ନାଗରିକତା ସଂଶୋଧନ ବିଲକୁ ଲୋକସଭାରେ ବିଜେଡିର ସମର୍ଥନ ଘୋଷଣା ପରେ ଓଡ଼ିଶାରେ କମ୍ପନ

Advertisment
ଶୂନ୍ୟକାଳରେ ବହୁବିଧ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ

democracynewslive.com

ଭୁବନେଶ୍ବର : ଲୋକସଭାରେ ଆଜି ଗୃହୀତ ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ବିଜେଡିର ସମର୍ଥନ ଘୋଷଣା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବିଜେଡି ଏହି ବିଲକୁ ବିଧିବଦ୍ଧ ଭାବେ ସମର୍ଥନ ଘୋଷଣା କରିବା ସହ କହିଛି ଯେ ଏହି ବିଲ୍ କୁ ସାଂପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି। ଅନ୍ୟପଟରେ ବିଜେପି ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଥିବା ବେଳେ କଂଗ୍ରେସ କିନ୍ତୁ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିରୋଧରେ ଗର୍ଜନ ତର୍ଜନ କରିଛି। ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପ୍ରସଙ୍ଗରେ ବିଜେଡି ସରକାରଙ୍କୁ କାଠଗଡାକୁ ଟାଣିବାକୁ ଚେଷ୍ଟା କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି କଟାକ୍ଷ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ଏମାନଙ୍କର କଳି, ଦିଲ୍ଲୀରେ କିନ୍ତୁ କୋଳାକୋଳି। ନିଜର ଆତ୍ମରକ୍ଷା ଓ ଚିଟଫଣ୍ଡ୍ ଦୁର୍ନୀତିରେ ସିବିଆଇ ପଞ୍ଝାରୁ ସୁରକ୍ଷିତ ରହିବା ପାଇଁ ଶାସକ ଦଳ ବିଜେଡି ଏବେ ସମ୍ପୂର୍ଣ୍ଣ ଭାବେ ବିଜେପିର ଶରଣ ପଶିଛି। ଏହାକୁ ନେଇ ରାଜନୈତିକ ମହଲରେ ବି ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି।

ରବିବାର ଖବର ମିଳିଥିଲା ଯେ ବିଜେଡି ଏହି ବିଲକୁ ସମର୍ଥନ କରିବ। ଏ ନେଇ ଦଳର ଶୀର୍ଷସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା। ଆଜି ଦଳ ବିଧିବଦ୍ଧ ଭାବେ ଏହି ଚର୍ଚ୍ଚାକୁ ବଳ ଦେଇ କହିଛି ଯେ ସେମାନେ ଏହି ବିଲ୍ କୁ ସମର୍ଥନ କରିବେ, କିନ୍ତୁ କିଛି ପରାମର୍ଶ ବି କେନ୍ଦ୍ର ସରକାରଙ୍କ ପାଇଁ ରହିଛି।

ଦଳ ପକ୍ଷରୁ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ନାଗରିକତା ସଂଶୋଧନ ବିଲ୍ ୨୦୧୯ର ପ୍ରଭାବ କେବଳ ଭାରତରେ ନୁହେଁ, ବରଂ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନ ପର୍ଯ୍ୟନ୍ତ ବ୍ୟାପିଛି । ଓଡିଶା ଏକ ଶାନ୍ତିପ୍ରିୟ ଓ ଧର୍ମନିରପେକ୍ଷ ରାଜ୍ୟ। ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଧର୍ମନିରପେକ୍ଷ ନେତା ଭାବେ ବେଶ୍‍ ପରିଚିତ। ବିଲ୍ କୁ ଅନୁଧ୍ୟାନ କରିବା ପରେ ଦଳ ଅନୁଭବ କରୁଛି ଯେ ଏହାର କୌଣସି ସଂପର୍କ ଏନ୍‍ଆରସି ସହିତ ନାହିଁ। ଏନ୍‍ଆରସି ଏକ ଭିନ୍ନ ପ୍ରସଙ୍ଗ ଏବଂ ତାହା ଉପରେ ବ୍ୟାପକ ଆଲୋଚନା କରିବାର ଆବଶ୍ୟକତା ରହିଛି । ବିଜେଡି କହିଛି ଯେ ଏହି ବିଲରେ ଯଦିଓ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶକୁ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଶ୍ରୀଲଙ୍କାକୁ ବାଦ୍ ଦିଆଯାଇଛି। ପୂର୍ବରୁ ୧୧ ବର୍ଷ ଭାରତରେ ବସବାସ କରିଥିଲେ ଯାଇ ସେମାନେ ନାଗରିକତ୍ବ ପାଇଁ ଆବେଦନ କରିପାରୁଥିଲେ। ତାହାକୁ କୋହଳ କରି କେବଳ ୫ ବର୍ଷକୁ ହ୍ରାସ କରାଯିବା ଦ୍ବାରା ଅନେକ ଲୋକ ଏଥିରେ ଉପକୃତ ହେବେ।

ବିଜୁ ଜନତାଦଳ ଏହି ବିଲ୍ କୁ ସମର୍ଥନ କରିବା ସହ ଦଳ ତିନିଟି ପରାମର୍ଶ ଦେଇଛି। ପ୍ରଥମତଃ ଶ୍ରୀଲଙ୍କାକୁ ଏହି ବିଲ୍ ରେ ଅନ୍ତର୍ଭୁକ୍ତ କରାଯାଉ। ଶ୍ରୀଲଙ୍କାଠାରେ ଅନେକ ଦଶନ୍ଧିଧରି ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ପ୍ରତି ଅତ୍ୟାଚାର କରାଯାଉଛି। ସେମାନଙ୍କୁ ଏହି ସୁଯୋଗରୁ ବଞ୍ଚିତ କରାନଯାଉ। ଦ୍ବିତୀୟତଃ, ଏହି ବିଲକୁ ଏନ୍‍ଆରସି ସହ ଯୋଡା ନଯାଉ। ଏନ୍‍ଆରସି ଏକ ବ୍ୟାପକ ପ୍ରସଙ୍ଗ, ଯାହା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି। ସରକାର ଏଥିପ୍ରତି ଧ୍ୟାନ ଦେବା ଦରକାର। ତୃତୀୟତଃ, ମୁସଲମାନ ସଂପ୍ରଦାୟକଙ୍କୁ ଅନ୍ତର୍ଭୁକ୍ତ ନ କରାଯିବାରୁ ତାଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହେଉଛି, ତାହାକୁ ପ୍ରଶମିତ କରିବା ସରକାରଙ୍କର ନୈତିକ ଦାୟିତ୍ବ। ସରକାର ଦୃଢତାର ସହ ସମାଜ ମଧ୍ୟରେ ଏଭଳି ବିଶ୍ବାସ ବୃଦ୍ଧି କରନ୍ତୁ ଯେମିତି ଏହି ବିଲ୍ ଏକ ନିର୍ଦିଷ୍ଟ ସଂପ୍ରଦାୟ ବିରୋଧରେ ନୁହେଁ, ଏ ବାର୍ତା ଯିବ। ଯାହାକି କିଛି ରାଜନୈତିକ ଦଳମାନେ ପ୍ରଚାର କରୁଛନ୍ତି।

ବିଜେଡି ଆହୁରି କହିଛି ଯେ କେନ୍ଦ୍ର ସରକାର ଯେଉଁ ବିଲ୍‍ ଆଣିଛନ୍ତି ତାହାର ରାଜନୀତିକରଣ ନ କରାଯାଉ । ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହାକୁ ସର୍ମଥନ କରିବା ଏବଂ ଯଦି ମନରେ କୌଣସି ଆଶଙ୍କା ଅଛି, ତାହାକୁ ଦୂର କରି ରାଜନୀତିକରଣରୁ ନିବୃତ୍ତ ରହିବା ଆବଶ୍ୟକ। ଦଳର ଏହି ପରାମର୍ଶ ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବା ସହିତ ତାହାକୁ କାର୍ଯ୍ୟକାରୀ କରିବେ ବୋଲି ବିଜେଡି ଆଶା ରଖିଛି।

ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଅଭିଯୋଗ କରି କହିଥିଲେ ଯେ ଲୋକସଭା ହେଉ କି ରାଜ୍ୟସଭା ଉଭୟ ଦଳ ଭିତରେ ଭିତିରି ବୁଝାମଣା ଯୋଗୁଁ ରାଜ୍ୟ ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନି। ଗତ ଅକ୍ଟୋବର ୨୬ ତାରିଖରେ ଦେଶର ଅର୍ଥନୈତିକ ଦୁରାବସ୍ଥା ସମ୍ପର୍କରେ ରାଜ୍ୟସଭାରେ ଆଲୋଚନା ପାଇଁ ବିଭିନ୍ନ ରାଜନୈତିକ ଦଳର ସାଂସଦମାନଙ୍କ ସମେତ ବିଜେଡି ସାଂସଦ ସସ୍ମିତ୍ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ.ଭାସ୍କର ରାଓ ନୋଟିସ ଦେଇଥିଲେ। ନୋଟିସକୁ ଆଧାର କରି ଆଲୋଚନା ପାଇଁ ରାଜ୍ୟସଭା ପକ୍ଷରୁ ୨୭ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା। ଏ ନେଇ ଗୃହର ରିଭାଇଜଡ୍ ଲିଷ୍ଟ ଅଫ୍ ବିଜିନେସରେ ବିଜେଡିର ୩ ଜଣ ସାଂସଦଙ୍କ ନାମ ପ୍ରକାଶ ପାଇଲା। କିନ୍ତୁ ଦୁର୍ଭାଗ୍ୟର କଥା ୩ ଜଣ ଯାକ ବିଜେଡି ସାଂସଦ ଆଲୋଚନାରେ ଭାଗ ନେଲେ ନାହିଁ। ଯାହା ସେଦିନ ରାଜ୍ୟସଭାର ୨୫୭ ପୃଷ୍ଠା ସମ୍ବଳିତ ବିବରଣୀରୁ ପ୍ରମାଣିତ ହୋଇଛି।

ବିଜେଡି-ବିଜେପି ଭିତିରି ସମ୍ପର୍କ ନେଇ ଶ୍ରୀ ପଟ୍ଟନାୟକ ଆଉ ଗୋଟିଏ ଉଦାହରଣ ଦେଇ କହିଥିଲେ ଯେ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ରହସ୍ୟ ନେଇ ଗତ ଅକ୍ଟୋବର ୨୯ ତାରିଖରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଲୋକସଭାର ଶୂନ୍ୟକାଳରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ଲୋକସଭା ନେତାଙ୍କ ସମେତ ୩ ଜଣ ସାଂସଦ ଶ୍ରୀ ଉଲାକାଙ୍କୁ ଗୃହରେ ହିଁ ବିରୋଧ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଜେପି ସାଂସଦମାନେ ଚୁପ ବସିଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଉଭୟ ବିଜେପି ଓ ବିଜେଡି ଭିତରେ ଅବୈଧ ସନ୍ଧି ହୋଇଛି।

ଖାଲି ସେତିକି ନୁହେଁ, ଏମ୍ସ ସଭ୍ୟ ପଦ ନେଇ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନରେ ବିଜେଡିକୁ ବିଜେପି ସମର୍ଥନ ଦେଇଛି। ସଭ୍ୟ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେଡି ସାଂସଦ ଅମର ପଚ୍ଚନାୟକ ଓ ବିଜେପିରୁ ସାଂସଦ ଅଶ୍ବିନୀ ବୈଷ୍ଣବ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ଦିନ ରାଜ୍ୟସଭାରେ ବିଜେପିର ୮୧ ସାଂସଦ ଉପସ୍ଥିତ ଥିବାବେଳେ ବିଜେଡିର ୭ ଜଣ ଓ କଂଗ୍ରେସର ୪୯ ଜଣ ସାଂସଦ ଉପସ୍ଥିତ ଥିଲେ। ତଥାପି ବିଜେଡି ସାଂସଦ ଅମର ପଟ୍ଟନାୟକ ଏମ୍-ସ ସଭ୍ୟ ନିର୍ବାଚିତ ହୋଇଛନ୍ତି। ଏହା କିପରି ହେଲା ବୋଲି ପିସିସି ସଭାପତି ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶାର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସଂସଦରେ ଶାସକ ଦଳ ସବୁ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେଇଆସୁଛି। ଏହା କେବଳ ନିଜର ଆତ୍ମରକ୍ଷା ପାଇଁ ବିଜେଡି ଏପରି କରୁଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ବର ବାବୁ, ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe