ଲୋକସଭା ଆସନ ପାଇଁ ବିଜେପି ସହ ବୁଝାମଣା କରିଛି ବିଜେଡି: ଭକ୍ତ

ଭୋଟ୍‌କୁ ନେଇ ସମଗ୍ର ଦେଶବାସୀ ଏବେ ସନ୍ଦେହ କରିବା ଆରମ୍ଭ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ସରକାର ବିରୋଧୀ ହାୱା ପାଇଁ ବିଜେପି ଗାଦିଚ୍ୟୁତ ହୋଇଥାନ୍ତା। ବିହାରରେ ଜେଡିୟୁ, ଆନ୍ଧ୍ରରେ ଟିଡିପି ଓ ଓଡ଼ିଶାରେ ବିଜେଡି ସୁପ୍ରିମୋ ୨୦ଟି ଲୋକସଭା....

sfsfsxcxccx

ଭୁବନେଶ୍ବର: ଭୋଟ୍‌କୁ ନେଇ ସମଗ୍ର ଦେଶବାସୀ ଏବେ ସନ୍ଦେହ କରିବା ଆରମ୍ଭ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ସରକାର ବିରୋଧୀ ହାୱା ପାଇଁ ବିଜେପି ଗାଦିଚ୍ୟୁତ ହୋଇଥାନ୍ତା। ବିହାରରେ ଜେଡିୟୁ, ଆନ୍ଧ୍ରରେ ଟିଡିପି ଓ ଓଡ଼ିଶାରେ ବିଜେଡି ସୁପ୍ରିମୋ ୨୦ଟି ଲୋକସଭା ଆସନରେ ବୁଝାମଣା କରି ନ ଥିଲେ, ବର୍ତ୍ତମାନର ବିଜେପି ସରକାର କେନ୍ଦ୍ରରେ କ୍ଷମତାରେ ନ ଥା’ନ୍ତା ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଆଜି କଂଗ୍ରେସ ଭବନରେ ରାହୁଲ ଗାନ୍ଧୀଙ୍କ ଭୋଟ୍‌ ଚୋରି ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଦାସ କହିଲେ, ବରିଷ୍ଠ ସାମ୍ବାଦିକ ପୂଣ୍ୟ ପ୍ରସୂନ ବାଜପେୟୀ ବାରମ୍ବାର ଏକଥା କହିଛନ୍ତି ଯେ ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ରରେ ସଂଧ୍ୟା ୫ଟାରୁ ୭ଟା ଭିତରେ ୪୨ଲକ୍ଷ ଅଧିକ ଭୋଟ୍‌ ପଡ଼ିଛି। ପ୍ରତି ସଂସଦୀୟ କ୍ଷେତ୍ରରେ ହାରହାରି ୨ଲକ୍ଷ ଭୋଟ୍‌ ବଢ଼ିଗଲା। ବିଜେଡି ୫୧ଟି ବିଧାୟକ ଆସନ ଜିତିଥିବା ବେଳେ ଗୋଟିଏ ଲୋକସଭା ଆସନ ଜିତିପାରିଲା ନାହିଁ। ଏହା ଭୋଟ୍‌ ଚୋରି ନୁହେଁ ତ ଆଉ କ’ଣ ? ୨୦୦୪ ମସିହାରେ ଓଡ଼ିଶାରେ ଏଭଳି ହୋଇଥିବା ଉଠାଇଥିଲି। ୧୫୧ଟି ବୁଥ୍‌ରେ ଫର୍ମ-ସିରେ ବ୍ୟବଧାନ ହୋଇଥିବା ନିର୍ବାଚନ କମିସନଙ୍କୁ ଜଣାଇଥିଲି। 

ସୋମବାର ଭୋଟ୍ ଚୋରିକୁ ନେଇ ପ୍ରତି ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ

ସେହିପରି ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ରାଜନୈତିକ ଦଳମାନଙ୍କୁ ପତ୍ର ଜାରି ହେବା ସହ କେଉଁ ବୁଥ୍‌ରେ କିଏ ଏଜେଣ୍ଟ ରହିବେ ତାହାର ତଥ୍ୟ ମଗାଯାଉଛି। ସାଧାରଣଭାବେ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ତାଙ୍କ ବୁଥ ଏଜେଣ୍ଟ ନିର୍ଦ୍ଧାରଣ କରିଥା’ନ୍ତି। ଏବେଠାରୁ ଏଜେଣ୍ଟଙ୍କ ନାଁ କମିସନଙ୍କୁ ଦିଆଗଲେ ସଂପୃକ୍ତ ଏଜେଣ୍ଟକୁ ହାତେଇବାର ଅଧିକ ସମ୍ଭାବନା ରହିଛି। ନକଲି ଭୋଟର ପ୍ରସ୍ତୁତ କରିବା କାମ ବିଜେପିର ଏଜେଣ୍ଟମାନେ କରୁଛନ୍ତି। ପରେ ସେହି ତାଲିକାକୁ ନିର୍ବାଚନ କମିସନ ଲାଗୁ କରୁଛନ୍ତି। କେନ୍ଦ୍ରରେ ଆଉ କ୍ଷମତାକୁ ଆସିପାରିବେ ନାହିଁ ବୋଲି କେନ୍ଦ୍ରର ବିଜେପି ବୁଝି ସାରିଲାଣି। ଚାଷୀ ସେମାନଙ୍କୁ ଘୃଣା କରୁଛନ୍ତି, ଯୁବକଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପ୍ରତାରଣାରେ ପରିଣତ ହୋଇଛି। 

ସେ ଆହୁରି ମଧ୍ୟ କହିଥିଲେ ରାଜ୍ୟର ବିଜେପି ସରକାର କେବଳ ପୁଞ୍ଜିପତି ଓ ଶିଳ୍ପପତିଙ୍କ ଉନ୍ନତି କରୁଛନ୍ତି। ସରକାରକୁ ଆସିବାର ଗୋଟିଏ ବର୍ଷ ଭିତରେ ଶହ ଶହ ଖଣିର ଲିଜ୍ ଦେବାକୁ ବସିଛନ୍ତି। ଅନୁଗୁଳରେ ୩୪ଟି କୋଇଲା ଖଣି ଲିଜ୍ ଦିଆଯାଇଛି। ଓଡ଼ିଶାର ବିକାଶ ବଦଳରେ ଭୋଟ୍‌ ଚୋରି କରି ରାଜ୍ୟ ସଂପତ୍ତିର ଲୁଟ୍‌ ଚାଲିଛି। ଆସନ୍ତା ସୋମବାର ପ୍ରତି ଜିଲ୍ଲା ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଯିବ। ଭୋଟ୍‌ ଚୋରି ପ୍ରସଙ୍ଗକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ ଅରବିନ୍ଦ ଦାସ ପୌରୋହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଓ ଶିବାନନ୍ଦ ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe