୫ଟି ପର୍ଯ୍ୟାୟରେ ହେବ ବିଜେଡି ସାଂଗଠନିକ ନିର୍ବାଚନ, ଡିସେମ୍ବର ୨୬ରୁ ଆରମ୍ଭ ହୋଇ ଫେବ୍ରୁଆରି ୨୬ ସୁଦ୍ଧା ସରିବ

Advertisment
୫ଟି ପର୍ଯ୍ୟାୟରେ ହେବ ବିଜେଡି ସାଂଗଠନିକ ନିର୍ବାଚନ, ଡିସେମ୍ବର ୨୬ରୁ ଆରମ୍ଭ ହୋଇ ଫେବ୍ରୁଆରି ୨୬ ସୁଦ୍ଧା ସରିବ

ଭୁବନେଶ୍ବର : ବିଜୁ ଜନତା ଦଳ ସାଂଗଠନିକ ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ହେବ। ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବ ଓ ୨୦୨୦ ଫେବ୍ରୁଆରି ୨୬ ମଧ୍ୟରେ ଶେଷ ହେବ। ବିଜୁ ଜନତା ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେବା ସହିତ କହିଛନ୍ତି, ଇତିମଧ୍ୟରେ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ବ୍ଲକ୍‌ ଓ ନଗରାଞ୍ଚଳ ପାଇଁ ମଧ୍ୟ ସହାୟକ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଜାନୁଆରି ୧୩ ତାରିଖରେ ଶେଷ ହେବ। ଏହି ପ୍ରକ୍ରିୟାରେ ପଞ୍ଚାୟତ ସଭାପତି ସହିତ କମିଟି ସଭ୍ୟ ଓ ନଗରାଞ୍ଚଳ ଵାର୍ଡ ସଭାପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ଶ୍ରୀ ଦେବ କହିଛନ୍ତି, ଆସନ୍ତା ଜାନୁଆରି ୧୪ ତାରିଖରୁ ଜାନୁଆରି ୨୯ ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବ। ଏଥିରେ ବ୍ଲକ୍‌ ସଭାପତି ସହିତ ବ୍ଲକ କମିଟି ସଭ୍ୟ, ଏନ୍‌ଏସି ସଭାପତି, ଏନ୍‌ଏସି କମିଟି ସଭ୍ୟ, ମ୍ୟୁନିସପାଲିଟି ସଭାପତି, ମହାନଗର ନିଗମ ସଭାପତି ଆଜି ନିର୍ବାଚନ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ଜାନୁଆରି ୩୦ ତାରିଖରେ ଆରମ୍ଭ ହେବ ଓ ଫେବ୍ରୁଆରି ୧୫ ତାରିଖରେ ଶେଷ ହେବ। ଏଥିରେ ଜିଲ୍ଲା ସଭାପତି ସହିତ ଜିଲ୍ଲା କମିଟି ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପେବ୍ରୁଆରି ୧୬ରୁ ଆରମ୍ଭ ହୋଇ ୧୮ ତାରିଖରେ ସରିବ। ଏହି ପ୍ରକ୍ରିୟାରେ ରାଜ୍ୟ ପରିଷଦ ସଭ୍ୟ ପଦ ପାଇଁ ନିର୍ବାଚନ ହେବ। ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ୨୩ ଫେବ୍ରୁଆରିରୁ ଆରମ୍ଭ ହେବ ଓ ୨୬ ଫେବ୍ରୁଆରିରେ ସରିବ। ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ, ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦେବ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe