ଭୁବନେଶ୍ବର : ବିଜେପି ନେତା ଶାରଦା ପ୍ରଧାନ ମାହାଙ୍ଗାରେ ନିର୍ବାଚନ ଲଢ଼ୁଛନ୍ତି, ହେଲେ ଭୁବନେଶ୍ବରରେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି। କେବଳ ଭୁବନେଶ୍ବର ନୂଆପଲ୍ଲୀ ଥାନା ନୁହେଁ, ବରଂ ମାହାଙ୍ଗା ଥାନାରେ ତାଙ୍କ ନାମରେ ମାମଲା(ଥାନା କେସ୍ ନଂ ୫୭/୯୯, ୪୬/୦୨, ଜିଆର କେସ୍ ନମ୍ବର ୧୫୬/୦୨ ଓ ୨୦୯/୯୯) ରହିଛି। ଜିଆର୍ କେସ୍ ନଂ ୨୦୯/୯୯ରେ ସେ ଜେଲ୍ରେ ୨୨ ଦିନ କାଟି ସାରିଛନ୍ତି। ଏବେ ନୂଆପଲ୍ଲୀ ଥାନାରେ ଡକାୟତି ମାମଲା ରୁଜୁ ହୋଇଛି। ଏଭଳି ନେତାଙ୍କୁ ପୁଲିସ କାହିଁକି ତୁରନ୍ତ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।
ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକ ଓ ଉପାଧ୍ୟକ୍ଷା ରସିଦା ବେଗମ୍, ନିଶ୍ଚିତକୋଇଲି ବ୍ଲକ ଅଧ୍ୟକ୍ଷ ସବିତା ଓଝା ଓ ଉପାଧ୍ୟକ୍ଷା ସବିତା ମହାନ୍ତି ପ୍ରମୁଖ ଶନିବାର ପୁଲିସ କମିସନରଙ୍କୁ ଭେଟି ନିରପେକ୍ଷ ତଦନ୍ତ କରି ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ଏହି ଅବସରରେ ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ୧୯୯୭ ମସିହାରେ ଶାରଦା ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ସେଥିରେ ସେ ବିପିଏଲ୍ ତାଲିକାଭୁକ୍ତ ବୋଲି ଦର୍ଶାଇଛନ୍ତି। ୨୦୦୨ରୁ ୨୦୨୦ ମସିହା ମଧ୍ୟରେ ସେ ବିଭିନ୍ନ ଅପରାଧରେ ଜଡ଼ିତ ଥିବାରୁ ତାଙ୍କ ନାମରେ ଫୌଜଦାରି ମାମଲା ରୁଜୁ ହୋଇଛି। ଓଆରଏଚ୍ଡିସିରେ ଅନିୟମିତତା, ଋଣ ଆଣି ନ ଫେରାଇବା, ଦଳିତଙ୍କ ଘରେ ପଶି ଆକ୍ରମଣ କରିବା ପ୍ରଭୃତି ଅଭିଯୋଗ ତାଙ୍କ ନାମରେ ରହିଛି। ବିପିଏଲ୍ ତାଲିକାରେ ଥିବା ଶାରଦା ରାଜନୈତିକ ଦଳ ବିଜେପିର ସମର୍ଥନରେ ସେ ଏଭଳି ଅପରାଧରେ ଜଡ଼ିତ ହୋଇ କୋଟିପତି ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ କେବଳ ଶାରଦା ନୁହନ୍ତି, ନୂଆପଲ୍ଲୀ ଆକ୍ରମଣ ମାମଲାରେ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଓ ଜ୍ବାଇଁ ସୁଭ୍ରାଂଶୁଙ୍କ ସମେତ ଆହୁରି ୨୦ ଜଣଙ୍କୁ ସ୍ବତନ୍ତ୍ର ପୁଲିସ ଟିମ୍ ଖୋଜୁଛି। ଘଟଣାସ୍ଥଳରୁ ଜବତ ହୋଇଥିବା ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।
Follow Us