ଭଦ୍ରକ (ହରିହର ନାୟକ):ଭଦ୍ରକ ଜିଲ୍ଲାରେ ବିଜେଡି ସଙ୍ଗଠନ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ଦଳରେ ଆଉ ନେତା ଆଉ କର୍ମୀ ରହିବାକୁ ଚାହୁଁ ନାହାନ୍ତି। ଅନେକ ନେତା ଆଉ କର୍ମୀ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ଦଳ ଛାଡି ବିଜେପିରେ ମିଶି ଯାଇଥିଲେ। ଏବେ ଆହୁରି ଅନେକ ଟାଣୁଆ ନେତା ଆଉ ନିର୍ବାଚିତ ଲୋକ ପ୍ରତିନିଧି ବିଜେଡି ଦଳ ଛାଡି ବିଜେପିରେ ମିଶିଯିବା ପାଇଁ ସଜବାଜ ହେଉଛନ୍ତି।
ନିକଟରେ ଜିଲ୍ଲାର ୪ ବ୍ଲକର ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷଙ୍କୁ ନେଇ ଯୁବ ନେତା ଲୁଲୁଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ବିଜେଡି ଛାଡ଼ି କାଳେ ବିଜେପିରେ ମିଶିବା ପାଇଁ ଏହି ବୈଠକ ହୋଉଥିବା କୁହାଯାଉଛି।
ଆହୁରି ପଢ଼ନ୍ତୁ:Central Labour Code in OMC: ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ: ଓଏମ୍ସିରେ ଲାଗୁହେଲା କେନ୍ଦ୍ରୀୟ ଶ୍ରମ ସଂହିତା
ବିଜେଡ଼ିରେ କୁହୁଳୁଛି ଅସନ୍ତୋଷ
ଏହି ବୈଠକ ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଥିଲା। କୁହାଯାଉଥିଲା ଲୁଲୁଙ୍କ ସମେତ ଏହି ୪ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାର ବହୁ ସରପଂଚ ଓ ସମିତି ସଭ୍ୟ ବିଜେପିରେ ମିଶି ଯେବେ ବୋଲି। ଏମିତି ଖବର ପ୍ରଚାରିତ ହେବା ପରେ ବିଜେଡିକୁ କାଳେ ଜିଲ୍ଲାରେ ବଞ୍ଚାଇ ରଖିବା ପାଇଁ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଉଦ୍ୟମ ଆରମ୍ଭ କରିଛନ୍ତି। ଲୁଲୁଙ୍କ ବୈଠକ ପରେ ସଂଜୀବ ନିଜର ଭଦ୍ରକସ୍ଥିତ ଘରକୁ ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକର ସମିତି ସଭ୍ୟ ଓ ସରପଂଚମାନଙ୍କୁ ଡାକି ବିଜେଡି ଛାଡ଼ି ବିଜେପି ଦଳକୁ ନଯିବା ପାଇଁ କହିଛନ୍ତି।
ଲୁଲୁ-ବଣୁ ମଧ୍ୟରେ ଶୀତଳ ଯୁଦ୍ଧ
ସଂଜୀବଙ୍କର ଏହି ବୈଠକ ଫଟୋ ସାମାଜିକ ଗଣମାଧ୍ୟମରେ ଏବେ ଘୁରି ବୁଲୁଛି। ଗୋଟିଏ ପଟେ ବିଜେଡିକୁ ତୃଣମୂଳ ସ୍ଥରରୁ ଭାଙ୍ଗିରୁଜି ଚୁରମାର କରି ବିଜେପିରେ ମିଶିଯିବା ପାଇଁ ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ ପ୍ରୟାସକାନ୍ତି ସାମଲ ଓରଫ ଲୁଲୁ ଗେମ୍ ପ୍ଲାନ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ ପକ୍ଷରେ ବିଧାୟକ ସଂଜୀବ ମଲ୍ଲିକ ଓରଫ ବଣୁ ବିଜେଡିକୁ ରକ୍ଷା କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଲୁଲୁଙ୍କ ପ୍ରସ୍ତୁତି ଓ ସଂଜୀବଙ୍କ ପ୍ରସ୍ତୁତି ବୈଠକକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଚାଲିଛି। କାହାର ଜିତାପଟ ହେବ ଆଉ କିଏ ଫେଲ୍ ମାରିବେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି।
ଦିନକୁ ଦିନ ଭଦ୍ରକ ଜିଲ୍ଲାରେ ବିଜେପିର ପତିଆରା ବଢୁଥିବା ବେଳେ ବିଜେଡିର ପତିଆରା କମି କମି ଯାଉଛି। ଆଉ କାହିଁକି ବିଜେଡି ଦଳରେ ରହିବୁ ବୋଲି କିଛି କର୍ମୀ କହୁଥିବା ବେଳେ କିଛି ନିର୍ବାଚିତ ନେତା ମଧ୍ୟ ଭିତରେ ଭିତରେ ବିଜେପିରେ ମିଶିଯିବା ପାଇଁ ଯୋଜନା କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ବିଜେପି ଦଳରେ ବହୁ ବିଜେଡି କର୍ମୀ ଆଉ ନେତା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିରେ ମିଶି ଯାଇଛନ୍ତି।
ଭଦ୍ରକ ବ୍ଲକର ଜଗଦଲପୁର ଓ ରମ୍ଭିଲା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ତାଙ୍କର ଶତାଧିକ ସମର୍ଥକ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶି ଯାଇଥିଲେ। ଏହି ମିଶ୍ରଣ ପର୍ବ ପରେ ଆହୁରି ଅନେକ ବିଜେଡି ନେତା ବିଜେପିରେ ମିଶିଯିବେ ବୋଲି ଯୋଜନା ଚାଲିଛି।
ମନମୋହନଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା
ଆଗାମୀ ଦିନରେ ବିଜେପୁର ଏକ ମହାମିଶ୍ରଣ ପର୍ବ ହେବ ବୋଲି ଭଦ୍ରକରେ ସବୁ ମହଲରେ ଚର୍ଚ୍ଚା ହେଉଛି। କ୍ଷେତ୍ର ପ୍ରସ୍ତୁତ ସରିଛି। କେବଳ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା ରହିଛି। ମନମୋହନଙ୍କ ଉପରେ ଭରସା କରି ଅନେକ ବିଜେଡି ନେତା ବିଜେପିରେ ମିଶିବେ ବୋଲି ଯୋଜନା କରିଥିବା ବେଳେ ସଂକେତ ମିଳିଲେ ମିଶ୍ରଣ ପର୍ବ ଆରମ୍ଭ ହେବ। ପୁଣି ଏହି ମିଶ୍ରଣ ପର୍ବ ଭଦ୍ରକରେ ହେବା କି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ହେବ ତାହା ସ୍ଥିର ହୋଇପାରି ନାହିଁ।
ଆହୁରି ପଢ଼ନ୍ତୁ:Veteran Actor Dharmendra Passed Away: ଜୀବନ-ମୃତ୍ୟୁର ଲୁଚକାଳି ଖେଳ... ଠିକ୍ ୧୨ ଦିନ ପରେ ମିଛ ହେଲା ସତ…
ବିଜେପିର ଏହି ମହା ମିଶ୍ରଣ ପର୍ବ ସଫଳ ହେଲେ ଭଦ୍ରକ ଜିଲ୍ଲାରେ କାଳେ ବହୁ ବିଜେଡି କର୍ମୀ ଏହି ମିଶ୍ରଣରେ ସାମିଲ ହେବେ। ଏଭଳି ଚର୍ଚ୍ଚା ଏବେ ଭଦ୍ରକ ଜିଲ୍ଲାରେ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ବେଳେ ଏହା କାଳେ ବିଜେଡି ସଙ୍ଗଠନକୁ ଦୋହଲାଇ ଦେବ ବୋଲି ଚର୍ଚ୍ଚା ହେଉଛି। ସମୟ କହିବ କେଉଁ ପାଣି କୁଆଡେ ଯିବ। ଆଗାମୀ ଦିନରେ ବିଜେଡି ଦଳର ସଂଗଠନ ସୁଦୃଢ଼ ହେବ ନା ଖଣ୍ଡଖଣ୍ଡ ହୋଇଯିବ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/24/bjd-organization-will-be-fragmented-in-bhadrak-district-leaders-and-workers-are-leaving-the-party-preparations-are-underway-for-a-grand-alliance-in-bjp-2025-11-24-21-13-20.jpg)