ସୁନ୍ଦରଗଡ଼ରେ ଉତ୍ସାହିତ ବିଜେଡି: ଯୋଗେଶଙ୍କୁ ଭେଟିବାକୁ ଭୋଟରଙ୍କ ଘଣ୍ଟାଏ ଅପେକ୍ଷା

Advertisment
ସୁନ୍ଦରଗଡ଼ରେ ଉତ୍ସାହିତ ବିଜେଡି: ଯୋଗେଶଙ୍କୁ ଭେଟିବାକୁ ଭୋଟରଙ୍କ ଘଣ୍ଟାଏ ଅପେକ୍ଷା

ସୁନ୍ଦରଗଡ଼: ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୫ ଦିନ। ମତଦାନର ଦୁଇ ଦିନ ପୂର୍ବରୁ ୧୮ ତାରିଖ ସନ୍ଧ୍ଯାରେ ପ୍ରଚାର ବନ୍ଦ। ତାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ଦିନରାତି ଏକ କରି ପ୍ରଚାର ଚଲାଇଛନ୍ତି। ମଙ୍ଗଳବାର ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ କୁଣ୍ଡୁକେଲା ଓ ଭଷ୍ମା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ନିଜ କ୍ଷେତ୍ରକୁ ନେଇ ଦେଖିଥିବା ସ୍ବପ୍ନର କଥା କହି ଭୋଟ ମାଗିଥିଲେ।

ବିଭିନ୍ନ ଗାଁରେ ଲୋକେ ସମୂହ ସମସ୍ଯା ଓ ଅସୁବିଧା ଉପସ୍ଥାପନ କରି ଯୋଗେଶଙ୍କ ସହଯୋଗ ଲୋଡ଼ିଥିଲେ। ଏହି ସମୟରେ କୁଣ୍ଡୁକେଲା ପଞ୍ଚାୟତ ଟିଠେଇଟାଙ୍ଗରରେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ଯୋଗେଶ ଗାଁ, ଗାଁରେ ସଭା କରି ଲୋକଙ୍କୁ ଭେଟୁଥିବାରୁ ନିର୍ଦ୍ଧାରିତ ସମୟରେ କୌଣସି ଗାଁକୁ ପହଞ୍ଚି ପାରୁ ନଥିଲେ। ଟିଠେଇଟାଙ୍ଗରକୁ ଯୋଗେଶ ଆସୁଛନ୍ତି ଜାଣି ଗାଁ ଛକରେ ଶତାଧିକ ମହିଳା, ପୁରୁଷ ଠୁଳ ହୋଇଥିଲେ। ଶ୍ରୀ ସିଂ ଘଣ୍ଟାଏ ବିଳମ୍ବରେ ପହଞ୍ଚିଥିଲେ। ଆଉ ଲୋକ ଯୋଗେଶଙ୍କୁ ଶୁଣିବାକୁ ଓ ତାଙ୍କୁ ଭେଟି ସମସ୍ଯା ଜଣାଇବାକୁ ଘଣ୍ଟାଏ ଅପେକ୍ଷା କରିଥିଲେ।

publive-image

ପକ୍ଷାଘାତ ବୃଦ୍ଧ ଉତ୍ସାହ ଭରିଲେ 
ଟିଠେଇଟାଙ୍ଗରରେ ପ୍ରଚାରବେଳେ ଯୋଗେଶ ଜାଣିବାକୁ ପାଇଲେ, ଗାଁର ସନ୍ତୋଷ ନାଏକ ନାମକ ୮୦ ବର୍ଷର ବୃଦ୍ଧ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଏବେ ଶଯ୍ଯାଶାୟୀ। ସଭା ସାରି ଜିଲ୍ଲା ପରିଷଦ ସଭ୍ଯ ସହ ତୁରନ୍ତ ତାଙ୍କ ଘରକୁ ଯାଇଥିଲେ। ଅସୁସ୍ଥ ବୃଦ୍ଧଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ଏହି ସମୟରେ ବୃଦ୍ଧ ହାତ ଟେକି ଯୋଗେଶଙ୍କୁ ଆଶୀର୍ବାଦ କରିଥିଲେ। ଥରିଲା କଣ୍ଠରେ କହିଲେ, 'ଯୋଗେଶଙ୍କୁ ଭୋଟ ଦେବାକୁ ମୁଁ ନିଶ୍ଚେ ଯିବି, ବୁଥକୁ ମୋତେ ମୋ ବୁଢ଼ୀ ବୋହିନେବ'। ବୃଦ୍ଧଙ୍କ କଥା ଯୋଗେଶଙ୍କ ମନରେ ଉତ୍ସାହ ଭରି ଦେଇଥିଲା।

ସାଧାରଣତଃ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଭେଟିବାକୁ ଭୋଟର ଏତିକି ସମୟ ଅପେକ୍ଷା କରିବା ଦେଖାଯାଏ ନାହିଁ। ହେଲେ ଯୋଗେଶଙ୍କୁ ଅପେକ୍ଷା କରିବା କିଛି ଭିନ୍ନ କଥା କହୁଥିବା ଚର୍ଚ୍ଚା ହେଉଥିବାବେଳେ ଏହା ବିଜୁ ଜନତା ଦଳର ଉତ୍ସାହକୁ ଦ୍ଵିଗୁଣିତ କରିଛି। ଯୋଗେଶ ଗାଁ ଛକରେ ସଭା କରି ନବୀନଙ୍କ ଘୋଷଣା ଶୁଣାଇ ସେ ଜିତିଲେ କଣ କରିବେ, ସେ ସମ୍ପର୍କରେ ତଥ୍ଯ ରଖିଥିଲେ। ସଭାରେ ଜିଲ୍ଲା ପରିଷଦ ସଭ୍ଯ ଅଶ୍ବିନୀ ନାଏକ, ଯୋଗ ଦେଇ ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କି ଓ ବିଧାନସଭା ପ୍ରାର୍ଥୀ ଯୋଗେଶଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଲୋକେ 'ମେ କୋଡ଼ିଏ, ଶଂଖ ଯୋଡ଼ିଏ' ନାରା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe