ବିଜେଡିରେ ହଲଚଲ: ବିବେକ ନା ବାଧ୍ୟବାଧକତା, ଦୁଇ ନାଆରେ ଗୋଡ଼ ରଖି ଅପଦସ୍ଥ

Advertisment

ୱକଫ୍‌ ବିଲ୍‌ ଭୋଟ୍‌ରେ ଭାଗ ନେଲା ବେଳେ ବିବେକ ଅନୁଯାୟୀ ଭୋଟ୍‌ ଦେବାକୁ ବିଜେଡି ସାଂସଦଙ୍କୁ କିଏ ନିର୍ଦ୍ଦେଶ ଦେଲା? ବିଜେଡି ସଂସଦୀୟ ଦଳର ଅଧ୍ୟକ୍ଷ ଥିବା ନିଜେ ସଭାପତି ନବୀନ ପଟ୍ଟନାୟକ ନା ତାଙ୍କ ପକ୍ଷରୁ ଆଉ କିଏ?

ୱକଫ୍‌ ବିଲ୍‌ ଭୋଟ୍‌ରେ ଭାଗ ନେଲା ବେଳେ ବିବେକ ଅନୁଯାୟୀ ଭୋଟ୍‌ ଦେବାକୁ ବିଜେଡି ସାଂସଦଙ୍କୁ କିଏ ନିର୍ଦ୍ଦେଶ ଦେଲା? ବିଜେଡି ସଂସଦୀୟ ଦଳର ଅଧ୍ୟକ୍ଷ ଥିବା ନିଜେ ସଭାପତି ନବୀନ ପଟ୍ଟନାୟକ ନା ତାଙ୍କ ପକ୍ଷରୁ ଆଉ କିଏ?

bjd

ଭୁବନେଶ୍ବର/ନୂଆଦିଲ୍ଲୀ: ୱକଫ୍‌ ବିଲ୍‌ ଭୋଟ୍‌ରେ ଭାଗ ନେଲା ବେଳେ ବିବେକ ଅନୁଯାୟୀ ଭୋଟ୍‌ ଦେବାକୁ ବିଜେଡି ସାଂସଦଙ୍କୁ କିଏ ନିର୍ଦ୍ଦେଶ ଦେଲା? ବିଜେଡି ସଂସଦୀୟ ଦଳର ଅଧ୍ୟକ୍ଷ ଥିବା ନିଜେ ସଭାପତି ନବୀନ ପଟ୍ଟନାୟକ ନା ତାଙ୍କ ପକ୍ଷରୁ ଆଉ କିଏ? ଭୋଟ୍‌ରେ ଭାଗ ନେଲା ବେଳେ କିଏ କେମିତି ବିବେକ ଖଟାଇଲେ? ବିଲ୍‌ ଠିକ୍‌ ଅଛି ଆଉ ଆମେ ସପକ୍ଷରେ ଭୋଟ୍‌ ଦେବୁ ବୋଲି କାହା ବିବେକ ଡାକିଲା? ବିଲ୍‌ ଠିକ୍‌ ନାହିଁ ଆଉ ଆମେ ବିରୋଧରେ ଯିବୁ ବୋଲି କାହାର ବିବେକ ଆହ୍ବାନ ଦେଲା? ସାଂସଦମାନେ ସର୍ବସାଧାରଣରେ ନିଜ ବିବେକ କଥା କହିବାରେ ଅସୁବିଧା କେଉଁଠି? ରାଜ୍ୟସଭାରେ ୱକଫ୍‌ ବିଲ୍‌ ଭୋଟିଂରେ ବିଜେଡିର ଆଭିମୁଖ୍ୟ ଏମିତି ପୁଳାପୁଳା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ବିଜେଡିର ଭାବମୂର୍ତ୍ତିରେ ସାଂଘାତିକ କ୍ଷତି ପହଞ୍ଚିବା ସହ ନେତାମାନେ ଲୋକହସା ହୋଇଥିବା ରାଜନୈତିକ ମହଲ ଖୋଲା ଚର୍ଚ୍ଚା କଲେଣି। ଏହି ମହଲ କହିଲେଣି ଯେ ନିଷ୍ପତ୍ତି ନେବାରେ ବିଜେଡି ନେତୃତ୍ବ ସମ୍ପୂର୍ଣ୍ଣ ଅକ୍ଷମ, ତାହା ଏହି ଘଟଣାରେ ପ୍ରମାଣିତ ‌ହୋଇଛି। ଲୋକସଭାରେ ମୂଳପୋଛ ହୋଇଯାଇଥିବା ତଥା ଜାତୀୟ ରାଜନୀତିରେ ଅପ୍ରାସଙ୍ଗିକ ବିଜେଡି ଏବେ ଦୁଇ ନାଆରେ ଗୋଡ଼ ଦେଇ ନିଜର ଦୁର୍ବଳତାକୁ ସାମନାକୁ ଆଣିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ତୀବ୍ର ହେଲାଣି।  

ୱକଫ୍‌ ବିଲ୍‌କୁ ବିଜେଡି ବିରୋଧ କରିବ ବୋଲି ଦଳ ବହୁ ଆଗରୁ ହୁଙ୍କାର ଦେଉଥିଲା। ଗତ ବର୍ଷ ସେପ୍ଟମ୍ବର ମାସରେ ଶଙ୍ଖ ଭବନରେ ସଂଖ୍ୟାଲଘୁଙ୍କ ଏକ ବୈଠକରେ ୱକଫ୍‌ ବିଲକୁ ବିଜେଡି ଜୋର୍‌ଦାର ବିରୋଧ କରିବ ବୋଲି ନିଜେ ସଭାପତି ନବୀନ ପଟ୍ଟନାୟକ କହିଥିଲେ। ଦଳର ରାଜ୍ୟସଭା ନେତା ସସ୍ମିତ ପାତ୍ର ଓ ସଂଖ୍ୟାଲଘୁ ନେତା ତଥା ସାଂସଦ ମୁନା ଖାନ୍ ବି ବାରମ୍ବାର ବିଲ୍‌କୁ ବିରୋଧ କରିବା କଥା କହିଛନ୍ତି। ରାଜ୍ୟସଭାରେ ଆଲୋଚନାର ପୂର୍ବ ଦିନ ମଧ୍ୟ ସେହି କଥା ଦୋହରାଇଥିଲେ। କିନ୍ତୁ ଆଲୋଚନା ଦିନ ସକାଳୁ ସବୁ ଓଲଟପାଲଟ ହୋଇଗଲା। ନବୀନ ନିବାସରୁ ସସ୍ମିତଙ୍କ ପାଖକୁ କଲ୍‌ ଗଲା। ଦଳ ହ୍ବିପ୍ ଜାରି କରିବ ନାହିଁ, ସାଂସଦମାନେ ନିଜ ନିଜ ବିବେକ ଅନୁଯାୟୀ ଭୋଟ୍‌ ଦେବାକୁ କୁହାଗଲା। ସାର୍‌ ଏହା ଚାହୁଛନ୍ତି ବୋଲି କୁହାଗଲା। କିନ୍ତୁ ସାଂସଦମାନଙ୍କୁ ଅନ୍ୟ ବାଟରେ କୁହାଗଲା ଯେ ବିଲ୍‌ ସପକ୍ଷରେ ଭୋଟ୍‌ ଦେବା ପାଇଁ। ତେବେ ନବୀନ ଏହି କଲ୍‌ କରି ନଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ରହିଲେ। ପୁନର୍ବାର କଲ୍‌ କରାଯାଇ କୁହାଗଲା ଯେ ଆଲୋଚନା ବେଳେ ମୁନା ଖାନ୍ ବିଲ୍‌ ବିରୋଧରେ କହିବେ। ବିଜେଡି ଦୁଇ ନାଆରେ ଗୋଡ଼ ଦେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଗଲା।  

ବାହାନା ଥିଲା ‘ବିବେକ’, ଉଦ୍ଦେଶ୍ୟ ଥିଲା ସମର୍ଥନ
ଅର୍ଦ୍ଧାଧିକ ସାଂସଦ ମାନି‌‌ଲେନି,୨ ଭୋଟ୍ ସପକ୍ଷକୁ ଯାଇଥିବା ଚର୍ଚ୍ଚା
ନବୀନ ନିବାସରୁ କଲ୍‌ କରିଥିଲା କିଏ?

ଗତକାଲି ରାଜ୍ୟସଭାରେ ବିଜେଡିର ସମସ୍ତ ସାତ ସାଂସଦ ଉପସ୍ଥିତ ଥିଲେ। ଯଦିଓ ବିଲ୍‌ ସପକ୍ଷରେ ଭୋଟ୍‌ ଦେବାକୁ ବିଜେଡି ଉପରେ ଚାପ ପକାଯାଇଥିଲା, କିନ୍ତୁ ସାଂସଦମାନଙ୍କ ମତିଗତିରୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ କିଛି ସ୍ପଷ୍ଟ କରିପାରିଲେ ନାହିଁ। ଦଳର ଏହି ଆଭିମୁଖ୍ୟକୁ ବିରୋଧ କରି ଦେବାଶିଷ ସାମନ୍ତରାୟ ଭୋଟ୍‌ ଗ୍ରହଣରେ ସାମିଲ ହେବେ ନାହିଁ କହି ରାଗି ସଂସଦ ପରିସରରୁ ଚାଲିଯାଇଥିଲେ। ରାତି ପ୍ରାୟ ୯ଟା ପରେ ଶ୍ରୀ ପାତ୍ର ଓ ଜଣେ କେନ୍ଦ୍ର ମନ୍ତ୍ରୀ ବିଜେଡି ସାଂସଦମାନଙ୍କୁ ସଂସଦ ପରିସରରେ ବୁଝାସୁଝା କରିଥିଲେ। ତାହା ପରେ ବି ବିଜେଡିର ସବୁ ସାଂସଦଙ୍କ ଭୋଟ୍‌ ବିଲ୍‌ ସପକ୍ଷରେ ପଡ଼ି ନଥିଲା। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ବିଲ୍‌ ସପକ୍ଷରେ ବିଜେଡିର ମାତ୍ର ଦୁଇ ଜଣ ସାଂସଦ ଭୋଟ୍‌ ଦେଇଥିଲେ ଏବଂ ଚାରି ଜଣ ବିପକ୍ଷରେ ଭୋଟ୍‌ ଦେଇଛନ୍ତି। ଦୁଇ ନାଆରେ ଗୋଡ଼ ଦେଇ କେନ୍ଦ୍ରରେ ଏନ୍‌ଡିଏ ଓ ୟୁପିଏକୁ ଖୁସି କରିବାକୁ ବିଜେଡି ଯେଉଁ ଉଦ୍ୟମ କରିଥିଲା, ତାହା ଆଦୌ ସଫଳ ହୋଇପାରି ନାହିଁ। ବରଂ ଉଭୟ ମହଲରେ ବିଜେଡି ଏକ ଅବିଶ୍ବସନୀୟ ଦଳ ପାଲଟିଯାଇଛି। ବିଜେପିର ଚାପ ଓ କେନ୍ଦ୍ର ମନ୍ତ୍ରୀଙ୍କ ବୁଝାସୁଝା ସତ୍ତ୍ବେ ସାଂସଦମାନଙ୍କ ସବୁ ଭୋଟ୍‌ ବିଲ୍‌ ସପକ୍ଷରେ ଆସିଲା ନାହିଁ। ସେଥି ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଅସନ୍ତୁଷ୍ଟ। ଅନ୍ୟ ପଟେ ବିଲ୍‌ ବିପକ୍ଷରେ ଭୋଟ୍‌ ଦେବାକୁ ହ୍ବିପ୍‌ ଜାରି ନ କରିବାରୁ ବିଜେଡି ଏବେ ବି ଏନ୍‌ଡିଏର ଅଘୋଷିତ ସହଯୋଗୀ ଦଳ ହୋଇ ରହିଛି ବୋଲି ବିରୋଧୀ ଦଳମାନେ ଧରି ନେଇଛନ୍ତି। 

ବିଜେଡିରେ କିଏ ସପକ୍ଷରେ ଓ କିଏ ବିପକ୍ଷରେ ଭୋଟ୍‌ ଦେଲେ, ତାହାକୁ ନେଇ ରାଜନୈତିକ ମହଲ ଓ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଆକଳନ ଚାଲିଛି। ନୂଆଦିଲ୍ଲୀରେ ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ବିଜେଡିର ଦୁଇ ଜଣ ସାଂସଦ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଛନ୍ତି। ସସ୍ମିତ ପାତ୍ର ବିଲ୍‌ ସମର୍ଥନରେ ଭୋଟ୍‌ ଦେଇଥିବା ନିଜେ ଗଣମାଧ୍ୟମକୁ କହିଛନ୍ତି। ଆଉ ଜଣେ ସାଂସଦ କିଏ, ତାହା ସ୍ପଷ୍ଟ ହୋଇ ନାହିଁ। ଯଦିଓ ବିବେକ ଅନୁଯାୟୀ ଭୋଟ୍‌ ଦେବାକୁ କୁହାଯାଇଥିଲା, ତେବେ ବିଲ୍‌ ସପକ୍ଷରେ ହିଁ ସାଂସଦମାନଙ୍କୁ ପ୍ରବର୍ତ୍ତାଯାଇଥିଲା। କିନ୍ତୁ ତାହା ସତ୍ତ୍ବେ ଚାରି ଜଣ ବିଲ୍‌ ବିପକ୍ଷରେ ଭୋଟ୍‌ ଦେବା ଦ୍ବାରା ଦଳ ଭିତରେ ବିଦ୍ରୋହ ଦାନା ବାନ୍ଧୁଛି ବୋଲି ସ୍ପଷ୍ଟ ବାର୍ତ୍ତା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe