କୁଚିଣ୍ଡାରେ ପୁଣି ପ୍ରାର୍ଥୀ ବଦଳାଇଲା ବିଜେଡି: ବିଧାୟକ କିଶୋରଙ୍କ ବଦଳରେ ରାଜେନ୍ଦ୍ର ଛତ୍ରିଆ ପ୍ରାର୍ଥୀ

ଘୁ.ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ବିଜେଡିରୁ ସାଲୁଗା ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ

The Hans India

ସମ୍ବଲପୁର: କୁଚିଣ୍ଡା ବିଧାନସଭା ଆସନରେ ପୁଣିଥରେ ପ୍ରାର୍ଥୀ ବଦଳାଇବାର ପରମ୍ପରା ବିଜେଡି ବଜାୟ ରଖିଛି। ଏଥରକ ବିଧାୟକ କିଶୋର ନାୟକଙ୍କ ବଦଳରେ କଂଗ୍ରେସ ଛାଡ଼ି କିଛିଦିନ ତଳେ ଦଳରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ଦଳ ପ୍ରାର୍ଥୀ କରିଛି। କିଷାନ ଜାତିର ଭୋଟ ହାତେଇବା ଉଦ୍ଦେଶ୍ୟରେ ଶ୍ରୀ ଛତ୍ରିଆଙ୍କୁ ପ୍ରାର୍ଥୀ କରିଥିବା ନେଇ ଚର୍ଚ୍ଚା ହେଉଛି। ବିଜେଡି ଗଠନପରେ ଅନୁଷ୍ଠିତ ପ୍ରଥମ ଦୁଇଟି ନିର୍ବାଚନ ୨୦୦୦ ଓ ୨୦୦୪ ମସିହାରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଭାବେ ବିଜେପି ନେତା ରବିନାରାୟଣ ନାଏକ ବିଜୟୀ ହୋଇଥିଲେ। ମେଣ୍ଟ ଭାଙ୍ଗିବା ପରେ ୨୦୦୯ ମସିହା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବୃନ୍ଦାବନ ମାଝୀ ପରାଜିତ ହୋଇଥିଲେ। କିଷାନ ଜାତିର ଭୋଟକୁ ଦୃଷ୍ଟିରେ ରଖି ୨୦୧୪ ମସିହା ନିର୍ବାଚନରେ ଦଳ ପ୍ରାର୍ଥୀ ବଦଳାଇ ଭୁବନେଶ୍ୱର କିଷାନଙ୍କୁ ଟିକେଟ ଦେଇଥିଲା। ହେଲେ, ସେ ବିଜେପି ପ୍ରାର୍ଥୀ ରବିନାରାୟଣ ନାଏକଙ୍କଠାରୁ ପରାଜିତ ହୋଇଥିଲେ।

ସେହି ନିର୍ବାଚନରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିବା ଶ୍ରୀ ଛତ୍ରିଆ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୯ ମସିହାରେ ବିଜେଡି ପୁଣି ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। କିଶୋରଙ୍କ ବିଜୟ ସହିତ ବିଜେଡି ଏହି ଆସନ ପ୍ରଥମଥର ପାଇଁ ଅକ୍ତିଆର କରିଥିଲା। ତେବେ, ଚଳିତ ନିର୍ବାଚନରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିନାହିଁ। ଗତ ୫ ଦିନ ତଳେ ବିଜେଡିରେ ସାମିଲ୍‌ ହୋଇଥିବା ଶ୍ରୀ ଛତ୍ରିଆଙ୍କୁ ପ୍ରାର୍ଥୀ କରିଛି। ସମ୍ବଲପୁର ଲୋକସଭା ଆସନରୁ ଏଥର ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବାରୁ ବିଜେଡି ଉଭୟ ଲୋକସଭା ଓ ବିଧାନସଭା ଆସନ ଅକ୍ତିଆର କରିବା ଲକ୍ଷ୍ୟରେ କି‌ଷାନ ଭୋଟକୁ ନଜର ରଖିଛି। କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ପ୍ରାୟ ୭୦ ହଜାର ମତଦାତା କିଷାନ ଜାତିର ରହିଛନ୍ତି। ସେଇଥିପାଇଁ ଦଳ ଏହିଭଳି ରଣନୀତି ଆପଣାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe