୧୫ରେ ରାଜଭବନ ସମ୍ମୁଖରେ ବିଜେଡିର ଗଣଧାରଣା: ସାର କଳାବଜାରୀ ରୋକିବାରେ ସରକାର ବିଫଳ

ସାର ଅଭାବକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଜେଡି ଆଜି ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ସରକାର ବାରମ୍ବାର ଦାବି କରୁଛନ୍ତି।

bjd

ଭୁବନେଶ୍ୱର: ସାର ଅଭାବକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଜେଡି ଆଜି ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ସରକାର ବାରମ୍ବାର ଦାବି କରୁଛନ୍ତି। ତେବେ ସମବାୟ ବିଭାଗର ତଥ୍ୟ ଗଣମାଧ୍ୟମ ଆଗରେ ରଖି ରାଜ୍ୟରେ ସାର ନିଅଣ୍ଟ ଅଛି ବୋଲି ଯୁକ୍ତି ବାଢ଼ିଛି ବିଜେଡି। ସାର ସମସ୍ୟାର ତୁରନ୍ତ ସମାଧାନ ଦାବିରେ ୧୫ ତାରିଖରେ ବିଜେଡି ରାଜଭବନ ସମ୍ମୁଖରେ ଧାରଣା ଦେବ। ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ପ୍ରତି ବ୍ଲକ୍‌ରେ ଦଳ ଆନ୍ଦୋଳନ କରିବ ବୋଲି କୁହାଯାଇଛି। 

ଶଙ୍ଖଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଓ ବିଧାୟିକା ପ୍ରମିଳା ମଲ୍ଲିକ କହିଲେ, ସାର ଯୋଗାଣକୁ ବ୍ୟବସ୍ଥିତ କରିବା ଓ ସାରର କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାରର ନିଅଣ୍ଟ ସ୍ଥିତି ଯୋଗୁଁ କୃଷକମାନେ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସାର ସମସ୍ୟା ଉପରେ ସମୀକ୍ଷା କରିବା ପରେ ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ରହିଛି ବୋଲି କହିଥିଲେ। ପୂର୍ବରୁ ମଧ୍ୟ ସେ ସମୀକ୍ଷା କରିବା ପରେ ସାର ମହଜୁଦ ଥିବା କଥା କହିଥିଲେ। ସରକାର ସମସ୍ୟାର ସମାଧାନ ନକରି କେବଳ ସମୀକ୍ଷା ନାଁରେ ସାରର ଅଭାବ ନାହିଁ ବୋଲି ମିଥ୍ୟା ଦାବି କରୁଛନ୍ତି। ସମବାୟ ବିଭାଗରେ ସାରର ସ୍ଥିତି ଓ ବଣ୍ଟନ ପ୍ରକ୍ରିୟାକୁ ନେଇ ନିକଟରେ ହୋଇଥିବା ଏକ ସମୀକ୍ଷା ବୈଠକରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଦାବି ଏକ ପ୍ରହସନ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି।

ଏହି ବୈଠକରେ ଆସିଥିବା ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲାରେ ୧୯, ୫୬୧ ମେଟ୍ରିକ୍‌ ଟନ୍‌ ସାର ପାଇଁ ଇଣ୍ଡେଣ୍ଟ୍‌ ଦେଇଥିଲା ବେଳେ ସରକାରଙ୍କ ତରଫରୁ ମାତ୍ର ୧୦, ୬୪୦ ମେଟ୍ରିକ୍‌ ଟନ୍‌ ସାର ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାରେ ୬୧୮୮ ମେଟ୍ରିକ୍‌ ଟନ୍‌ ସାର ମଗାଯାଇଥିବା ବେଳେ ମିଳିଛି ମାତ୍ର ୮୬୩ ମେଟ୍ରିକ୍‌ ଟନ୍‌। ସେହିପରି ଅନୁଗୁଳ ଜିଲ୍ଲାରେ ୮୧୦୦ ମେଟ୍ରିକ୍‌ ଟନ୍‌ ସାର ଆବଶ୍ୟକତା ଥିଲା ବେଳେ ମିଳିଛି ୪୯୫୪ ମେଟ୍ରିକ ଟନ୍‌। ପ୍ରାୟ ସମସ୍ତ ଜିଲ୍ଲାରେ ସାର ଆବଶ୍ୟକ ପରିମାଣଠାରୁ ବହୁତ କମ୍‌ ଦିଆଯାଇଛି। ପରିତାପର ବିଷୟ ହେଲା, ସରକାର ସ୍ଥିତିକୁ ସାମନା କରିବା ପରିବର୍ତ୍ତେ ମିଥ୍ୟା ଦାବି ମାଧ୍ୟମରେ ରାଜ୍ୟର କୃଷକଙ୍କୁ ଭୁଆଁ ବୁଲାଉଛନ୍ତି। ୭ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଳଚେର ସାର କାରଖାନା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାରଖାନା ୩୬ ମାସରେ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲା। କିନ୍ତୁ ୭ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସାର କାରଖାନା କାହିଁକି କାର୍ଯ୍ୟକ୍ଷମ ‌ହୋଇନି ବୋଲି ବିଜେଡି ପ୍ରଶ୍ନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe