ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗ: ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କଲା ବିଜେଡି

Advertisment

‘ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବ ଦଳ’

‘ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବ ଦଳ’

ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗ: ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କଲା ବିଜେଡି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା ପ୍ରଦାନରୁ ବାଦ୍‌ ଦିଆଯାଇଛି। ଏହାକୁ ନେଇ ଅଞ୍ଚଳର ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଛି। ସ୍ଥାନୀୟ ବିଜେଡି ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି। ସ୍ଥାନୀୟ ମୈତ୍ରୀ ସଦନଠାରେ ଶନିବାର ବୀରମହାରାଜପୁର ବିଜେଡି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳିନୀରେ ବ୍ଲକ୍‌ ବିଜେଡି ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି କହିଥିଲେ ଯେ, ବୀରମହାରାଜପୁର ଏନ୍‌ଏସି ମାନ୍ୟତା ପାଇବାରୁ ବଞ୍ଚିତ ହେବା ସମସ୍ତଙ୍କୁ ଚକିତ କରିଛି। ଏହାର ପୁନଃ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏଥିପାଇଁ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ତୁରନ୍ତ ଭୁବନେଶ୍ୱର ଯାଇଛନ୍ତି।

ସୂଚନାଯୋଗ୍ୟ, ୨୦୨୨ରେ ବିଧାନସଭାରେ ଉତ୍ତର ଦେବାକୁ ଯାଇ ୨୭ଟି ନୂତନ ଏନ୍‌ଏସି ଘୋଷଣାରେ ବୀରମହାରାଜପୁର ନାମ ରହିଥିବା ନେଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା  ସୂଚନା ଦେଇଥିଲେ। ସେହିପରି ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ କହିଥିଲେ, ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କଥା ପ୍ରସ୍ତାବ ରହିଛି। ବୀରମହାରାଜପୁର ଉପଖଣ୍ଡ ମୁଖ୍ୟାଳୟ ଓ ବିଧାନସଭା କ୍ଷେତ୍ର ହୋଇ ଥିବାରୁ, ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ଏନ୍‌ଏସି ଘୋଷଣା କରିବାକୁ ନେଇ ତତ୍‌କାଳୀନ ୫ଟି ସଚିବ ତଥା ବର୍ତ୍ତମାନର ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କୁ ଲିଖିତ ଭାବରେ ସଚେତନ ନାଗରିକ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିଲା।

ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଓ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟି ଅନୁରୋଧ କରିବେ। ବିଜେଡି ସବୁବେଳେ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେଇଆସିଛି। ଏଥିପାଇଁ ଦରକାର ପଡ଼ିଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୋଲି ଶ୍ରୀ ଖଣ୍ଡଗିରି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ଉପସଭାପତି କିଶୋର ହୋତା, ରଞ୍ଜିତ ରଥ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର, ଶ୍ରୀନିବାସ ଚାନ୍ଦ, ସଂଜୀବ ଦେହୁରୀ, କଲ୍ଲୋଳ ମିଶ୍ର, ପ୍ରଦୀପ ମିଶ୍ର, ପ୍ରକାଶ ହୋତା, ଭଗବାନ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe