ଦରଦାମ୍ ବୃଦ୍ଧିର ପ୍ରତିବାଦ: ରାଜଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Advertisment

ଆଜି ସବୁ ନିର୍ବାଚନମଣ୍ଡଳୀରେ ଆରମ୍ଭ ହେବ ପ୍ରତିବାଦ

ଆଜି ସବୁ ନିର୍ବାଚନମଣ୍ଡଳୀରେ ଆରମ୍ଭ ହେବ ପ୍ରତିବାଦ

ଦରଦାମ୍ ବୃଦ୍ଧିର ପ୍ରତିବାଦ: ରାଜଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଭୁବନେଶ୍ବର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍, ଖାଇବା ତେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରବିବାର ଦିନ ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ତୈଳ ଦର ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ହେଉଥିବାରୁ ବିଜେଡି ପକ୍ଷରୁ ଅଭିନବ ଢଙ୍ଗରେ ଏହାର ପ୍ରତିବାଦ କରାଯାଇଥିଲା। ଶତାଧିକ ବିଜେଡି କର୍ମୀ ଶଗଡ଼, ସାଇକେଲ୍, ଘୋଡ଼ା, ରିକ୍ସା‌ ଓ ଗ୍ୟାସ୍‌ ସିଲିଣ୍ଡର ଧରି କେଶରୀ ହଲ୍‌ ନିକଟରୁ ଶୋଭାଯାତ୍ରାରେ ବାହାରି ରାଜଭବନ ସମ୍ମୁଖକୁ ଆସିଥିଲେ। ରାସ୍ତା ଉପରେ କାଠ ଚୁଲି ଜାଳି ପ୍ରତିବାଦ କରିଥିଲେ। ତେଲ, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ କିପରି ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି ତାହା ବିଜେଡି କର୍ମୀମାନେ ରାଜରାସ୍ତାରେ ଦେଖାଇଥିଲେ।

ଭୁବନେଶ୍ବର ଜିଲ୍ଲା ସଭାପତି ତଥା ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦ ସଭାରେ ବିଜେଡିର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଯୋଗଦେଇ କହିଥିଲେ ଯେ କେନ୍ଦ୍ର ସରକାରଙ୍କର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଆଜି ସାରା ଦେଶ ହନ୍ତସନ୍ତ ହେଉଛି। ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ କେନ୍ଦ୍ର ସରକାର ଯଦି ଦରଦାମ୍‌କୁ ନିୟନ୍ତ୍ରଣ ନକରନ୍ତି, ତେବେ ଏ ଆନ୍ଦୋଳନ ଗାଁ ଗହଳିରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଯିବ।
ଏହି ପ୍ରତିବାଦ ସଭାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶଶୀଭୂଷଣ ବେହେରା, ଅରବିନ୍ଦ ଢାଲି, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ସାହୁ, ଉମାକାନ୍ତ ସାମନ୍ତରା, ଅନନ୍ତ ନାରାୟଣ ଜେନା, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରୁଦ୍ର ପ୍ରତାପ ମହାରଥୀଙ୍କ ସମେତ ବିଜେଡି ନେତା ରବି ସାମଲ, ସୁବାସ ଚନ୍ଦ୍ର ପାତ୍ର, ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାର, ରଣଜିତ୍ ମହାପାତ୍ର, ଅମରଜିତ ସେନାପତି, ସୁବାସ ସୁନ୍ଦରାୟ, ପ୍ରତାପ ଜେନା, ଦୁର୍ଗା ସାମନ୍ତରାୟ, ସୁଲତା ଦେଓ, ସୁଲୋଚନା ଦାସ, ସଂଧ୍ୟା ବିଶ୍ୱାଳ, ମୀରା ପରିଡା, ଏଲିନା ଦାସ, ଇପ୍ସିତା ସାହୁ, ସୁମିତ୍ରା ଜେନା, ବିଜୟଲକ୍ଷ୍ମୀ ମହାପାତ୍ର, ଯୁବ ସଭାପତି ସମରେଶ ବେହୁରା, ଛାତ୍ର ସଭାପତି ସୁବାସ ସାହୁ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ବିଜୁ ଜନତା ଦଳର ଏକ ପ୍ରତିନିଧିଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ସୋମବାର ଠାରୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରତିବାଦ କରାଯିବ। ଜିଲ୍ଲାପାଳ/ଉପଜିଲ୍ଲାପାଳ/ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ନଭେମ୍ବର ୫ରୁ ୭ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe