୍ରୀ ବି ଜାମିନରେ ଅଛନ୍ତି

ଶ୍ରୀ ପାତ୍ର ଆହୁରି କହିଲେ, ହତ୍ୟା ମାମଲା ସମେତ ୧୪ଟି ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ଜଣେ ବରିଷ୍ଠ ବିଜେପି ନେତା ଆପଣଙ୍କ ଦ୍ୱାରା ଓଡ଼ିଶା ବିଧାନସଭାରେ ବିରୋଧୀଦଳର ନେତା ଭାବରେ ନିଯୁକ୍ତ ହୋଇଛନ୍ତି। ଅତୀତରେ ସେ ଜେଲରେ ଥିଲେ ଏବଂ ବିଜେପୁର ଉପନିର୍ବାଚନ ସମୟରେ ଘଟିଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ସେ ଜାମିନରେ ଆସି ନାହାନ୍ତି କି? ଆପଣ ଆପଣଙ୍କର ଏଭଳି ଲୋକଙ୍କୁ ବିରୋଧୀ ଦଳର ନେତା କରୁଥିବା ବେଳେ ଓଡିଶା ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଆପଣଙ୍କର ନୈତିକତା ଅଛି କି ? ବିଜେପିର ବର୍ତ୍ତମାନର ଯୁବ ମୋର୍ଚ୍ଚା ସଭାପତି ଜେଲ୍‌ରେ ଥିଲେ ଓ ଭଟ୍‌ଲି ହତ୍ୟାକାଣ୍ଡ ଘଟଣାରେ ଏବେ ଜାମିନରେ ଆସିଛନ୍ତି। ଏହା କ’ଣ ଲଜ୍ଜାଜନକ ନୁହେଁ କି ? ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଆପଣଙ୍କ ନେତା ମୟୂରଭଞ୍ଜରେ ସରକାରୀ କର୍ମଚାରୀଙ୍କ ହାତକୁ ଭାଙ୍ଗି ଦେଇଥିଲେ ଓ ବର୍ତ୍ତମାନ ଜାମିନରେ ଅଛନ୍ତି। ନିଜର ରାଜନୈତିକ ଲାଭ ତଥା ଅଧିକାଂଶ କ୍ଷେତ୍ରରେ ଅପରାଧୀଙ୍କ ପକ୍ଷ ରଖିବା ପାଇଁ ଅପରାଧିକ ମାମଲାକୁ ରାଜନୀତିକରଣ କରିବାର ବିଜେପିର ରଣନୀତିକୁ ଲୋକମାନେ ଦେଖୁଛନ୍ତି। ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି କିଏ ସୃଷ୍ଟି କରୁଛି ଏବଂ କିପରି କରୁଛି ତାହା ଓଡ଼ିଶାର ଲୋକମାନେ ଜାଣିଛନ୍ତି। ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି ସେଥିରେ ଆପଣ ସଫଳ ହେବେ ନାହିଁ। ଅତୀତରେ ଓଡ଼ିଶାର ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ଭବିଷ୍ୟତରେ ଆପଣଙ୍କର ଏଭଳି ରାଜନୀତିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe