ଚର୍ଚ୍ଚାରେ ବଡ଼ଚଣା ବିଜେଡି ରାଜନୀତି: ରାଜନାରାୟଣ ମିଶିଲେ, ବିଧାୟକ ଅନୁପସ୍ଥିତ

ଟିକେଟ ଦାବିଦାରଙ୍କ ସଂଖ୍ୟା ବଢ଼ିଲା

ଚର୍ଚ୍ଚାରେ ବଡ଼ଚଣା ବିଜେଡି ରାଜନୀତି: ରାଜନାରାୟଣ  ମିଶିଲେ, ବିଧାୟକ ଅନୁପସ୍ଥିତ

ଯାଜପୁର/ଚଣ୍ଡିଖୋଲ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁତ୍ର କ୍ୟାପ୍‌ଟେନ୍ ରାଜନାରାୟଣ ମହାପାତ୍ର ଆଜି ନିଜର ସମର୍ଥକଙ୍କ ସହ ଭୁବନେଶ୍ବର ଶଙ୍ଖ ଭବନକୁ ଯାଇ ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବ‌ରେ ସାଂସଦ ସସ୍ମିତ ପାତ୍ର ତାଙ୍କୁ ସ୍ବାଗତ କରିଛନ୍ତି। ଏହି ମିଶ୍ରଣପର୍ବରେ ବିଜେଡି ରାଜ୍ୟ ସମ୍ପାଦକ ଜନ୍ମେଜୟ ଲେଙ୍କା, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, ଜିଲ୍ଲାପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲ୍ଲା ବିଜେଡି ଉପସଭାପତି ଅମର ମହାନ୍ତି ଓ ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଆଶିଷ ରଞ୍ଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲାବେଳେ ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥୀଙ୍କ ଅନୁପସ୍ଥିତ ରହିଛନ୍ତି। ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଲାଗିରହିଛି। କିଛିଦିନ ପୂର୍ବରୁ ରାଜନାରାୟଣ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

‌ସେବେଠାରୁ ସେ ବିଜେଡିରେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଥିଲା। ଅପରପ‌କ୍ଷେ, କାଳେ ସେ ଫେରିବେ ସେହି ଆଶାରେ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା। ଶେଷରେ, ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜୟନାରାୟଣ ବିଜେଡିରେ ସାମିଲ ହୋଇଛନ୍ତି। ଏଥିସହିତ, ସେ ମଧ୍ୟ ଟିକେଟ ଦୌଡ଼ରେ ସାମିଲ୍‌ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ବିଧାୟକ ଅମର ପ୍ରସାଦ ଶତପଥୀ ଓ ତାଙ୍କ ପୁଅ ଆଇନଜୀବୀ ଅଦ୍ବିତୀୟ ପ୍ରସାଦ ଶତପଥୀ, ଜନ୍ମେଜୟ ଲେଙ୍କା, ଗଣେଶ୍ବର ବରାଳ ପ୍ରମୁଖ ଟିକେଟ ଦାବିଦାର ଅଛନ୍ତି। ୬ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିବା ଶ୍ରୀ ଶତପଥୀଙ୍କ ପ୍ରାର୍ଥିତ୍ବକୁ ବିଜେଡିର ଏକ ଗୋଷ୍ଠୀ ବିରୋଧ କରୁଥିବାରୁ ଏନେଇ ଏଯାବତ୍‌ କୌଣସି ସିଦ୍ଧାନ୍ତରେ ପହଞ୍ଚି ନଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe