ବୈଜୟନ୍ତଙ୍କ ବିରୋଧରେ ସିଇଓଙ୍କୁ ବିଜେଡିର ଫେରାଦ : କେନ୍ଦ୍ରାପଡ଼ାରେ ସହଯୋଗୀଙ୍କୁ ଲଗାଇ ଟଙ୍କା ବାଣ୍ଟୁଛନ୍ତି

Advertisment

୪ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି, କେନ୍ଦ୍ରାପଡ଼ା ସମେତ ସାଲେପୁର ଓ ରାଜନଗରରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ ପାଇଁ ବି ଦାବି

୪ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି, କେନ୍ଦ୍ରାପଡ଼ା ସମେତ ସାଲେପୁର ଓ ରାଜନଗରରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ ପାଇଁ ବି ଦାବି

ବୈଜୟନ୍ତଙ୍କ ବିରୋଧରେ ସିଇଓଙ୍କୁ ବିଜେଡିର ଫେରାଦ : କେନ୍ଦ୍ରାପଡ଼ାରେ ସହଯୋଗୀଙ୍କୁ ଲଗାଇ ଟଙ୍କା ବାଣ୍ଟୁଛନ୍ତି

ଭୁବନେଶ୍ବର : କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବାକି ଥିବାବେଳେ ୪ ଜଣ ସହଯୋଗୀଙ୍କୁ ଲଗାଇ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରେ ଟଙ୍କା ବାଣ୍ଟୁଛନ୍ତି। ଶ୍ରୀ ପଣ୍ଡାଙ୍କ ବିରୋଧରେ ବିଜେଡି ଏପରି ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଛି। ଏହାସହିତ ଆସନ୍ତା ୨୯ ତାରିଖରେ ମତଦାନ ହେବାକୁ ଥିବା କେନ୍ଦ୍ରାପଡ଼ା ଲୋକସଭା ସମେତ ସାଲେପୁର ଏବଂ ରାଜନଗର ବିଧାନସଭାର ୬୩ଟି ସମ୍ବେଦନଶୀଳ ବୁଥରେ ବୁଥ୍ କ୍ୟାପଚରିଂ ଆଶଙ୍କା ଥିବାରୁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରିବା ସହ ସିସିଟିଭି ଲଗାଇବାକୁ ବିଜେଡି ସିଇଓଙ୍କୁ ଅନୁରୋଧ କରିଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେଡି ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛି, ବୈଜୟନ୍ତ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଦୀପକ ପଣ୍ଡାଙ୍କ ନେତୃତ୍ବରେ ଜ୍ୟୋତି ଘୋଷ, ବିଶ୍ବଜିତ୍ ଓ ଏ.କେ. ଦାସ କେନ୍ଦ୍ରାପଡ଼ାରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରଚୁର ଅର୍ଥ ବାଣ୍ଟୁଛନ୍ତି। କେନ୍ଦ୍ରାପଡ଼ାର ବଉଳ ବିହାରରେ ଗୋଟିଏ ଅଫିସ୍ ଖୋଲି ଏହି ଚାରି ଜଣ ସହଯୋଗୀ ଏପରି ବେଆଇନ କାର୍ଯ୍ୟ କରୁଥିବା ଦଳ ଅଭିଯୋଗ କରିଛି। ତେଣୁ ଏହି ଚାରି ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ସେମାନଙ୍କ ମୋବାଇଲକୁ ଜବତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଜଣାଇଛି। ଏହା ସହିତ ସେମାନଙ୍କୁ ତୁରନ୍ତ କେନ୍ଦ୍ରାପଡ଼ାରୁ ବିତାଡିତ କରି ସେମାନଙ୍କ ଗତିବିଧି ଉପରେ ଭିଡିଓ ସର୍ଭେଲେନ୍ସରେ ନଜର ରଖିବାକୁ ମଧ୍ୟ ବିଜେଡି ଦାବି କରିଛି। ଖାଲି ସେତିକି ନୁହେଁ, ଟଙ୍କାର ପ୍ରଲୋଭନ ଦେଇ ମୁକ୍ତ ଓ ଅବାଧ ନିର୍ବାଚନକୁ ପ୍ରଭାବିତ କରିବା ଅପରାଧରେ ବୈଜୟନ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ଅଭିଯୋଗ ଉପରେ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳ ନିବେଦନ କରିଛି।

ବିଜେଡି ଆଉ ୩ଟି ଅଭିଯୋଗ କରି ଦର୍ଶାଇଛି, ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଆଜି ରାତି କିମ୍ବା ଆସନ୍ତାକାଲି କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ହିଂସାକାଣ୍ଡ ଘଟାଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ କେନ୍ଦ୍ରାପଡ଼ା ଲୋକସଭା ଅଞ୍ଚଳରେ କଡ଼ା ସୁରକ୍ଷା ପାଇଁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ କରିଛି। ଏହାସହିତ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ୫୭ଟି ସମ୍ବେଦନଶୀଳ ବୁଥ୍ ଓ ସାଲେପୁରର ୬ଟି ସମ୍ବେଦନଶୀଳ ବୁଥରେ ଭୋଟଗ୍ରହଣ ଦିନ ସିସିଟିଭି ଲଗାଇବାକୁ ମଧ୍ୟ ଦଳ ଦାବି କରିଛି। ସିଇଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେ଼ଡି ପ୍ରତିନିଧି ଦଳରେ ମୁଖପାତ୍ର ସସ୍ମିତ ପାତ୍ର, ଲେନିନ ମହାନ୍ତି ଓ ସୁଲତା ଦେଓ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe