ପଦ୍ମପୁର ରେଳଲାଇନ୍ କଥା ଉଠାଇଲା ବିଜେଡି

Advertisment
କଚ୍ଛପ ଗତିରେ ତାଳଚେର-ବିମଳାଗଡ଼ ରେଳପଥ, ବାଧକ ସାଜିଛି ଜମି ଅଧିଗ୍ରହଣ

Kerala Kaumudi

ଭୁବନେଶ୍ୱର : ବରଗଡ଼ ଷ୍ଟେସନ୍‌ରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ୍ ଷ୍ଟେସନ୍ ପର୍ଯ୍ୟନ୍ତ ପ୍ରସ୍ତାବିତ ନୂଆ ରେଳଲାଇନ୍ ପ୍ରକଳ୍ପ ପ୍ରସଙ୍ଗ ଉଠାଇଛି ବିଜେଡି। ରେଳ ଲାଇନ୍‌କୁ ମଞ୍ଜୁର ପାଇଁ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ବିଜେଡି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହ ଓଡ଼ିଶା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବକୁ ସମାଲୋଚନା କରିଛି। ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ବିଜେଡି ଆଗକୁ ଆଣିଥିବାରୁ ତାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।

ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ୨୦୧୮ ଡିସେମ୍ବର ୧୫ ତାରିଖରେ ବରଗଡ଼ ଷ୍ଟେସନରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ଏ ନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ମଧ୍ୟ ଦେଇଥିଲେ। ଆଜିକୁ ଚାରି ବର୍ଷ ହେଲା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ୨୦୧୯ ଜାନୁଆରିରେ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା ଏବଂ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୭.୩୧ % ହାରରେ ଅର୍ଥ ଫେରସ୍ତ ମିଳିବ ବୋଲି କୁହାଯାଇଥିଲା। ୧୦ ଅକ୍ଟୋବର ୨୦୧୯ରେ ରେଲୱେ ବୋର୍ଡ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କୁ ମାଗଣାରେ ଜମି ଏବଂ ବିସ୍ଥାପିତଙ୍କ ପୁନର୍ବାସ ପାଇଁ ହେବାକୁ ଥିବା ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଥିଲା।

ଚାରି ବର୍ଷ ହେଲା ଭୁଆଁ ବୁଲାଉଛନ୍ତି କେନ୍ଦ୍ର ସରକାର
ମାଗଣା ଜମି ସହ ୩୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀ ଏଥିପାଇଁ କେବଳ ଯେ ମାଗଣାରେ ଜମି ଯୋଗାଇ ଦେବାକୁ ରାଜି ହୋଇଥିଲେ ତାହା ନୁହେଁ, ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ରେଳ ମନ୍ତ୍ରଣାଳୟକୁ ଜଣାଇ ଦେଇଥିଲେ। ଏହାସତ୍ତ୍ୱେ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଇଟା ଖଣ୍ଡେ ମଧ୍ୟ ପକାଇ ନାହାନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୁଇଟି ଜିଲ୍ଲାର ଲୋକଙ୍କ ମଧ୍ୟରେ ଗମନାଗମନ ସୁବିଧା ହୋଇପାରନ୍ତା। ପଦ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ନୂଆ ରେଳଲାଇନ୍ ତୁରନ୍ତ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଶ୍ରୀମତୀ ସାହୁ ଦାବି କରିଛନ୍ତି।

ମନ୍ତ୍ରୀ ଚିଠି ଲେଖିଲା ପରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରାଯାଇଛି। ଦଳର ସାଂସଦ ସସ୍ମିତ ପାତ୍ର କହିଛନ୍ତି, ରେଳଲାଇନ ମଞ୍ଜୁର ହୋଇଥିବା କଥା କହି ଚାରି ବର୍ଷ ହେଲା କେନ୍ଦ୍ର ସରକାର ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି। ପଶ୍ଚିମ ଓଡ଼ିଶାବାସୀ ବିଶେଷ କରି ବରଗଡ଼, ନୂଆପଡ଼ା ଏବଂ ପଦମପୁର ଅଞ୍ଚଳର ଅଧିବାସୀଙ୍କ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ତୁରନ୍ତ ଏହି ରେଳଲାଇନ ପ୍ରକଳ୍ପ ମଞ୍ଜୁର କରିବା ସହ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ କରି ରେଳଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସଂପୂର୍ଣ୍ଣ କେନ୍ଦ୍ରୀୟ ପାଣ୍ଠିରୁ ଓଡ଼ିଶାରେ ଗୋଟିଏ ବି ନୂତନ ରେଳଲାଇନ ପ୍ରକଳ୍ପ ମଞ୍ଜୁର କରି ନାହାନ୍ତି। ଯେଉଁ ପ୍ରକଳ୍ପରେ ରାଜ୍ୟ ସରକାର ପାଣ୍ଠି ଯୋଗାଇଛନ୍ତି, କେବଳ ସେହିସବୁ ରେଳପ୍ରକଳ୍ପ ଅନୁମୋଦନ ପାଇଛି। ରେଳଲାଇନ ଘନତ୍ବ ଦୃଷ୍ଟିରୁ ପଛରେ ଥିବା ଓଡ଼ିଶା ଭଳି ରାଜ୍ୟ ପାଇଁ ଏଭଳି ବୈମାତୃକ ମନୋଭାବ ଆଦୌ ଗ୍ରହଣୀୟ ନୁହେଁ। ତେଣୁ କେନ୍ଦ୍ର ସରକାର ଆଉ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭୁଆଁ ନ ବୁଲାଇ ତୁରନ୍ତ ବରଗଡ଼ ଷ୍ଟେସନରୁ ଭାୟା ପଦ୍ମପୁର ନୂଆପଡ଼ା ରୋଡ୍‌ ଷ୍ଟେସନ୍ ରେଳଲାଇନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe