ଘୋଷଣା ହୋଇପାରୁନି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ: ପାଣ୍ଡିଆନଙ୍କୁ ନେଇ ରହସ୍ୟ ବଢ଼ୁଛି

ବିଜେଡିର ସଭାପତି ନିର୍ବାଚନକୁ ଦୁଇ ସପ୍ତାହ ବିତିଗଲାଣି। ନବୀନ ପଟ୍ଟନାୟକ ନବମ ଥର ରାଜ୍ୟ ସଭାପତି ହେଲେ। କିନ୍ତୁ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ କିଏ, ତାହା ଜଣାପଡ଼ିଲାନି। ସଭାପତିଙ୍କ ଉପରେ ଅନ୍ୟ କର୍ମକର୍ତ୍ତାଙ୍କ ଚୟନ ଛାଡ଼ିଦିଆଯାଇଛି।

bjd

ଭୁବନେଶ୍ବର: ବିଜେଡିର ସଭାପତି ନିର୍ବାଚନକୁ ଦୁଇ ସପ୍ତାହ ବିତିଗଲାଣି। ନବୀନ ପଟ୍ଟନାୟକ ନବମ ଥର ରାଜ୍ୟ ସଭାପତି ହେଲେ। କିନ୍ତୁ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ କିଏ, ତାହା ଜଣାପଡ଼ିଲାନି। ସଭାପତିଙ୍କ ଉପରେ ଅନ୍ୟ କର୍ମକର୍ତ୍ତାଙ୍କ ଚୟନ ଛାଡ଼ିଦିଆଯାଇଛି। ତାହା ବି ହୋଇପାରୁନି। ଦଳ ଭିତରେ ଏହାକୁ ନେଇ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି। କେଉଁ ଅଦୃଶ୍ୟ କାରଣ ପାଇଁ କର୍ମକର୍ତ୍ତା ଘୋଷଣା ହୋଇପାରୁନି, ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ବିଜେଡିର ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ପରିଷଦ ଗଠନ ପରେ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ହେବ। କାର୍ଯ୍ୟକାରିଣୀ ବୈଠକରେ ସଭାପତି ନିର୍ବାଚନ ହେବ। ଗତ ୧୯ ତାରିଖରେ ସଭାପତି ନିର୍ବାଚନ ଶେଷ ହୋଇଥିଲେ ହେଁ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ସ୍ପଷ୍ଟ ହେଲାନାହିଁ। ଏପରିକି ରାଜ୍ୟ ପରିଷଦ ପୂର୍ଣ୍ଣାଙ୍ଗ ହୋଇପାରିନି ବୋଲି କୁହାଯାଉଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁଯାୟୀ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଏପ୍ରିଲ୍‌ ୩୦ ସୁଦ୍ଧା ସାରି ନିର୍ବାଚନ କମିସନ୍‌କୁ ଲିଖିତ ଭାବେ ଅବଗତ କରାଇବା ପାଇଁ ସମୟ ନିଆଯାଇଥିଲା। ‌କିନ୍ତୁ ପ୍ରକ୍ରିୟା ଶେଷ ହୋଇପାରିନାହିଁ ବୋଲି ନିର୍ବାଚନ କମିସନ୍‌ଙ୍କ ନିକଟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ଦିଆଯାଇ ପାରିନାହିଁ। 

ଏପ୍ରିଲ୍‌ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିପା‌ରିଲେନି
କେହି ମୁହଁ ଖୋଲୁନାହାନ୍ତି, ଅସନ୍ତୋଷ କୁହୁଳୁଛି
ପାଣ୍ଡିଆନଙ୍କୁ ନେଇ ରହସ୍ୟ ବଢ଼ୁଛି

ଅନ୍ୟପଟରେ ଦଳ ପରିଚାଳନା କ୍ଷେତ୍ରରେ ଭିତରେ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଗଣମାଧ୍ୟମରେ ଏବେ କେହି ଖୋଲା ମନ୍ତବ୍ୟ ଦେଉ ନଥିଲେ ବି ମେଳି ଜାରି ରହିଛି। ବିଭିନ୍ନ ସ୍ଥାନରେ ବରିଷ୍ଠ ଓ ଯୁବ ନେତାମାନେ ଏକାଠି ହୋଇ ରଣନୀତି ଚଳାଇଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ଓ କର୍ମକର୍ତ୍ତା ମନୋନୟନ ପରେ ହିଁ ସେମାନେ ନିଜ ନିଜ ଭବିଷ୍ୟତ ପନ୍ଥା ବାଛିନେବେ। ନେତାମାନେ ଦଳର ଭବିଷ୍ୟତ ନେଇ ଏବେ ବି ସନ୍ଦିହାନ ଅଛନ୍ତି। ଏହା ଜଣାପଡ଼ିବା ପରେ ସଭାପତିଙ୍କୁ ବିଦ୍ରୋହର ଭୟ ସବୁବେଳେ ଗୋଡ଼ାଉଛି। ସେପଟେ ଆଗଧାଡ଼ିର ନେତାମାନଙ୍କୁ ନବୀନ ସେତେଟା ଗୁରୁତ୍ବ ଦେଉ ନଥିବା ସେମାନେ ଅନୁଭବ କରୁଛନ୍ତି। ଶାସନରେ ଥିଲା ବେଳେ ଯେମିତି ଭି କେ ପାଣ୍ଡିଆନ ହିଁ ତାଙ୍କ ପାଇଁ ସର୍ବେସର୍ବା ଥିଲେ ଏବେ ବି ତାହା ଜାରି ରହିଛି। ପାଣ୍ଡିଆନ ଆଗଭଳି ଆଲୋଚନାରେ ବସୁନାହାନ୍ତି ସତ; ମାତ୍ର ନବୀନଙ୍କ ସବୁ ନିଷ୍ପତ୍ତି ଓ ମନ୍ତବ୍ୟ ପଛରେ ତାଙ୍କ ଭୂମିକା ଥିବା ଚର୍ଚ୍ଚା ଚାଲିଛି। ସବୁଠୁ ବଡ଼ କଥା ହେଲା, ବିଜେଡିର ସବୁ ନିଷ୍ପତ୍ତି ନେବାକୁ ଅଣ୍ଟା ଭିଡ଼ିଥିବା ‘ସପ୍ତରଥୀ’ ହଠାତ ନିଷ୍କ୍ରିୟ ହୋଇଯାଇଛନ୍ତି। 

ପାଣ୍ଡିଆନଙ୍କୁ ନେଇ ତାଙ୍କର କିଛି ଖାସ୍ ସମର୍ଥକ ବାରମ୍ବାର ରହସ୍ୟ ସୃଷ୍ଟି କରୁଛନ୍ତି। େସ ଓଡ଼ିଶା ଛାଡ଼ି ବିଦେଶର ଏକ କମ୍ପାନିରେ ଚାକିରି କରିବେ ବୋଲି ପ୍ରଚାର କରାଗଲା। ପରେ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଓଡ଼ିଶା ନଛାଡ଼ିବା ପାଇଁ ଅଭିଯାନ ଚାଲିଲା। ନବୀନ-ପାଣ୍ଡିଆନଙ୍କ ଯୁଗରେ ଓଡ଼ିଶାରେ ବହୁ କାମ ହୋଇଛି ବୋଲି ଚିତ୍ରଣ କରାଗଲା। କିନ୍ତୁ ପାଣ୍ଡିଆନଙ୍କର ଯେ ସେମିତି କିଛି ଯୋଜନା ନଥିଲା, ତାହା ଏବେ ସ୍ପଷ୍ଟ ହୋଇଯାଇଛି। କେବଳ ତାଙ୍କ ପ୍ରତି ଏକ ସମବେଦନା ସୃଷ୍ଟି କରିବା ଲାଗି ମିଛ ପ୍ରଚାର କରାଯାଇଥିବା ଗୁଞ୍ଜରଣ ହେଲାଣି। ଏବେ ବି ନବୀନନିବାସରେ ସେ ରହୁଥିବା ନେତାମାନେ ଦେଖୁଛନ୍ତି। ଯେହେତୁ ନିଜେ ସଭାପତି ତାଙ୍କ ଉପରେ ନିର୍ଭରଶୀଳ ଅଛନ୍ତି, ତେଣୁ ବିଜେଡି ତାଙ୍କ କବଳରୁ ମୁକ୍ତ ହେବା ସମ୍ଭବ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe