ନୂଆପଡ଼ା : ନୂଆପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲା ସଦର ଏନ୍ଏସିରେ ଶନିବାର ଏକ ନୂତନ ହଷ୍ଟେଲ ନିର୍ମାଣର ଭୂମିପୂଜନ କାର୍ଯ୍ୟକ୍ରମ ରହିଥିଲା। ସୂଚନା ଫଳକରେ ନୂଆପଡ଼ା ବିଜେଡି ଜିଲ୍ଲା ଉପସଭାପତି ଓ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ନାମ ନଥିଲା। ଏଣୁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ମନ୍ତ୍ରୀ ଅଣଦେଖା କରିଥିବାରୁ ଅସନ୍ତୋଷ ଦେଖା ଦେଇଛି। ଗୋଟିଏ ଗୋଷ୍ଠୀ ସୂଚନାଫଳକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ସୂଚନାମତେ, ଶନିବାର ଦିନ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନୂଆପଡ଼ା ଏନ୍ଏସିର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି)ଠାରେ ଏକ ନୂତନ ହଷ୍ଟେଲ ନିର୍ମାଣର ଭୂମିପୂଜନ କାର୍ଯ୍ୟକ୍ରମ ରହିଥିଲା। ସୂଚନାଫଳକରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁଙ୍କ ନାମ ରହିଥିଲା। ଉକ୍ତ କାର୍ଯ୍ୟକ୍ରମ ବିଷୟରେ ନୂଆପଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ବିଜେଡି ନେତା ଦିଲୀପ ନିର୍ମଲକର, ବିଜେଡି ଜିଲ୍ଲା ଉପସଭାପତି ଭାନୁ ପ୍ରତାପ ସିଂ ମାଝୀ ଆଜି ସକାଳେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ପଚାରିଥିଲେ। ହେଲେ ଶିକ୍ଷା ବିଭାଗଠାରେ ମଧ୍ୟ କୌଣସି ଖବର ନଥିଲା। ଏହା ଜାଣିବା ପରେ ଅସନ୍ତୋଷ ପ୍ରକାଶ କରି କେଜିବିଭି ବିଦ୍ୟାଳୟକୁ ଯାଇ ସେଠାରେ ଲଗାଯାଇଥିବା ସୂଚନାଫଳକକୁ ଭାଙ୍ଗି ଦେଇଥିଲେ।
ବିଜେଡି ଜିଲ୍ଲା ଉପସଭାପତି ଭାନୁ ପ୍ରତାପ ସିଂ ମାଝୀ କହିଛନ୍ତି, ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଢୋଲକିଆ ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଅଣଦେଖା କରୁଛନ୍ତି। ଆଜିର ଭୂମିପୂଜନ କାର୍ଯ୍ୟକ୍ରମରେ ଅଣାଦେଖା କରାଯାଇଥିବାରୁ ସୂଚନାଫଳକକୁ ଭାଙ୍ଗି ଦିଆଯାଇଛି। ଯେ ପର୍ଯ୍ୟନ୍ତ ଜନପ୍ରତିନିଧିଙ୍କୁ ସମ୍ମାନ ମିଳିବ ନାହିଁ, ସେ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମକୁ କରାଇଦେବୁ ନାହିଁ ବୋଲି ସେ କହିଛନ୍ତି। ସେହିପରି ବିଜେଡି ନେତା ତଥା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲୀପ ନିର୍ମଲକର କହିଛନ୍ତି ଯେ, ନୂଆପଡ଼ା ପଞ୍ଚାୟତ ସମିତି ଅଧୀନରେ ବିଭିନ୍ନ ଭୂମିପୂଜନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ହେଉଛି। ହେଲେ ଜନପ୍ରତିନିଧିଙ୍କୁ କୌଣସି ସୂଚନା ଦେଉନାହନ୍ତି। ଯଦ୍ବାରା ନୂଆପଡ଼ା ବ୍ଲକର ସମସ୍ତ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ।
ସର୍ବଶେଷ ଖବର ଅନୁଯାୟୀ ମନ୍ତ୍ରୀ ଘଟଣା ସମ୍ପର୍କରେ ଜାଣିବା ପରେ ବ୍ଲକ ଉପାଧ୍ୟକ୍ଷଙ୍କୁ ଫୋନ୍ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଶ୍ରୀ ନିର୍ମଲକର ଥାନାରେ ଲଖିତ ଅଭିଯୋଗ କରିବା ପାଇଁ ନୂଆପଡ଼ା ଥାନାକୁ ଯାଇଥିଲେ। ହେଲେ କିଛି ବିଜେଡି ନେତା ଥାନାରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ସେ ଥାନାରେ ଅଭିଯୋଗ ନଦେଇ ଚାଲି ଯାଇଥିଲେ।
Follow Us