ନିଜ ଦଳକୁ ଅଡ଼ୁଆରେ ପକାଇଲେ ବିଜେପି ସଭାପତି : ବିଜେଡି

Advertisment
ବାଲେଶ୍ବରରେ ବିଜେପି ଜିତିବା ପଛର ରହସ୍ୟ: ବିଜେଡି ଅନ୍ତଃକନ୍ଦଳ, କଂଗ୍ରେସର ନିଷ୍କ୍ରିୟତା!

Sambad English

ଭୁବନେଶ୍ବର: ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ରଖିଛି ବିଜେଡି। ଦଳର ମୁଖପାତ୍ର ‌ଲେନିନ୍ ମହାନ୍ତି କହିଛନ୍ତି, ବିଜୁଳି ଦର ପ୍ରସଙ୍ଗ ଉଠାଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦୁର୍ଭାଗ୍ୟବଶତଃ ନିଜ ଦଳକୁ ଅଡ଼ୁଆରେ ପକାଇ ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ସମେତ ସାଧାରଣ ଖାଉଟି ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧ ହେତୁ ସାଧାରଣ ଲୋକେ ତାଙ୍କ ଦଳ ଉପରେ ଏବେ ରକ୍ତଚାଉଳ ଚୋବାଉଥିବା ସେ ଭୁଲିଯାଇଛନ୍ତି। ଦରଦାମ ବୃଦ୍ଧି ଓ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ନିଜ ଦଳର ବିଫଳତା ପାଇଁ ଶ୍ରୀ ମହାନ୍ତି ଦୁଃଖ ପ୍ରକାଶ କରିଥିଲେ ଭଲ ହୋଇଥା’ନ୍ତା।

ବିଜେଡି ମୁଖପାତ୍ର ଆହୁରି କହିଛନ୍ତି ଯେ ଚଳିତ ବର୍ଷ ଏପ୍ରିଲ ମାସରେ ବିଜେପି ଶାସିତ ରାଜ୍ୟମାନେ ବିଜୁଳି ଦର ବୃଦ୍ଧି କରିଛନ୍ତି। ଗତ ମାର୍ଚ୍ଚ ମାସରେ ବିହାରରେ ବିଜୁଳି ଦର ୟୁନିଟ ପିଛା ୩୫ ପଇସା ବୃଦ୍ଧି ପାଇଛି। ଅନ୍ୟତମ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଗତ ବର୍ଷ ୟୁନିଟ ପିଛା ୬୪ ପଇସା ବୃଦ୍ଧି କରିଥିଲା। ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ମଧ୍ୟ ଗତ ବର୍ଷ ଦର ବୃଦ୍ଧି କରିଛନ୍ତି। ସତ କହିବା ପରିବର୍ତ୍ତେ ଏପରି ଏକ ସ୍ପର୍ଶକାତର ପ୍ରସଙ୍ଗରେ ବିଜେପି ଶସ୍ତା ରାଜନୀତି କରୁଛି। ଓଡ଼ିଶାର ଲୋକମାନେ ଏବେ ବିଜେପିର ଏଭଳି କୁମ୍ଭୀର କାନ୍ଦଣାରେ ଅଭ୍ୟସ୍ତ ହେବା ସହିତ ସେମାନଙ୍କ କଥାକୁ ଆଉ ଗୁରୁତ୍ବର ସହ ନେଉ ନାହାନ୍ତି। ଗଣମାଧ୍ୟମ ଜରିଆରେ ସମୀର ମହାନ୍ତି ତାଙ୍କ ଦଳର ହତାଶ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ଓ ତାଙ୍କ ଦଳକୁ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି କଟାକ୍ଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe