ବିଜେଡି ଦାଦାଗିରି କରୁଛି, ଜନପ୍ରତିନିଧି କାମ କରି ପାରିବେନି : ବିଧାୟକ

Advertisment
ବିଜେଡି ଦାଦାଗିରି କରୁଛି, ଜନପ୍ରତିନିଧି କାମ କରି ପାରିବେନି : ବିଧାୟକ

Sambad English

ଦେବଗଡ଼ : ବିଜେଡି ଯେପରି ଦାଦାଗିରି କରୁଛି, କୌଣସି ଜନପ୍ରତିନିଧି କାମ କରି ପାରିବେନି ବୋଲି ଅଭିଯୋଗ କରିଛନ୍ତି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ।

ମୁକ୍ତା ଯୋଜନାରେ ମିସନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ସ୍ଥାନୀୟ ଟାଉନ ହଲ୍‌ ନିକଟରେ ଡ୍ରେନ୍‌ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ, ଟାଉନ ହଲ୍‌ ସମ୍ମୁଖରେ ଥିବା ଗୋଟିଏ ଗେଟ୍‌କୁ ପୌର କାର୍ଯ୍ୟାଳୟ ପକ୍ଷରୁ ବନ୍ଦ କରାଯିବା ସହିତ ସେଥିରେ ପାଚେରି ନିର୍ମାଣ କରାଯାଇଥିଲା। ଏହାକୁ ବିରୋଧ କରି ଗତ ୯ ତାରିଖ ଦିନ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ଉକ୍ତ ପାଚେରିକୁ ଭାଙ୍ଗିଥିଲେ। ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ମଙ୍ଗଳବାର ଭୁବ‌ନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଦେବଗଡ଼ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ସୀମା ଟପିଲାଣି ବୋଲି ଅଭିଯୋଗ କରିଥିଲେ।

ବିଜେଡିର ଏହି ଅଭିଯୋଗ ପରେ ବୁଧବାର ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ମୁହଁ ଖୋଲିଛନ୍ତି। ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଲୋକମାନେ ଭାଙ୍ଗିଛନ୍ତି ମୁଁ ଭାଙ୍ଗି ନାହିଁ ଓ ଲୋକ ଯେତେବେଳେ ଭାଙ୍ଗୁଥିଲେ କେହି ମହିଳା ମଧ୍ୟ ବିରୋଧ କରୁନଥିଲେ। ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ହେବା କଥା ନୁହେଁ। ଓମ୍‌ ଏସ୍‌ଏଚଜି ସଦସ୍ୟା ନୁହେଁ, ବିଜେଡି କର୍ମୀ କାମ କରୁଥିଲେ। କାମ ପାଇଁ କୌଣସି କାର୍ଯ୍ୟାଦେଶ ନଥିବା ବେଳେ ଲୋକଙ୍କୁ ଦେଖାଇବାକୁ ତରବରିଆ ଭାବେ ଏସ୍‌ଏଚ୍‌ଜିଙ୍କ ନାଁରେ କାର୍ଯ୍ୟାଦେଶ ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି।

ସେହିପରି ଦେବଗଡ଼ ହୋଟେଲ ରୋନକ ପ୍ଲାଜାଠାରେ ପୌର ଉପନଗରପାଳ ପ୍ରଜିତ ଭୋଜଙ୍କ ସମେତ ବିଜେପିର କର୍ମକର୍ତ୍ତା ଓ ସ୍ୱାଧୀନ କାଉନସିଲର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ନିର୍ବାଚନ ପରଠାରୁ ପୌର କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ଏକଛତ୍ରବାଦ ଓ ଅନ୍ଧାରୀ ଶାସନ ଚାଲିଥିବା ଅଭିଯୋଗ କରିଥିଲେ। ସରକାରଙ୍କ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ପରିଷଦର ବିନା ଅନୁମୋଦନରେ କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାଧୀନ କାଉନସିଲର ଶ୍ରୀ ଦେବତା, ବିଜେପି କାଉନସିଲର ଇତିଶ୍ରୀ ମିଶ୍ର, ସରୋଜିନୀ ମୁଣ୍ଡା, କାର୍ତ୍ତିକ ମହାକୁଳ, ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ବ୍ରହ୍ମା, ଦୟା ଶଙ୍କର ଦ୍ବିବେଦୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଭୁତିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe