ବିଜେଡି ଜିଲ୍ଲା କମିଟି ପୁନର୍ଗଠନ ଉପରେ ନଜର: କାହା ଭାଗ୍ୟରେ ସଭାପତି ମୁକୁଟ?

ଗଞ୍ଜାମ ଜିଲ୍ଲାରେ ସୁପ୍ତ ହୋଇ ପଡ଼ିଥିବା ବିଜେଡିକୁ ପୁଣିଥରେ ସଶକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଗ୍ରାମାଞ୍ଚଳଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସାଙ୍ଗଠନିକ ପୁନର୍ଗଠନ ପ୍ରକ୍ରିୟା ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୱାର୍ଡ ଓ ପଞ୍ଚାୟତସ୍ତରରେ କମିଟି କର୍ମକର୍ତ୍ତା ନିଯୁକ୍ତି ସରିଛି।

Ganjam district panchayat representative joined BJD

Ganjam district panchayat representative joined BJD

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସୁପ୍ତ ହୋଇ ପଡ଼ିଥିବା ବିଜେଡିକୁ ପୁଣିଥରେ ସଶକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଗ୍ରାମାଞ୍ଚଳଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସାଙ୍ଗଠନିକ ପୁନର୍ଗଠନ ପ୍ରକ୍ରିୟା ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୱାର୍ଡ ଓ ପଞ୍ଚାୟତସ୍ତରରେ କମିଟି କର୍ମକର୍ତ୍ତା ନିଯୁକ୍ତି ସରିଛି। ଏବେ ଜିଲ୍ଲା କମିଟି ପୁନର୍ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏହି କମିଟି ଗୁରୁଦାୟିତ୍ବ ବହନ କରିବ। ୨୦୨୪ ସାଧାରଣ ନିର୍ବାଚନ ଫଳାଫଳରେ ଭାଙ୍ଗି ପଡ଼ିଥିବା କର୍ମୀଙ୍କୁ ନେଇ ବିଜେଡି ତା’ର ଆଗାମୀ ରଣନୀତି ପ୍ରସ୍ତୁତ କରିବ। ଗଞ୍ଜାମ ଜିଲ୍ଲା ବିଜେଡି ସଂଗଠନ ବିଜେପି ଓ କଂଗ୍ରେସ ଭଳି ଦୁଇ ବା ତିନୋଟି ନୁହେଁ, ଗୋଟିଏ ସାଂଗଠନିକ ଜିଲ୍ଲା ହୋଇ ରହିବ ଏବଂ ଜଣେ ସଭାପତି ନିଯୁକ୍ତ ହେବେ। ଗତବର୍ଷ ଅଗଷ୍ଟ ମାସରେ ବିଜେଡିର ରାଜ୍ୟସ୍ତରୀୟ ସମନ୍ବୟ କମିଟିର ସଦସ୍ୟମାନେ ଏ ନେଇ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଦୁଇଟି ଜିଲ୍ଲା ଗଠନ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନଥିବା ଗଞ୍ଜାମ ଜିଲ୍ଲା ବିଜେଡିର ନିର୍ବାଚନ ଅଧିକାରୀ ଦେବାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି। ଏଣେ ଜିଲ୍ଲା ସଂଗଠନର ପୁନର୍ଗଠନ ପ୍ରକ୍ରିୟା ଜାରି ରହିଛି। ସବୁ ମହଲରେ ଉତ୍ସୁକତା, ନୂଆ ଜିଲ୍ଲା ସଭାପତି ଭାବେ ଜଣେ ବରିଷ୍ଠ ନେତାଙ୍କୁ ଦଳ ଅଗ୍ରାଧିକାର ଦେବ ନା ଜଣେ ଯୁବନେତାଙ୍କୁ ଏହି ଦାୟିତ୍ବ ମିଳିବ। 

ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳଗୁଡ଼ିକ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କଲେଣି। ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ବିଶିଷ୍ଟ ବିଶାଳ ଜିଲ୍ଲା ଗଞ୍ଜାମର ସଭାପତି ଯିଏ ରହିବେ ତାଙ୍କର ସାଂଗଠନିକ ଦକ୍ଷତା, ନେତୃତ୍ବ ଅଭିଜ୍ଞତା ଏ ସବୁ ଅତି ଗୁରୁତ୍ବପୂର୍ଣ୍ଣ। ବରିଷ୍ଠ ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୂର୍ବତନ ମନ୍ତ୍ରୀ ଉଷାଦେବୀ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ରହିଛନ୍ତି। ଶ୍ରୀ ଚ୍ୟାଉ ପଟ୍ଟନାୟକ ଚାରି ବର୍ଷ ହେଲା ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଏଣୁ ଜଣେ ନୂଆ ନେତାଙ୍କୁ ଦଳ ସଭାପତି ଦାୟିତ୍ବ ଦେବ ବୋଲି ଆଲୋଚନା ହେଉଛି। ସେପଟେ ପୂର୍ବତନ ମନ୍ତ୍ରୀ ଆରୁଖ ନିର୍ବାଚନ ପରଠୁ ସମ୍ପୂର୍ଣ୍ଣ ନିରବ ମୁଦ୍ରାରେ। ଉଷାଦେବୀ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ଗତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନଥିଲେ। ବରିଷ୍ଠ ନେତାଙ୍କୁ ବିଜେଡି ଦଳୀୟ ପରାମର୍ଶଦାତା ଭାବେ ଦାୟିତ୍ବ ଦେଉଥିବାରୁ ଜଣେ ଯୁବନେତା ଏଥର ଜିଲ୍ଲା ସଭାପତି ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଯୁବ ନେତୃତ୍ବକୁ ଯଦି ଦଳ ଗୁରୁତ୍ବ ଦିଏ, ମୁଖ୍ୟତଃ ଚର୍ଚ୍ଚାକୁ ଆସୁଛନ୍ତି ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ସୁବାସ ବେହେରା ଓ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା। ତେବେ ଦଳ ଏମାନଙ୍କ ମଧ୍ୟରୁ କାହାକୁ ସଭାପତି କରୁଛି ନା ଏମାନଙ୍କ ବ୍ୟତୀତ ଆଉ କାହାର ଆବିର୍ଭାବ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ଏ ସମ୍ପର୍କରେ ବିଜେଡିର ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି, ଜିଲ୍ଲା କମିଟି ପୁନର୍ଗଠନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ୱାର୍ଡ ଓ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ନିଯୁକ୍ତି କରାଯାଇ ତାଲିକା ପ୍ରସ୍ତୁତ ହୋଇସାରିଛି। ଆଗାମୀ ଦିନରେ ଜିଲ୍ଲା ସଭାପତିଙ୍କ ନାମ ଦଳର ସୁପ୍ରିମୋ ଘୋଷଣା କରିବେ। ଏପ୍ରିଲ୍‌ ମାସ ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe