ବେଦାନ୍ତ ସପକ୍ଷରେ ବାହାରିଲା ବିଜେଡି; ପ୍ରଫୁଲ୍ଲ ସାମନ୍ତରା ଅଶାନ୍ତି ସୃଷ୍ଟି କରୁଛନ୍ତି: ବିଜେଡି

Advertisment

ଆଦିବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ: ପ୍ରଫୁଲ୍ଲ

ଆଦିବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ: ପ୍ରଫୁଲ୍ଲ

ବେଦାନ୍ତ ସପକ୍ଷରେ ବାହାରିଲା ବିଜେଡି; ପ୍ରଫୁଲ୍ଲ ସାମନ୍ତରା ଅଶାନ୍ତି ସୃଷ୍ଟି କରୁଛନ୍ତି: ବିଜେଡି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ଖଣି ଖନନକୁ କେନ୍ଦ୍ର କରି ତେଜିଲା ରାଜନୀତି। ବେଦାନ୍ତ କଂପାନି ସପକ୍ଷରେ ସିଧାସଳଖ ମଇଦାନକୁ ଓହ୍ଲାଇଲା ବିଜେଡି। ଆଜି ସାମ୍ବାଦିକ ସମ୍ମିଳନୀ କରି ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧରେ ବିଜେଡି ନେତା ବର୍ଷିଛନ୍ତି। ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ବିଜେଡି ରାଜ୍ୟ ସଂପାଦକ ଜଗଦୀଶ ପାତ୍ର କହିଛନ୍ତି, କାଶୀପୁର ଭଳି ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ପ୍ରଫୁଲ୍ଲ ସାମନ୍ତରା ଅଶାନ୍ତି ସୃଷ୍ଟି କରୁଛନ୍ତି। ସୁଙ୍ଗେର ପଞ୍ଚାୟତର ସିଜିମାଳି ଖଣି ଖନନ ପାଇଁ ସ୍ଥାନୀୟ ଲୋକ ବିରୋଧ କରୁନାହାନ୍ତି। ପ୍ରଫୁଲ୍ଲ ଏହି ଅଞ୍ଚଳ ଗସ୍ତ କରି ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଖଣି ଖନନକୁ ବିରୋଧ କରିବାକୁ ମତାଉଛନ୍ତି। କାଶୀପୁର ଭଳି ଦରିଦ୍ର ବ୍ଲକ୍‌ର ବିକାଶ ନିମନ୍ତେ ପ୍ରଥମେ ଉତ୍କଳ ଆଲୁମିନାକୁ ଖଣି ଦିଆଯାଇଥିଲା। ଏବେ ବେଦାନ୍ତକୁ ଖଣି ଦେଇ ଅଞ୍ଚଳର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରଫୁଲ୍ଲ ଆଦିବାସୀଙ୍କ ଉସୁକାଇ ଆଇନ ହାତକୁ ନେବା ପାଇଁ ବାଧ୍ୟ କରୁଛନ୍ତି। ଏଥିପାଇଁ ଆଗାମୀ ଦିନରେ ପ୍ରଫୁଲ୍ଲଙ୍କୁ କାଶୀପୁର ବ୍ଲକ୍‌ରେ ପଶିବାକୁ ଦେବୁନାହିଁ ବୋଲି ବିଜେଡି ନେତା ଚେତାବନୀ ଦେଇଛନ୍ତି।

ପୂର୍ବରୁ କାଶୀପୁରରେ ଲୋକେ ଆମ୍ବଟାକୁଆ ଜାଉ ଓ ଅଖାଦ୍ୟ ଖାଉଥିଲେ। ଅଜଣା ରୋଗରେ ଲୋକେ ଅକାଳରେ ଲୋକ ମୃତ୍ୟୁବରଣ କରୁଥିଲେ। ଏହାକୁ ଦୃଷ୍ଟିରେ ରଖି ଖଣି ମାଧ୍ୟମରେ ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆଣିବାକୁ ଉଦ୍ୟମ ହେଉଛି। ଖଣିରୁ ଯାହା ଲାଭ ହେବ ତାହାକୁ ଅଞ୍ଚଳର ବିକାଶରେ ଖର୍ଚ୍ଚ କରାଯିବ। କିନ୍ତୁ ପ୍ରଫୁଲ୍ଲଙ୍କ କଥାରେ ଲୋକେ ଭଲ କଣ ମନ୍ଦ କଣ ଜାଣିପାରୁନାହାନ୍ତି। ତେଣୁ ଲୋକଙ୍କୁ କେଉଁ ଭଳି ସୁବିଧା ଆଗକୁ ମିଳିବ ଅବଗତ କରାଯିବ। ଲୋକେ ସତ ଜାଣିଲେ ଆଉ ବିରୋଧ କରିବେ ନାହିଁ। ଶାନ୍ତିପୂର୍ଣ୍ଣ କାଶୀପୁରରେ ଅଶାନ୍ତି ହେବାକୁ ଦେବୁ ନାହିଁ। ରାଜ୍ୟ ସରକାରଙ୍କ ଖଣି ଖନନରେ ସହଯୋଗ ରହିଛି ବୋଲି ବିଜେଡି ନେତା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠ ମାଝି, ଜିଲ୍ଲା ପରିଷଦ ସଭ୍ୟା ରତ୍ନମାଳା ପରିଛା, ଶରତ ଚନ୍ଦ୍ର ଗୌଡ, ନବ ପ୍ରସାଦ ମିଶ୍ର, ଜିଲ୍ଲା ସଂପାଦକ ଭାସ୍କର ପାଟଯୋଶୀ, ରତିକାନ୍ତ ନାୟକ, ମଦନ ମାଝି, ଜଳଧର ନାୟକ, ସୁମିତ୍ରା ନାୟକ ଉପସ୍ଥିତ ଥିଲେ।
ବିଜେଡିର ଧମକ ପରେ ପ୍ରଫୁଲ୍ଲ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଚେତାବନୀ ଅଶୋଭନୀୟ ଏବଂ ଅସାମ୍ବିଧାନିକ। କାଶୀପୁରର ବାଫଲାମାଳି ଖଣି ଖନନ କରି ପରିବେଶକୁ ପ୍ରଦୂଷିତ କରି ସାରିଲେଣି। ବିଷାକ୍ତ ପରିବେଶରେ ଲୋକ ରହୁଛନ୍ତି। ସିଜିମାଳି, କୁତୁରମାଳି ଖଣି ଖନନ ହେଲେ ସମାନ ପରିସ୍ଥିତି ସୃଷ୍ଟି ହେବ। ତେଣୁ ରାଜ୍ୟ ସରକାରଙ୍କ ଏଭଳି ଖଣି ଲୁଟ୍‌କୁ ବିରୋଧ କରିବେ। ଆଦିବାସୀଙ୍କ ସୁରକ୍ଷା ଓ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ। ଏଭଳି ଧମକ ପାଇଁ ବିଜେଡି ନେତାଙ୍କୁ ସାଧୁବାଦ। ମୁଖ୍ୟମନ୍ତ୍ରୀ ଏଭଳି ଧମକ ଦେବାକୁ ସ୍ବୀକୃତି ଦେଇଛନ୍ତି କି ବୋଲି ପ୍ରଫୁଲ୍ଲ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe